Successful launch of 'CMS-03' ଇତିହାସ ରଚିଲା ଭାରତ: ‘ସିଏମ୍‌ଏସ୍‌-୦୩’ର ସଫଳ ଉତ୍‌କ୍ଷେପଣ, ଶକ୍ତିଶାଳୀ ହେବ ନୌସେନା, ଯୋଗାଯୋଗ ଦକ୍ଷତା ବଢ଼ିବ

ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ପକ୍ଷରୁ ଆଜି ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରର ଦ୍ବିତୀୟ ଲଞ୍ଚପ୍ୟାଡ୍‌ରୁ ଭାରତୀୟ ନୌସେନାର ଜିଏସ୍‌ଏଟି-୭ଆର୍‌ (ସିଏମ୍‌ଏସ୍‌-୦୩) ଯୋଗାଯୋଗ ଉପଗ୍ରହକୁ ପଠାଯାଇଛି।

cms

Photograph: (Press Trust of India)

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ପକ୍ଷରୁ ଆଜି ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରର ଦ୍ବିତୀୟ ଲଞ୍ଚପ୍ୟାଡ୍‌ରୁ ଭାରତୀୟ ନୌସେନାର ଜିଏସ୍‌ଏଟି-୭ଆର୍‌ (ସିଏମ୍‌ଏସ୍‌-୦୩) ଯୋଗାଯୋଗ ଉପଗ୍ରହକୁ ପଠାଯାଇଛି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଅତ୍ୟାଧୁନିକ ସିଏମ୍‌ଏସ୍‌-୦୩ ଉପଗ୍ରହର ଓଜନ ୪୪୧୦ ‌କିଗ୍ରା ରହିଛି। ୨୪ ଘଣ୍ଟାର ଅବଗଣନା ପରେ ୪୩.୫ ମିଟରର ଲମ୍ବ ବାହୁବଳୀ ରକେଟ୍‌ ଏଲ୍‌ଭିଏମ୍‌୩-ଏମ୍‌୫ ଜରିଆରେ ନିର୍ଦ୍ଧାରିତ ସମୟ ଅପରାହ୍ଣ ୫ଟା ୨୬ ମିନିଟ୍‌ରେ ଉତ୍‌‌କ୍ଷେପଣ କରାଯାଇଛି। ଉତ୍‌‌‌କ୍ଷେପଣ ହେବାର ୧୬ ମିନିଟ ପରେ ଉପଗ୍ରହଟି ଏଲ୍‌ଭିଏମ୍‌ ୩ ‌ରକେଟ୍‌ରୁ ପୃଥକ୍‌ ହୋଇଥିଲା। ଘରୋଇ ରକେଟ୍‌ ଯୋଗେ ଏତେ ବଡ଼ ଉପଗ୍ରହକୁ ଭାରତୀୟ ମାଟିରୁ ଉତ୍‌କ୍ଷେପଣ କରାଯାଇ ଜିଓସିଙ୍କ୍ରୋନସ୍‌ ଟ୍ରାନ୍ସଫର୍‌ ଅରବିଟ୍‌ (ଭୂସ୍ଥିର ସ୍ଥାନାନ୍ତର କକ୍ଷ)ରେ ଅବସ୍ଥାପିତ କରାଯିବା ପ୍ରଥମ। ଆଜିର ଏହି ସଫଳ ଉତ୍‌‌କ୍ଷେପଣ ଆଗାମୀ ଦିନରେ ଓଜନଦାର ଉପଗ୍ରହ ପ୍ରେରଣ ପାଇଁ ପଥ ପରିଷ୍କାର କରିଛି।  

ଓଜନ ୪.୪ ଟନ୍‌, ବାହୁବଳୀ ରକେଟ୍‌ର ଲମ୍ବ ୪୩.୫ ମିଟର 
ଶକ୍ତିଶାଳୀ ହେବ ନୌସେନା, ଯୋଗାଯୋଗ ଦକ୍ଷତା ବଢ଼ିବ

