ଭାରତ ରୁଷ୍‌ରୁ ପ୍ରତିରକ୍ଷା ସାମଗ୍ରୀ କ୍ରୟ କମାଉ: ଆମେରିକା କଂଗ୍ରେସ ସଦସ୍ୟ

Advertisment
ଭାରତ ରୁଷ୍‌ରୁ ପ୍ରତିରକ୍ଷା ସାମଗ୍ରୀ କ୍ରୟ କମାଉ: ଆମେରିକା କଂଗ୍ରେସ ସଦସ୍ୟ

Hindustan Times

ୱାଶିଂଟନ: ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ ମଙ୍ଗଳବାର କହିଛନ୍ତି ଯେ, ପ୍ରତିରକ୍ଷା ସାମଗ୍ରୀ ନିମନ୍ତେ ରୁଷ୍ ଉପରେ ଅଧିକ ନିର୍ଭରଶୀଳ ରହିବା ଭାରତ ପାଇଁ ହିତକାରୀ ନୁହେଁ ବୋଲି ଆମେରିକା ନୂଆଦିଲ୍ଲୀକୁ ବୁଝାଇବାକୁ ଚେଷ୍ଟା କରୁଛି। ଭାରତ ବାସ୍ତବତାକୁ ହୃଦୟଙ୍ଗମ କରି ରୁଷିଆରୁ ସାମରିକ ଯନ୍ତ୍ରାଂଶ କ୍ରୟ କମାଇବା ଉଚିତ। ପ୍ରତିରକ୍ଷା ବଜେଟ ଉପରେ କଂଗ୍ରେସର ଆଲୋଚନା ସମୟରେ ହାଉସ୍ ଆର୍ମଡ ସର୍ଭିସେସ୍ କମିଟି ସଦସ୍ୟମାନଙ୍କୁ ଉଦ୍‌ବୋଧନ ଦେଇ ଲୟଡ କହିଲେ ଯେ, ରୁଷ୍‌ରୁ ଅସ୍ତ୍ରଶସ୍ତ୍ର କିଣା ଜାରି ରଖିବ‌ା ଭାରତର ସର୍ବୋତ୍ତମ ସ୍ବାର୍ଥର ଅନୁକୂଳ ନୁହେଁ। କଂଗ୍ରେସ ସଦସ୍ୟ ଜୋ ୱିଲ୍‌ସନ କହିଥିଲେ, ଦୁଃଖର ସହ କହିବାକୁ ପଡ଼ୁଛି ଯେ ଆମର ଗୁରୁତ୍ବପୂର୍ଣ୍ଣ ସହଯୋଗୀ ତଥା ବିଶ୍ବର ବୃହତ୍ତମ ଗଣତନ୍ତ୍ର ଭାରତ ଆମେରିକା ବଦଳରେ ରୁଷିଆରୁ ଅସ୍ତ୍ରଶସ୍ତ୍ର କିଣୁଛି। ତେଣୁ ଆମେ କ’ଣ କଲେ ବା କିଭଳି ରିହାତି ଆଦି ପ୍ରଦାନ କଲେ ଭାରତ ପୁଟିନଙ୍କୁ ଛାଡ଼ି ଆମଠାରୁ ଅସ୍ତ୍ରଶସ୍ତ୍ର କିଣିବ ଓ ପ୍ରାକୃତିକ ଗଣତାନ୍ତ୍ରିକ ମେଣ୍ଟ ସହଯୋଗୀ ଭାବେ ଆମ ସହ ରହିବ ବୋଲି ସେ ପ୍ରଶ୍ନ କରିଥିଲେ। ରୁଷିଆର ସାମରିକ ଯନ୍ତ୍ରାଂଶ ଉପରେ ଭାରତର ନିର୍ଭରଶୀଳତାକୁ ନେଇ ଆମେରିକା ଉଦ୍‌ବେଗ ପ୍ରକାଶ କରୁଥିବା ବେଳେ ଭାରତ କିନ୍ତୁ ରୁଷିଆଠାରୁ ଶସ୍ତା ଦରରେ ତେଲ କିଣିବା ଜାରି ରଖିବ ବୋଲି ସ୍ପଷ୍ଟ କରିଦେଇଛି। ସୋମବାର ହ୍ବାଇଟ୍‌ ହାଉସ୍ ପ୍ରେସ୍ ସଚିବ ଜେନ ସାକି କହିଥିଲେ ଯେ, ରୁଷିଆଠାରୁ ତୈଳ ଓ ଅନ୍ୟାନ୍ୟ ଜିନିଷର ଆମଦାନି ଭାରତ ସ୍ବାର୍ଥର ଅନୁକୂଳ ନୁହେଁ। ସୂଚନାଯୋଗ୍ୟ ଭାରତ ରୁଷିଆଠାରୁ ତୋପ, କମାଣ, କ୍ଷେପଣାସ୍ତ୍ର ବ୍ୟବସ୍ଥା ଆଦି ଅନେକ ପ୍ରକାର ଅସ୍ତ୍ରଶସ୍ତ୍ର କ୍ରୟ କରିଥାଏ। ନୂଆଦିଲ୍ଲୀ ମଧ୍ୟ ରୁଷିଆଠାରୁ ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମ୍ କ୍ରୟ କରିବାକୁ ଚୁକ୍ତି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe