ବିଶ୍ବରେ ପ୍ରବାସୀ ଭାରତୀୟ ସର୍ବାଧିକ: ଜାତିସଂଘ

Advertisment
ବିଶ୍ବରେ ପ୍ରବାସୀ ଭାରତୀୟ ସର୍ବାଧିକ: ଜାତିସଂଘ

ଜାତିସଂଘ: ବିଶ୍ବର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ପ୍ରବାସୀଙ୍କ ମଧ୍ୟରୁ ଭାରତୀୟମାନେ ହେଉଛନ୍ତି ସର୍ବାଧିକ ବୋଲି ଜାତିସଂଘର ଜନସଂଖ୍ୟା ବିଭାଗ ନିର୍ଦ୍ଦେଶକ ଜନ୍‌ ଵିଲମଥ୍‌ କହିଛନ୍ତି। ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପ୍ରସଙ୍ଗ ବିଭାଗ ଠାରେ ଶୁକ୍ରବାର ଏଭଳି ଆନ୍ତର୍ଜାତିକ ଦେଶାନ୍ତର ରିପୋର୍ଟ -୨୦୨୦ ଉପସ୍ଥାପନ କରି ଵିଲମଥ୍‌ ଆହୁରି କହିଛନ୍ତି ଯେ ଏଭଳି ପ୍ରବାସୀଙ୍କୁ ଆଶ୍ରୟ ଦେବାରେ ଆମେରିକା ଶୀର୍ଷରେ ରହିଛି ଯେଉଁଠି ୫ କୋଟି ୧୦ ଲକ୍ଷ ବା ବିଶ୍ବର ସମୁଦାୟ ପ୍ରବାସୀଙ୍କ ୧୮ ପ୍ରତିଶତ ବସବାସ କରୁଛନ୍ତି। ସେହିପରି ୨୦୦୦ ମସିହାରୁ ୨୦୨୦ ଭିତରେ ପ୍ରାୟ ସବୁ ଦେଶର ପ୍ରବାସୀଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ବଢ଼ିଛି ଏବଂ ଏହି ଅବଧି ଭିତରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ଏକ କୋଟି ବୃଦ୍ଧି ପାଇଛି।

ଏହି ପ୍ରବାସୀ ସଂଖ୍ୟା ଦୃଷ୍ଟିରୁ ୨୦୦୦ରେ ଭାରତ ତୃତୀୟରେ ଥିବା ବେଳେ ଏବେ ଶୀର୍ଷ ସ୍ଥାନ ଦଖଲ କରିଛି। ତେବେ ଭାରତୀୟମାନେ ଏଭଳି ବିଭିନ୍ନ ସ୍ଥାନରେ ଛାଇ ରହିଥିବା ସମ୍ପର୍କରେ ଜାତିସଂଘର ଜନସଂଖ୍ୟା ପ୍ରସଙ୍ଗ ଅଧିକାରୀ କ୍ଲେୟାର ମିନୋଜି କହିଛନ୍ତି ଯେ ସେମାନେ ହେଉଛନ୍ତି ବିଶ୍ବର ଅନ୍ୟତମ ସବୁଠୁ ସକ୍ରିୟ ତଥା ଗତିଶୀଳ ଗୋଷ୍ଠୀ ଏବଂ ସେମାନଙ୍କ ଭିତରେ ବିଭିନ୍ନତା ରହିଛି। ଭାରତୀୟ ପ୍ରବାସୀଙ୍କ ମଧ୍ୟରେ ଅଧିକାଂଶ କର୍ମଜୀବୀ ଏବଂ ଛାତ୍ର ରହିଛନ୍ତି। ସେମାନଙ୍କର ସଫଳ କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ସେ କହିଛନ୍ତି। ସେହିପରି ଉପସାଗରୀୟ ଦେଶମାନଙ୍କରେ ବସବାସ କରୁଥିବା ପ୍ରବାସୀ ଭାରତୀୟମାନେ ସେଠାକାର ଆର୍ଥିକ ପ୍ରଗତିରେ ଯଥେଷ୍ଟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଛନ୍ତି। ଉତ୍ତର ଆମେରିକା, କାନାଡ଼ା, ୟୁକେ ଓ ଅଷ୍ଟ୍ରେଲିଆ ଆଦି ଦେଶମାନଙ୍କରେ ମଧ୍ୟ ଭାରତୀୟମାନେ ଅନୁରୂପ ଭାବେ ନିଜର କରିସ୍ମା ଦେଖାଉଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe