New Indian Express
ନୂଆଦିଲ୍ଲୀ : କରୋନା ଭାଇରସ୍ ସଂକ୍ରମଣ ପରିପ୍ରେକ୍ଷୀରେ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପୁଣି ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଭାରତୀୟ ନାଗରିକଙ୍କୁ ଚୀନ ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଚୀନ୍କୁ ଯାତ୍ରା କରିଥିବା ଲୋକମାନେ ସେମାନଙ୍କ ସ୍ବାସ୍ଥ୍ୟ ଭଲଭାବେ ପରୀକ୍ଷା କରିନେବା ଉଚିତ୍ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କୌଣସି ଶ୍ବାସକ୍ରିୟା ଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ କେନ୍ଦ୍ର ଦ୍ବାରା ଆରମ୍ଭ ହୋଇଥିବା ନୂଆ ହେଲ୍ଫଲାଇନ୍ ନମ୍ବରରେ ଫୋନ୍ କରି ଭଲଭାବେ ଅବଗତ ହୋଇପାରିବେ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସେହିପରି ଭାରତ ଏବେ ୨୧ଟି ବିମାନବନ୍ଦରରେ ଯାତ୍ରୀମାନଙ୍କର ଥର୍ମାଲ୍ ସ୍କ୍ରିନିଂ କରୁଛି। ଅନ୍ୟପକ୍ଷେ ଆୟୁଷ ମନ୍ତ୍ରାଳୟ ଦ୍ବାରା ଆଜି ଏକ ସ୍ବାସ୍ଥ୍ୟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କରୋନା ଭାଇରସ୍ ସଂକ୍ରମଣ ନିବାରଣ କରିବାରେ ହୋମିଓପାଥି ଏବଂ ୟୁନାନି ଔଷଧ ଫଳପ୍ରଦ ହୋଇପାରିବ ବୋଲି କୁହାଯାଇଛି। ଆୟୁଷ ମନ୍ତ୍ରାଳୟ ଅଧୀନରେ ଗତକାଲି ସିସିଆରଏଚ୍ ( ସେଣ୍ଟ୍ରାଲ କାଉନସିଲ୍ ଫର ରିସର୍ଚ୍ଚ ଇନ୍ ହୋମିଓପାଥି)ର ଏକ ବୈଜ୍ଞାନିକ ପରାମର୍ଶଦାତା ବୋର୍ଡ ଦ୍ବାରା କରୋନାଭାଇରସ୍ ନିରାକରଣ ସଂକ୍ରାନ୍ତ ଆଲୋଚନା ବୈଠକ ହୋଇଥିଲା। ଏହି ବୈଠକ ପରେ ଆୟୁଷ ମନ୍ତ୍ରାଳୟ ଦ୍ବାରା ନିର୍ଦ୍ଦେଶାବଳୀ ଜାରି କରି କୁହାଯାଇଛି ଯେ କରୋନା ଭାଇରସ୍ ନିରାକରଣ ଦିଗରେ ହୋମିଓପାଥି ଫଳପ୍ରଦ ହେବ। ସଂକ୍ରମଣ ରୋକିବାପାଇଁ ହୋମିଓପାଥି ଔଷଧ ‘ଆରସେନିକମ୍ ଆଲବମ୍ ୩୦’ କୁ ଖାଲିପେଟରେ ୩ ଦିନ ଧରି ସେବନ କରାଯାଇପାରିବ ବୋଲି ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।
Follow Us