ଭାରତ ଗଣତନ୍ତ୍ରର ମୃତ୍ୟୁ ଦେଖୁଛି : ରାହୁଲ

କଡ଼ା ଜବାବ ଦେଲା ବିଜେପି, ନିଜ ଦୁର୍ନୀତି ଲୁଚାଇବା ପାଇଁ ଗଣତନ୍ତ୍ରକୁ ଅପମାନିତ କରନାହିଁ

ଭାରତ ଗଣତନ୍ତ୍ରର ମୃତ୍ୟୁ ଦେଖୁଛି : ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ପକ୍ଷରୁ ଶୁକ୍ରବାର ଦିନ ଦରବୃଦ୍ଧିକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ପରିପ୍ରେକ୍ଷୀରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ରାହୁଲ ବିଜେପି ଏବଂ ମୋଦୀ ସରକାର ବିରୋଧରେ ପ୍ରବଳ ବର୍ଷିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ଭାରତରେ ଆଉ ଗଣତନ୍ତ୍ର ନାହିଁ ଏବଂ ଭାରତ ଗଣତନ୍ତ୍ରର ମୃତ୍ୟୁ ଦେଖୁଛି ସରକାରଙ୍କର ଏକମାତ୍ର ଏଜେଣ୍ଡା ହେଉଛି ସରକାର ବିରୋଧୀ ସ୍ବରକୁ ଚାପିଦେବା। ରାହୁଲ କହିଛନ୍ତି, ଯିଏ ବି ଏକଛତ୍ରବାଦୀ ଶାସନ ବିରୋଧରେ ପାଟି ଖୋଲୁଛନ୍ତି ତାଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ ହେଉଛି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେଲ୍‌ରେ ଭର୍ତ୍ତି କରାଯାଉଛି ଏବଂ ମାଡ଼ ମରାଯାଉଛି। ସରକାର କେବଳ ୪-୫ ଜଣ ଲୋକଙ୍କ ସ୍ବାର୍ଥ ସାଧନ ପାଇଁ ପରିଚାଳିତ ହେଉଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି।

ଇତିମଧ୍ୟରେ ବିଜେପି ରାହୁଲଙ୍କୁ କଡ଼ା ଜବାବ ଦେଇଛି। ନେସନାଲ ହେରାଲଡ ମାମଲାରେ ଇଡି ତଦନ୍ତ ଏବଂ ନିର୍ବାଚନରେ ବାରମ୍ବାର କଂଗ୍ରେସର ପରାଜୟ ପାଇଁ ରାହୁଲ ଭାରତୀୟ ଗଣତନ୍ତ୍ରକୁ ଦାୟୀ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ରାହୁଲଙ୍କ ସାମ୍ବାଦିକ ସମ୍ମିଳନୀ ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି, କଂଗ୍ରେସ ନେତା ଅତି ଲଜ୍ଜାଜନକ ଏବଂ ଦାୟିତ୍ବହୀନ ଟିପ୍ପଣୀ ଦେଇଛନ୍ତି। ରବି ଶଙ୍କର କହିଛନ୍ତି, ରାହୁଲଙ୍କ ଜେଜେ ମା’ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ନିଲମ୍ବନ କରିଥ‌ିଲେ। ରାହୁଲଙ୍କୁ ସମାଲୋଚନା କରି ପ୍ରସାଦ କହିଛନ୍ତି, ନିଜର ଦୁର୍ନୀତି ଲୁଚାଇବାପାଇଁ ଭାରତର ସଂସ୍ଥାଗୁଡ଼ିକୁ ଏଭଳି ଅପମାନିତ କରିବା ବନ୍ଦ କର। ଯଦି ଲୋକମାନେ ଏକଛତ୍ରବାଦୀ ଶାସନ ଦେଖିଥିଲେ ତେବେ ତାହା ଏମର୍ଜେନ୍ସି ସମୟରେ ହିଁ ହୋଇଥିଲା ବୋଲି ପ୍ରସାଦ କହିଛନ୍ତି।

କଳା ପୋଷାକ ପିନ୍ଧିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ : କଂଗ୍ରେସର ସମସ୍ତ ପ୍ରମୁଖ ନେତା ଆଜି ଦରବୃଦ୍ଧି ବିରୋଧରେ ଆନ୍ଦୋଳନ ବେଳେ କଳା ପୋଷାକ ପିନ୍ଧିବା ଚର୍ଚ୍ଚାରେ ରହିଛି। ରାସ୍ତାରେ ଓ ସଂସଦ ପରିସରରେ କଳା ପୋଷାକ ପିନ୍ଧି କଂଗ୍ରେସ ନେତାମାନେ ଆନ୍ଦୋଳନରେ ସାମିଲ ହୋଇଥିବା ଦେଖାଯାଇଥିଲା। ରାଜ୍ୟସଭାରେ ବିରୋଧୀ ଦଳ ନେତା ଖଡ଼ଗେ ଏକ କଳା ରଙ୍ଗର କୁର୍ତ୍ତା ଏବଂ କଳା ପଗଡ଼ି ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଦେଶର ଅନ୍ୟ ଅଂଚଳରେ ବି କଂଗ୍ରେସ କର୍ମୀ କଳା ପୋଷାକ ପିନ୍ଧି ଆନ୍ଦୋଳନରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe