ପାଙ୍ଗୋଙ୍ଗ୍‌ ଅଞ୍ଚଳରୁ ସେନା ଓ ଯୁଦ୍ଧାସ୍ତ୍ର ଅପସାରଣ କରିବାକୁ ଭାରତ-ଚୀନ ରାଜି, ପର୍ଯ୍ୟାୟ କ୍ରମେ ହେବ ଅପସାରଣ

ପାଙ୍ଗୋଙ୍ଗ୍‌ ଅଞ୍ଚଳରୁ ସେନା ଓ ଯୁଦ୍ଧାସ୍ତ୍ର ଅପସାରଣ କରିବାକୁ ଭାରତ-ଚୀନ ରାଜି, ପର୍ଯ୍ୟାୟ କ୍ରମେ ହେବ ଅପସାରଣ

Groundreporter.in

ନୂଆଦିଲ୍ଲୀ: ପୂର୍ବ ଲଦାଖର ସୋ-ଚୁସୁଲ୍ ଅଞ୍ଚଳରେ ଥିବା  ପାଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରୁ ତିନି ପର୍ଯ୍ୟାୟରେ ସୈନ୍ୟ ଅପସାରଣ କରିବା ନିମନ୍ତେ ଭାରତ ଓ ଚୀନ ରାଜି ‌ହୋଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। କେବଳ ସୈନ୍ୟ ନୁହନ୍ତି, ସେଠାରେ ଉଭୟ ସେନାପକ୍ଷରୁ ନିୟୋଜିତ ହୋଇଥିବା ଟ୍ୟାଙ୍କ, ହୋଇଜର୍ କମାଣ, ଯୁଦ୍ଧାସ୍ତ୍ର ବହନକାରୀ ଗାଡ଼ିଗୁଡ଼ିକୁ ମଧ୍ୟ ଅପସାରଣ କରିବାକୁ ଦୁଇ ପକ୍ଷ ରାଜି ହୋଇଛନ୍ତି। ଫଳରେ ଗତ ୭ ମାସ ଧରି ସେଠାରେ ଲାଗି ରହିଥିବା ଉତ୍ତେଜନା ପ୍ରଶମିତ ହେବ ବୋଲି ଆଶା କରାଯାଉଛି।

ଚଳିତ ବର୍ଷ ଏପ୍ରିଲ୍‌ ଓ ମେ ମାସ ପୂର୍ବରୁ ପୂର୍ବ ଲଦାଖର ଯେଉଁ ସ୍ଥାନରେ ଉଭୟ ଦେଶର ସୈନ୍ୟମାନେ ଥିଲେ, ପୁଣି ସେ ସ୍ଥାନକୁ ଫେରିଯିବେ।ଏହି ସୈନ୍ୟ ଅପସାରଣ ଯୋଜନା ନଭେମ୍ବର ୬ ତାରିଖ ଦିନ ଚୁଷୁଲ୍‌ରେ ଦୁଇ ପକ୍ଷ ମଧ୍ୟରେ ଅନୁଷ୍ଠିତ ୮ମ କର୍ପସ୍‌ କମାଣ୍ଡର୍‌ସ୍ତରୀୟ ଆଲୋଚନାରେ ସ୍ଥିର କରାଯାଇଥିଲା।

ପାଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରୁ ତିନିଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ସୈନ୍ୟ ଅପସାରଣ ବ୍ୟବସ୍ଥା କମାଣ୍ଡର୍‌ସ୍ତରୀୟ ଆଲୋଚନା ହେବା ଠାରୁ ଏକ ସପ୍ତାହ ମଧ୍ୟରେ ଆରମ୍ଭ ହେବ। କମାଣ ସମେତ ଅନ୍ୟାନ୍ୟ ଯୁଦ୍ଧଯାନଗୁଡ଼ିକ ବାସ୍ତବ ନିୟନ୍ତ୍ରଣ ରେଖାର ଉଭୟ ପାର୍ଶ୍ବରୁ ଦୂରକୁ ଫେରାଇ ନିଆଯିବ। ଏହି ଯାନଗୁଡ଼ିକୁ ଗୋଟିଏ ଦିନ ମଧ୍ୟରେ ଅପସାରଣ କରାଯିବ ବୋଲି ଆଲୋଚନାରେ ସ୍ଥିର ହୋଇଥିଲା।

ଦ୍ବିତୀୟ ପର୍ଯ୍ୟାୟରେ ପାଙ୍ଗୋଙ୍ଗ୍‌ ହ୍ରଦର ଉତ୍ତର ପାର୍ଶ୍ବରୁ ଉଭୟ ପକ୍ଷ ଦୈନିକ ୩୦% ଲେଖାଏଁ ତିନି ଦିନ ଧରି ସୈନ୍ୟ ଅପସାରଣ କରିବେ। ଭାରତୀୟ ସୈନିକମାନେ ଧନସିଂ ଥାପା ପୋଷ୍ଟ୍ ନିକଟକୁ ଫେରି ଆସିବାକୁ ନିଷ୍ପତ୍ତି ନେଇଥିବା ବେଳେ ଚୀନ୍‌ ସେନା ଫିଙ୍ଗର୍‌ ୮ର ପୂର୍ବରେ ଥିବା ସେମାନଙ୍କ ପୁରୁଣା ସ୍ଥାନକୁ ଫେରିଯିବାକୁ ସମ୍ମତି ଜଣାଇଛନ୍ତି।

ତୃତୀୟ ତଥା ଶେଷ ପର୍ଯ୍ୟାୟରେ ପାଙ୍ଗୋଙ୍ଗ୍‌ ହ୍ରଦର ଦକ୍ଷିଣକୂଳ ଅଞ୍ଚଳରୁ ଦୁଇ ପକ୍ଷର ସୈନିକମାନେ ଫେରିଯିବେ ବୋଲି ସ୍ଥିର ହୋଇଛି। ପ୍ରତିନିଧି ବୈଠକ ଏବଂ ‘ୟୁଏଭି’ ଜରିଆରେ ମିଳିତଭାବେ ଅପସାରଣ ପ୍ରକ୍ରିୟା ତଦାରଖ କରିବାକୁ ମଧ୍ୟ ଉଭୟ ପକ୍ଷ ରାଜି ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe