The Statesman
ଚଣ୍ଡୀଗଡ଼ : ଫେବ୍ରୁଆରି ୨୪-୨୫ ମଧ୍ୟରାତ୍ରରୁ ଜମ୍ମୁ କାଶ୍ମୀରର ନିୟନ୍ତ୍ରଣ ରେଖା ଏବଂ ଅନ୍ୟାନ୍ୟ ଇଲାକାରେ ସୀମାପାର ଗୁଳିଚାଳନା ବନ୍ଦ ରଖିବାକୁ ଉଭୟ ଭାରତ ଓ ପାକିସ୍ତାନ ସେନା ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ସେହିପରି ଉଭୟ ଦେଶର ମହାନିର୍ଦ୍ଦେଶକ(ସାମରିକ କାର୍ଯ୍ୟାନୁଷ୍ଠାନ)ଙ୍କ ଦ୍ବାରା ଘୋଷିତ ମିଳିତ ବିବୃତି ଅନୁସାରେ ଉଭୟ ପକ୍ଷ ଭିତରେ ନିୟମିତ ବୋର୍ଡର ଫ୍ଲାଗ୍ ବୈଠକ ମାଧ୍ୟମରେ କୌଣସି ପ୍ରକାରର ଭୁଲ ବୁଝାମଣା ଓ ଅପ୍ରତ୍ୟାଶିତ ଅପ୍ରୀତିକର ଘଟଣାର ସମାଧାନ କରାଯିବ।
ସେଥିପାଇଁ ଉଭୟ କର୍ତ୍ତୃପକ୍ଷ ମଧ୍ୟ ସିଧାସଳଖ(ହଟ୍ଲାଇନ୍) ଫୋନ୍ ସଂଯୋଗରେ ରହିଛନ୍ତି ବୋଲି କହିଛନ୍ତି। ନିୟନ୍ତ୍ରଣ ରେଖା ସମେତ ଅନ୍ୟାନ୍ୟ ଇଲାକାର ସ୍ଥିତି ସମ୍ପର୍କରେ ଉଭୟ ଅଧିକାରୀ ଖୋଲାଖୋଲି ଭାବେ ଏକ ମୁକ୍ତ ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଆଲୋଚନା କରିଥିଲେ। ତେବେ ସୀମାରେ ପାରସ୍ପରିକ ହିତ ତଥା ଶାନ୍ତି ବଜାୟ ରହିବା ପାଇଁ ଉଭୟ ପକ୍ଷ ସେଠାରେ ଶାନ୍ତି ଭଙ୍ଗ କରୁଥିବା ତଥା ହିଂସା ଆହ୍ବାନ କରୁଥିବା ପରସ୍ପରର ପ୍ରମୁଖ ସଂକଟଗୁଡ଼ିକ ଉପରେ ଅବଗତ କରିବା ପାଇଁ ରାଜି ହୋଇଛନ୍ତି।
Follow Us