ଭାରତ ସଂକ୍ରମଣର ଶୀର୍ଷ ଛୁଇଁ ସାରିଲାଣି, ମାର୍ଚ୍ଚ-ଏପ୍ରିଲ୍‌ରେ ଲକ୍‌ଡାଉନ୍‌ ହୋଇନଥିଲେ ୨୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାନ୍ତା

ଆସନ୍ତା ବର୍ଷ ପ୍ରାରମ୍ଭରେ ନିୟନ୍ତ୍ରଣକୁ ଆସିଯିବ

ଭାରତ ସଂକ୍ରମଣର ଶୀର୍ଷ ଛୁଇଁ ସାରିଲାଣି, ମାର୍ଚ୍ଚ-ଏପ୍ରିଲ୍‌ରେ ଲକ୍‌ଡାଉନ୍‌ ହୋଇନଥିଲେ ୨୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାନ୍ତା

କୋଭିଡ୍‌ ନୂଆଦିଲ୍ଲୀ: ଭାରତରେ କରୋନାଭୂତାଣୁର ସଂକ୍ରମଣ ଶୀର୍ଷ ଡେଇଁ ସାରିଲାଣି ଏବଂ ସତର୍କତାମୂଳକ ପଦକ୍ଷେପଗୁଡ଼ିକ ଠିକ୍‌ରେ ପାଳନ କରାଗଲେ ଆଗାମୀ ବର୍ଷ ପ୍ରାରମ୍ଭ ବେଳକୁ ମହାମାରୀ କୋଭିଡ୍‌ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଚାଲିଆସିବ ବୋଲି ଏକ ସରକାରୀ ବିଶେଷଜ୍ଞ ଦଳ ଦୃଢ଼ୋକ୍ତ ପ୍ରକାଶ କରିଛନ୍ତି। ତେବେ ଶୀତ ପଡ଼ିଲା ପରେ ଏବଂ ଆଗକୁ ପାର୍ବଣ ଋତୁର ଆଗମନ ପରେ ପରେ ଅନୁପାଳନ କରାଯାଉଥିବା ସତର୍କତାଗୁଡ଼ିକରେ ବ୍ୟତିକ୍ରମ ଦେଖାଦେଇପାରେ ଏବଂ ସେଥିଲାଗି ସଂକ୍ରମଣପ୍ରବଣତା ବଢ଼ିବା ସହ ପୁଣି ଥରେ ସଂକ୍ରମଣର ଭୟାବହତା ଆସିପାରେ ବୋଲି ସେମାନେ ଆଶଙ୍କା ପ୍ରକଟ କରିଛନ୍ତି। କୋଭିଡ୍‌-୧୯ର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ 'ଇଣ୍ଡିଆନ୍‌ ନାସନାଲ୍‌ ସୁପରମଡେଲ' ନାମରେ ଏକ ଗାଣିତିକ ମଡେଲ ବାହାର କରିବା ପାଇଁ ଆଇଆଇଟିର ବରିଷ୍ଠ ବୈଜ୍ଞାନିକ ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‌ଆର୍‌)ର ବିଶେଷଜ୍ଞମାନଙ୍କୁ ସାମିଲ କରି ସରକାର ଗଠନ କରିଥିବା ଏହି ବିଶେଷଜ୍ଞ କମିଟି ଏପରି ଭବିଷ୍ୟବାଣୀ କରିଛନ୍ତି।

ଏହି କମିଟି କରିଥିବା ଆକଳନ ଅନୁସାରେ, ବର୍ତ୍ତମାନ ସୁଦ୍ଧା ଦେଶରେ ମାତ୍ର ୩୦ ପ୍ରତିଶତ ଲୋକଙ୍କ ଠାରେ ରୋଗପ୍ରତିରୋଧକତା ବିକଶିତ ହୋଇଛି। ତେଣୁ ଦେଶବାସୀ କାଏମ୍‌ ରହିଥିବା ସୁରକ୍ଷାମୂଳକ ପଦକ୍ଷେପଗୁଡ଼ିକ ଉପରେ ଗୁରୁତ୍ବାରୋପ କରି କଟକଣାଗୁଡ଼ିକର ଅନୁପାଳନ କଲେ ଆଗାମୀ ଫେବ୍ରୁଆରି ସୁଦ୍ଧା ଦେଶ ସର୍ବନିମ୍ନ ସଂକ୍ରମଣ ଦେଖିବା ସହ ମହାମାରୀ କୋଭିଡ୍‌ ନିୟନ୍ତ୍ରିତ ହୋଇପାରିବ ବୋଲି ଏହି ବିଶେଷଜ୍ଞମାନେ ଭରସା ଦେଇଛନ୍ତି। ଅଦ୍ୟାବଧି ଦେଶରେ ମୋଟ ୭୫ ଲକ୍ଷ ସଂକ୍ରମିତ ହୋଇଥିବା ବେଳେ ମହାମାରୀର ଶେଷ ବେଳକୁ ତାହା କୋଟିଏ ୫ ଲକ୍ଷ ହୋଇଥିବ। ସେହିପରି ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ଲକ୍ଷେ ୧୪ ହଜାର ଥିବା ବେଳେ ଗତ ମାର୍ଚ୍ଚ ମାସରେ ଲକ୍‌ଡାଉନ୍‌ ଜାରି ହୋଇନଥିଲେ ମୃତକଙ୍କ ସଂଖ୍ୟା ୨୫ ଲକ୍ଷରୁ ଅଧିକ ହୋଇଥାନ୍ତା ବୋଲି ସେମାନଙ୍କ ଆକଳନ କହିଛି। ବଡ଼ ବଡ଼ ସମାବେଶ ଯୋଗୁଁ କରୋନାଭୂତାଣୁର ଦ୍ରୁତ ସଂକ୍ରମଣ ଘଟିଥିବା କଥା କେରଳରେ ପ୍ରମାଣିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe