ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ଥିବା ଭାରତୀୟ ବାୟୁସେନା ଅଧିକାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରିଛନ୍ତି। ଏହି କଥାବାର୍ତ୍ତା କେବଳ ଭାରତର ମହାକାଶ ଇତିହାସରେ ଏକ ନୂତନ ଅଧ୍ୟାୟ ନୁହେଁ, ବରଂ ଏହା ଭାରତର ବୈଜ୍ଞାନିକ କ୍ଷମତା ତଥା ବିଶ୍ୱ ମହାକାଶ ଗବେଷଣାରେ ଭାରତର ଅଂଶଗ୍ରହଣର ଏକ ପ୍ରତୀକ ପାଲଟିଛି।

Advertisment

ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କଲ୍ ମାଧ୍ୟମରେ ଶୁଭାଂଶୁ ଶୁକ୍ଳାଙ୍କ ସହ କଥାବାର୍ତ୍ତା କରିବା ସମୟରେ ତାଙ୍କ ସାହସ ଏବଂ ଅବଦାନକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ  ସୋସିଆଲ ସାଇଟ୍ ଏକ୍ସ ରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। କଥାବାର୍ତ୍ତା ସମୟରେ ଶୁଭାଂଶୁ କହିଛନ୍ତି ଯେ, ମହାକାଶରୁ ଭାରତ ଭବ୍ୟ ଦେଖାଯାଉଛି। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାଜର ହାଲୱା ଏବଂ ଆମ୍ବ ରସ ମହାକାଶକୁ ନେବା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।

ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଅନ୍ୟ ତିନି ଜଣ ମହାକାଶଚାରୀଙ୍କ ସହିତ ଜୁନ୍ ୨୫ତାରିଖରେ ସ୍ପେସ୍‌ଏକ୍ସର ଡ୍ରାଗନ୍ କ୍ୟାପସୁଲ୍‌ରେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଆଇଏସଏସ୍ ଅଭିମୁଖେ ଯାତ୍ରା କରିଥିଲେ। ଏହି ମିସନ୍ ଆକ୍ସିଅମ୍-୪ର ଏକ ଅଂଶ।

ରାକେଶ ଶର୍ମାଙ୍କ ପରେ, ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ୪୧ ବର୍ଷ ପରେ ମହାକାଶକୁ ଯାଇଥିବା ପ୍ରଥମ ଭାରତୀୟ ମହାକାଶଚାରୀ ହୋଇଥିଲେ, ଯାହା ଦେଶ ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ ପ୍ରମାଣିତ ହୋଇଥିଲା।

ଆକ୍ସିଅମ୍-୪ର ସଫଳ ଉତକ୍ଷେପଣ ପରେ, ପ୍ରଧାନମନ୍ତ୍ରୀ ମୋଦୀ ମିସନ ପାଇଲଟ୍ ଶୁକ୍ଳା ଏବଂ ଅନ୍ୟାନ୍ୟ କ୍ରୁ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସେମାନଙ୍କର ସଫଳତା କାମନା କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶୁକ୍ଲା, ପ୍ରଥମ ଭାରତୀୟ ମହାକାଶଚାରୀ ଭାବରେ ଆଇଏସଏସ ପରିଦର୍ଶନ କରିବାକୁ ଯାଉଛନ୍ତି। ସେ ତାଙ୍କ ସହିତ  ୧୪୦ କୋଟି ଭାରତୀୟଙ୍କ ଇଚ୍ଛା, ଆଶା ଏବଂ ଆକାଂକ୍ଷା ନେଇ ଯାଇଛନ୍ତି।

ଅଧିକ ପଢ଼ନ୍ତୁ: ୨୦୪୭ ସୁଦ୍ଧା ଦେଶରେ ଇସଲାମିକ୍ ଶାସନ ଆଣିବାକୁ ଷଡ଼ଯନ୍ତ୍ର କରିଥିଲା ପିଏଫଆଇ: ଶ୍ରୀନିବାସନ ହତ୍ୟା ମାମଲାରେ ଏନଆଇଏର ପର୍ଦ୍ଦାଫାସ୍

ଆକ୍ସିଅମ୍-୪ ମିସନର ଡ୍ରାଗନ୍ ମହାକାଶଯାନ ଗୁରୁବାର ଦିନ ସଫଳତାର ସହ ଡକିଂ ସମାପ୍ତ କରିଛି, ଯାହା ଦ୍ୱାରା ଏହାର କ୍ରୁଙ୍କ ମହାକାଶ ଷ୍ଟେସନରେ ଦୁଇ ସପ୍ତାହ ରହଣି ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି। ସେମାନଙ୍କ ରହଣି ସମୟରେ, ମିସନ ଦଳ ଏକ ମାଇକ୍ରୋଗ୍ରାଭିଟି ପରିବେଶରେ ବୈଜ୍ଞାନିକ ପରୀକ୍ଷଣ, ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ ଏବଂ ଶିକ୍ଷା ପ୍ରସାର କାର୍ଯ୍ୟକଳାପ କରିବେ।

ଶୁଭାଂଶୁ ଶୁକ୍ଳା ଆଇଏସଏସରେ ମିସନ ଦଳ ଦ୍ୱାରା କରାଯିବାକୁ ଥିବା ୬୦ଟି ପରୀକ୍ଷଣ ମଧ୍ୟରୁ ସାତଟି ପରୀକ୍ଷଣର ନେତୃତ୍ୱ ନେବେ। ଆକ୍ସିଅମ୍-୪ ମିସନ ନାସା ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମଧ୍ୟରେ ଏକ ସଫଳ ସହଯୋଗକୁ ନିଶ୍ଚିତ କରିଛି। ଏହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଥମ ଭାରତୀୟ ମହାକାଶଚାରୀଙ୍କୁ ମହାକାଶ ଷ୍ଟେସନକୁ ପଠାଇବା ପାଇଁ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିଛି।

ଅଧିକ ପଢ଼ନ୍ତୁ: ରାଇରଙ୍ଗପୁର ରଥଯାତ୍ରା: ଦ୍ବିତୀୟ ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

 pm-narendra-modi | group-captain-shubhanshu-shukla