Image Courtesy of Zee News
ନୂଆଦିଲ୍ଲୀ: ପୂର୍ବ ଲଦାଖ୍ରେ ପ୍ରାୟ ଏକ ମାସ ଧରି ଭାରତ-ଚୀନ୍ ସୀମାରେ ଉଭୟ ଦେଶର ସେନା ମୁହାଁମୁହିଁ ସ୍ଥିତିରେ ରହିଛନ୍ତି। ଆଜି ସୀମା ବିବାଦର ସମାଧାନ ପାଇଁ ଲେଫ୍ନାଣ୍ଟ ଜେନେରାଲସ୍ତରରେ ଆଲୋଚନା ହୋଇଛି। ଭାରତୀୟ ପ୍ରତିନିଧି ଦଳର ନେତୃତ୍ବ ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ନେଇଥିବା ବେଳେ ଚୀନ୍ ପକ୍ଷର ନେତୃତ୍ବ ତିବ୍ବତ ସାମରିକ ଜୋନ୍ର କାମଣ୍ଡର କରିଥିଲେ। ପୂର୍ବ ଲଦାଖ୍ରେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟସ୍ଥ ମାଲ୍ଦୋରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆଲୋଚନା ସକାରାତ୍ମକ ଥିଲେ ମଧ୍ୟ ଏହାର ବିସ୍ତୃତ ବିବରଣୀ ଦିଆଯାଇ ନାହିଁ। ତେବେ ଉଭୟ ଦେଶ ମଧ୍ୟରେ ସୀମା ବିବାଦ ନେଇ ସାମରିକ ଓ କୂଟନୈତିକ ଆଲୋଚନା ଜାରି ରହିବ ।
ଚୀନ୍ ପୂର୍ବ ଲଦାଖ୍ରେ ଏପ୍ରିଲ ମାସରେ ଯେଉଁ ସ୍ଥିତିରେ ରହିଥିଲା ସେହି ସ୍ଥିତିକୁ ଫେରିଯାଉ ବୋଲି ଆଜି ଭାରତୀୟ ଅଧିକାରୀମାନେ ରୋକଠୋକ୍ ଜଣାଇ ଦେଇଛନ୍ତି। ଏହି ଉଚ୍ଚସ୍ତରୀୟ ସାମରିକ ବୈଠକ ପୂର୍ବରୁ ଗତକାଲି ଉଭୟ ଦେଶ କୂଟନୈତିକ ସ୍ତରରେ ଆଲୋଚନା କରିଥିଲେ ଏବଂ ମତଭେଦ ଭୁଲି ଦ୍ବିପାକ୍ଷିକ ବିବାଦର ସମାଧାନ ଉପରେ ଗୁରୁତ୍ବାରୋପ କରିଥିଲେ। ଚୀନ୍ ଏବେ ପେଙ୍ଗୋଙ୍ଗ୍ ଏବଂ ଗଲୱାନ ଘାଟିରେ ପ୍ରାୟ ୨୫୦୦ ସୈନିକ ମୁତୟନ କରିଥିବା ବେଳେ ସୀମା ସଂଲଗ୍ନ ଘାଟିଗୁଡ଼ିକରେ ବିପୁଳ ଅସ୍ତ୍ରଶସ୍ତ୍ର ଠୁଳ କରୁଛି। ଶତାଧିକ ନୂଆ ଶିବିର ଚୀନ୍ ସ୍ଥାପନ କରିଥିବାରୁ ଆଗକୁ ସୈନ୍ୟ ମୁତୟନ ଆହୁରି ବଢ଼ାଇବ ବୋଲି ଜଣାପଡ଼ିଛି। ଚୀନ୍ର ଏଭଳି ପଦକ୍ଷେପର ଜବାବ ଦେବାପାଇଁ ଭାରତ ମଧ୍ୟ ସମାନ ରଣନୀତି ଅବଲମ୍ବନ କରିଛି। ଉତ୍ତେଜନା ହ୍ରାସ କରିବା ପାଇଁ ଚୀନ୍ ସେନା ଏବେ ୨ କିମି ପଛକୁ ହଟିଥିବା ବେଳେ ଭାରତୀୟ ସେନା ୧ କିମି ପଛକୁ ହଟିଛି ।
Follow Us