ବାହୁବଳୀ ରକେଟ ଜରିଆରେ ‌ଯେଉଁ ବୃହତ୍‌ ଉପଗ୍ରହ ସିଏମ୍‌ଏସ୍‌-୦୩ ପଠାଯାଇଛି ତାହା ଭାରତୀୟ ନୌସେନାର ଯୋଗାଯୋଗ ପାଇଁ ମେରୁଦଣ୍ଡ ହେବ। ଭାରତୀୟ ଉପମହାଦେଶ ଏବଂ ଭାରତ ମହାସାଗର ଅଞ୍ଚଳରୁ ନୌସେନାକୁ ଆବଶ୍ୟକ ତଥ୍ୟ ଏହା ଜରିଆରେ ମିଳିପାରିବ। ଭାରତୀୟ ନୌସେନାର ପରିଚାଳନାଜନିତ ସୁବିଧା ପାଇଁ ଏଥିରେ ଅନେକ ଅତ୍ୟାଧୁନିକ ସ୍ବଦେଶୀ ଉପକରଣ ରହିଛି। ଏହି ଉପଗ୍ରହରେ ଏକାଧିକ ବ୍ୟାଣ୍ଡ୍‌ର ପେଲୋଡ୍‌ ରହିଛି। ଏହାଦ୍ବାରା ଉଚ୍ଚକ୍ଷମତାସମ୍ପନ୍ନ ଭଏସ୍‌, ଡାଟା, ଭିଡିଓ ଆଦିର ଆଦାନପ୍ରଦାନ ଭାରତର ଯୁଦ୍ଧଜାହାଜ, ବୁଡ଼ାଜାହାଜ, ବିମାନ ଏବଂ ଉପକୂଳରେ ଥିବା କମାଣ୍ଡ ସେଣ୍ଟର ମଧ୍ୟରେ ହୋଇପାରିବ। ପୂର୍ବର ଜିଏସ୍‌ଏଟି-୭ ‘ରୁକ୍ମିଣୀ’ ଉପଗ୍ରହ ତୁଳନାରେ ନୂଆ ଉପଗ୍ରହର ଯୋଗାଯୋଗ କ୍ଷମତା ଯଥେଷ୍ଟ ଅଧିକ ରହିଛି। ଅପହଞ୍ଚ ଏବଂ ବିବାଦୀୟ ଅଞ୍ଚଳରୁ ମଧ୍ୟ ଏହା ଜରିଆରେ ତଥ୍ୟ ମିଳିପାରିବ। ଭାରତର ସୁରକ୍ଷା ଏବଂ ସାମୁଦ୍ରିକ ଅର୍ଥନୀତିକୁ ଏହା ମଜଭୁତ କରିବ ବୋଲି ଆଶା କରାଯାଉଛି। ସାମୁଦ୍ରିକ କ୍ଷେତ୍ରରେ ଆଗାମୀ ଦିନରେ ଦେଖାଦେବାକୁ ନୂଆ ଆହ୍ବାନର ମୁକାବିଲା କରିବାରେ ମଧ୍ୟ ଏହା ସହାୟକ ହେବ। 

ଉପଗ୍ରହରେ ଲିକ୍ବିଡ୍‌ ଆପୋଜି ମିଟର (ଏଲ୍‌ଏଏମ୍‌) ରହିଛି। ଏହି ମୋଟର ଜରିଆରେ ଉପଗ୍ରହର କକ୍ଷପଥକୁ ବ୍ୟବସ୍ଥିତ କରାଯିବ। ଏଲ୍‌ଏଏମ୍‌ ଇଞ୍ଜିନ୍‌ ଏକାଧିକ ଥର ନିର୍ଦ୍ଦିଷ୍ଟ ସମୟ ପାଇଁ ଚାଲିବା ବ୍ୟବସ୍ଥା କରାଯାଇଛି। ପୃଥିବୀର ଦୂରତମ ସ୍ଥାନ ଏବଂ ନିକଟତମ ସ୍ଥାନ ମଧ୍ୟରେ ଉପରତଳ ହେବା ପରେ ଶେଷରେ ଏକ ନିର୍ଦ୍ଧାରିତ ଜିଓଷ୍ଟେସନାରି ଅରବିଟ୍‌ରେ ଏହା ରହିବ। ଏହାପରେ ଉପଗ୍ରହକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଲାଗି ୪ରୁ ୫ ସପ୍ତାହ ସମୟ ଲାଗିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe