ଇସ୍ରାଏଲ୍‌ ସହ ୫୦କୋଟି ଡଲାରର ଚୁକ୍ତି ରଦ୍ଦ

Advertisment
ଇସ୍ରାଏଲ୍‌ ସହ ୫୦କୋଟି ଡଲାରର ଚୁକ୍ତି ରଦ୍ଦ

ନୂଆଦିଲ୍ଲୀ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଭାରତ ଗସ୍ତ ପୂର୍ବରୁ ଇସ୍ରାଏଲ ସହ ହୋଇଥିବା ୫୦ କୋଟି ଡଲାରର କ୍ଷେପଣାସ୍ତ୍ର ଚୁକ୍ତିକୁ ଭାରତ ରଦ୍ଦ କରିଛି। ଫଳରେ ଇସ୍ରାଏଲ୍‌ ସହ ମିଶି ୧୬୦୦ ସ୍ପାଇକ୍‌ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିଜାଇଲ(ଏଟିଜିଏମ୍‌) ନିର୍ମାଣ କରିବା ପ୍ରକଳ୍ପ ଅନ୍ଧାରକୁ ଠେଲି ହୋଇଯାଇଛି। ଅପରପକ୍ଷେ, ଚୁକ୍ତି ରଦ୍ଦ ଦ୍ୱାରା ଉଭୟ ଦେଶର ଦ୍ୱିପାକ୍ଷିକ ସମ୍ପର୍କରେ ପ୍ରଭାବ ପଡ଼ିବାର ଆଶଙ୍କା କରାଯାଉଛି। ସମ୍ପ୍ରତି ରାଫେଲ ଚୁକ୍ତିକୁ ନେଇ ମୋଦି ସରକାର ବିରୋଧୀ ଦଳଙ୍କ କଡ଼ା ସମାଲୋଚନାର ଶିକାର ହେଉଥିବା ବେଳେ ଏହି ଏଟିଜିଏମ୍‌ ଆମଦାନି ନେଇ ଦୁର୍ନୀତି ଅଭିଯୋଗ ଆସିବା ଆଶଙ୍କାରେ ସରକାର ଏପରି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି। ଅପରପକ୍ଷେ, ପ୍ରଧାନମନ୍ତ୍ରୀଙ୍କ ମେକ୍‌-ଇନ୍‌-ଇଣ୍ଡିଆ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ଏବଂ ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ(ଡିଆର୍‌ଡିଓ) ଆଗାମୀ ୪ ବର୍ଷ ମଧ୍ୟରେ ସ୍ପାଇକ୍‌ ଠାରୁ ଉନ୍ନତତର କ୍ଷେପଣାସ୍ତ୍ର ତିଆରି କରିବ ବୋଲି ସଫେଇ ଦିଆଯାଇଛି ।ସ୍ମରଣଯୋଗ୍ୟ ଯେ, ଗତବର୍ଷ ପ୍ରଧାନମନ୍ତ୍ରୀ ମୋଦିଙ୍କ ଇସ୍ରାଏଲ ଗସ୍ତ ବେଳେ ଏହି ଚୁକ୍ତି ହୋଇଥିଲା। ଉଭୟ ସରକାରଙ୍କ ମିଳିତ ଉଦ୍ୟୋଗରେ କ୍ଷେପଣାସ୍ତ୍ର ନିର୍ମାଣ ହେବାର ଯୋଜନା ଥିଲା ।ଏଥିପାଇଁ କଲ୍ୟାଣୀ ଗ୍ରୁପ୍‌ ନାମକ ଏକ କମ୍ପାନି ଆନୁଷଙ୍ଗିକ ଭିତ୍ତିଭୂମି ମଧ୍ୟ ହାଇଦ୍ରାବାଦରେ ପ୍ରସ୍ତୁତ କରିସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe