ବର୍ଷକରେ ଭାରତ ଆଣିଛି ୪୫,୩୦୮ ଟନ୍‌ ଜୈବଭେଷଜ ବର୍ଜ୍ୟ

ବର୍ଷକରେ ଭାରତ ଆଣିଛି ୪୫,୩୦୮ ଟନ୍‌ ଜୈବଭେଷଜ ବର୍ଜ୍ୟ

ନୂଆଦିଲ୍ଲୀ: ଆଜି ବିଶ୍ବ ପରିବେଶ ଦିବସ ପାଳିତ ହୋଇଥିବା ବେଳେ ପରିବେଶର ସୁରକ୍ଷା ପାଇଁ ସେଭଳି ଆନ୍ତରିକ ଉଦ୍ୟମ ନ ହେବ ଚିନ୍ତାର ବିଷୟ ହୋଇଛି। ବିଶ୍ବର ସାର୍ବଜନୀନ ପରିବେଶଗତ ସ୍ବାସ୍ଥ୍ୟ ପ୍ରତି ଜୈବଭେଷଜ ବର୍ଜ୍ୟଗୁଡ଼ିକ ବିପଦ ସୃଷ୍ଟି କରିଚାଲିଥିବା କଥା ସମସ୍ତଙ୍କୁ ଜଣା। ଏଥି ସହିତ ବିଶେଷ କରି ମହାମାରୀ କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଦିନକୁ ଦିନ ପ୍ଲାଷ୍ଟିକ୍‌ର ବ୍ୟବହାର ବଢ଼ିଚାଲିଥିବା ବେଳେ ଏହାର ସାଂଘାତିକ କରାଳ ଛାପ ପୃଥିବୀର ପରିବେଶକୁ ଆହୁରି ସଂକଟମୟ କରିଦେବ ବୋଲି ଆଶଙ୍କା ଦେଖାଯାଇଛି। ଭାରତର କେନ୍ଦ୍ରୀୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ(ସିପିସିବି) ଦ୍ବାରା କରାଯାଇଥିବା ଆକଳନ ଅନୁସାରେ, କୋଭିଡ୍‌-୧୯ ପୀଡ଼ିତମାନଙ୍କର ରୋଗ ନିରୂପଣ ଓ ଚିକିତ୍ସା ବାବଦରେ ପ୍ରତ୍ୟହ ୧୪୬ ଟନ୍‌ ଜୈବଭେଷଜ ବର୍ଜ୍ୟବସ୍ତୁ ଉତ୍ପନ୍ନ ହେଉଥିବା ଜଣାଯାଇଛି। ଏପରି ଭାବେ ଗତ ୨୦୨୦ ଜୁନ୍‌ରୁ ୨୦୨୧ ମେ ୧୦ ଯାଏ ଏଇ ବର୍ଷକ ଭିତରେ ଦେଶରେ ୪୫,୩୦୮ ଟନ୍‌ ଜୈବଭେଷଜ ବର୍ଜ୍ୟ ସୃଷ୍ଟି ହୋଇଛି।

ଦେଶରେ କୋଭିଡ୍‌ର ଆବିର୍ଭାବ ପୂର୍ବରୁ ଦୈନିକ ୬୧୫ ଟନ୍‌ ଜୈବଭେଷଜ ବର୍ଜ୍ୟ ବାହାରୁଥିବା ବେଳେ ଏଥିରେ ଯୋଗହୋଇଥିବା ପ୍ରାୟ ୨୪ ପ୍ରତିଶତର ଏହି ଅତିରିକ୍ତ ପରିମାଣ ପରିବେଶକୁ ଆହୁରି ଅଧିକ ପ୍ରଦୂଷିତ କରିପକାଉଥିବା ସ୍ପଷ୍ଟ ହୋଇଛି। ପ୍ରତ୍ୟହ ଉତ୍ପନ୍ନ ହେଉଥିବା ବର୍ଜ୍ୟରେ ସ୍ବାଭାବିକ ଭାବେ ଘଟୁଥିବା ସଦ୍ୟ ଯୋଡ଼ି ହୋଇଥିବା ମାସ୍କ, ପିପିଇ କିଟ୍‌, ସିରିଞ୍ଜ୍‌, ଗ୍ଳୋଭ୍‌ସ ପରି ଜୈବଭେଷଜ ବର୍ଜ୍ୟଗୁଡ଼ିକ ଆମ ଜୈବପ୍ରଣାଳୀରେ ଅଧିକ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି। ଅପରପକ୍ଷେ, ଏହି ଜୈବଭେଷଜ ବର୍ଜ୍ୟ ବ୍ୟତୀତ ଲୋକେ ଏହି ମହାମାରୀ ବେଳେ ନିଜ ଦୁଆର ମୁହଁରେ ଯୋଗାଣ ସେବା(ହୋମ୍‌ ଡେଲିଭରି ସିଷ୍ଟମ୍‌) ମାଧ୍ୟମରେ ପାଉଥିବା ସାମଗ୍ରୀଗୁଡ଼ିକର ପ୍ୟାକିଂ ଆଦିରେ ମଧ୍ୟ ଅନେକ ପ୍ଲାଷ୍ଟିକ୍‌ ବର୍ଜ୍ୟ ବାହାରୁଛି। ତେଣୁ ସର୍ବତ୍ର ବିକ୍ଷିପ୍ତ ଭାବେ ପଡ଼ିରହିଥିବା ଏହି ବର୍ଜ୍ୟବସ୍ତୁଗୁଡ଼ିକର କିପରି ସୁପରିଚାଳନା ହେବ ସେ ଦିଗରେ ପ୍ରତ୍ୟେକ ନାଗରିକ ସଚେତନ ହୋଇ ପରିବେଶ ସୁରକ୍ଷା ପାଇଁ ସମୟୋଚିତ ପଦକ୍ଷେପ ଗ୍ରହଣ ହେଲେ ହିଁ ପରିବେଶ ଦିବସ ପାଳନର ମହତ୍ବ ରହିବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe