Image Courtesy of India Today
ନୂଆଦିଲ୍ଲୀ: ୟୁକ୍ରେନ୍ର ବୁଚା ନଗରୀରେ ଘଟିଥିବା ସାଧାରଣ ନାଗରିକ ହତ୍ୟା ଘଟଣାକୁ ଭାରତ ତୀବ୍ର ନିନ୍ଦା କରେ ବୋଲି ଆଜି ଲୋକସଭାରେ ଆୟୋଜିତ ୟୁକ୍ରେନୀୟ ସଙ୍କଟ ସମ୍ବନ୍ଧୀୟ ବିତର୍କ ସମୟରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି।
ସେ କହିଛନ୍ତି, ବୁଚାରେ ସଂଗଠିତ ନରସଂହାରକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଏହି ଘଟଣାର ସ୍ବାଧୀନ ତଦନ୍ତ ନିମନ୍ତେ ଦିଆଯାଇଥିବା ଡାକରାକୁ ମଧ୍ୟ ଆମେ ସମର୍ଥନ କରୁଛୁ।
ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଆଲୋଚନା ହେବା କଥାକୁ ଭାରତ ପ୍ରୋତ୍ସାହିତ କରୁଛି ବୋଲି କହିବା ସହ ତୁରନ୍ତ ଯୁଦ୍ଧ ବିରତି କରାଯିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ଲାବ୍ରୋବ୍ଙ୍କୁ ଏକଥା ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଛି। ଏଥିପାଇଁ ଭାରତର ସହଯୋଗ ଲୋଡ଼ା ହେଲେ ଆମେ ତାହା ଆନନ୍ଦରେ ବିଚାର କରିବୁ।
Image Courtesy of Scroll.inପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦ୍ ବୈଠକରେ ମଧ୍ୟ ଭାରତ ୟୁକ୍ରେନ୍ର ବୁଚା ନଗରୀରେ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଥିବା ଘଟଣାକୁ ନିନ୍ଦା କରିବା ସହ ସ୍ବାଧୀନ ତଦନ୍ତକୁ ସମର୍ଥନ କରିଥିଲା।
ଉପରୋକ୍ତ ପ୍ରସଙ୍ଗରେ କହିବା ବେଳେ ଜାତିସଂଘ ସୁରକ୍ଷା ପରିଷଦ୍ରେ ଭାରତର ପ୍ରତିନିଧି ଟି.ଏସ୍. ତିରୁମୂର୍ତ୍ତି କହିଥିଲେ, ୟୁକ୍ରେନ୍ ପରିସ୍ଥିତିରେ ଉଲ୍ଲେଖନୀୟ ସୁଧାର ଘଟିନାହିଁ। ବୁଚାରେ ସାଧାରଣ ନାଗରିକମାନଙ୍କୁ ହତ୍ୟା କରାଯାଇଥିବା ରିପୋର୍ଟ ଅତ୍ୟନ୍ତ ଉଦ୍ବେଗଜନକ। ଆମେ ନିଃସନ୍ଦେହ ଏଭଳି ନରସଂହାରକୁ ନିନ୍ଦା କରିବା ସହ ସ୍ବାଧୀନ ତଦନ୍ତ ପାଇଁ ଦିଆଯାଇଥିବା ଆହ୍ବାନକୁ ସମର୍ଥନ କରୁଛୁ।
Follow Us