ଓଟାୱା: ମାର୍କ କାର୍ନି କାନାଡାର ୨୪ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶୁକ୍ରବାର ରାତି ସାଢ଼େ ୮ଟାରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଖଲିସ୍ତାନୀ ପ୍ରସଙ୍ଗରେ କାର୍ନିଙ୍କ ନୀତି କ’ଣ ରହିବ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ରାଜଧାନୀ ଓଟାୱାର ରିଡିୟୁ ହଲ୍ରେ ମାର୍କ କାର୍ନିଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା ଏବଂ କାର୍ନି ତାଙ୍କ କ୍ୟାବିନେଟ୍ ସହ ଶପଥ ଗ୍ରହଣ କରିଥିଲେ। ମାର୍କ କାର୍ନି ଭାରତ ସହ ସମ୍ପର୍କରେ ସୁଧାର ଆଣିବା ଉପରେ ଗୁରୁତ୍ବାରୋପ କରିଥିଲେ ମଧ୍ୟ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ଦୂର କରିବାକୁ କିଭଳି ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ନୀରବ ରହିଛନ୍ତି।
ନିର୍ବାଚନ ପୂର୍ବରୁ ସେ କହିଥିଲେ ଯେ ଯଦି ସେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଭାରତ ସହ ବାଣିଜ୍ୟିକ ସମ୍ପର୍କ ପୁନରୁଦ୍ଧାର କରିବେ। ତେବେ ଦୁଇ ଦେଶ ମଧ୍ୟରେ ବିବାଦର ସବୁଠାରୁ ବଡ କାରଣ ହେଉଛି ଖାଲିସ୍ତାନୀ ଆତଙ୍କବାଦୀଙ୍କୁ କାନାଡାରେ ସୁରକ୍ଷିତ ଆଶ୍ରୟ ଦିଆଯିବା। ଏହି ପ୍ରସଙ୍ଗରେ ମାର୍କ କାର୍ନିଙ୍କର ମତ ସ୍ପଷ୍ଟ ହୋଇନଥିବା ଏବଂ ଏହି ପ୍ରସଙ୍ଗରେ ସେ ଏପର୍ଯ୍ୟନ୍ତ କୌଣସି ସାର୍ବଜନୀନ ବୟାନ ଦେଇନଥିବାରୁ ଦ୍ବନ୍ଦ୍ବ ଲାଗି ରହିଛି। ଯଦି ପୂର୍ବ ଜଷ୍ଟିନ ଟ୍ରୁଡୋ ସରକାର ଭଳି କାର୍ନି ଖଲିସ୍ତାନୀଙ୍କୁ ସମର୍ଥନ ଜାରି ରଖିବେ କିମ୍ବା କୋହଳ ନୀତି ଅବଲମ୍ବନ କରିବେ ତା’ହେଲେ ଭାରତର ଆଭିମୁଖ୍ୟ ମଧ୍ୟ ଅଧିକ କଠୋର ହେବ ବୋଲି କୂଟନୀତି ବିଶେଷଜ୍ଞମାନେ ମତ ରଖିଛନ୍ତି।
ଫେବ୍ରୁଆରି ୯ ତାରିଖରେ ମାର୍କ କାର୍ନି ଲିବରାଲ ପାର୍ଟିର ନେତା ନିର୍ବାଚିତ ହୋଇଥିଲେ। କାର୍ନିଙ୍କୁ ୮୫.୯% ଭୋଟ୍ ମିଳିଥିଲା। କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସ୍ଥାନରେ ମାର୍କ କାର୍ନି ଦାୟିତ୍ୱ ଗ୍ରହଣ କରିଛନ୍ତି।ଶୁକ୍ରବାର ଟ୍ରୁଡୋ ଗଭର୍ଣ୍ଣର ଜେନେରାଲଙ୍କ ନିକଟକୁ ଯାଇ ଆନୁଷ୍ଠାନିକ ଭାବେ ଇସ୍ତଫା ପତ୍ର ପ୍ରଦାନ କରିଥିଲେ।
Follow Us