ନୂଆଦିଲ୍ଲୀ: ଓ୍ୱାଘା- ଅଟ୍ଟାରି ସୀମାରେ ଭାରତ ଓ ପାକିସ୍ଥାନ ମଧ୍ୟରେ କିଏ ସବୁଠାରୁ ଉଚ୍ଚା ପତାକା ଲଗାଇବା ତା’ପାଇଁ ପୁଣି ଥରେ ପ୍ରତିଦ୍ବନ୍ଦ୍ବିତା ଜୋର ଧରିଛି। ସଂପ୍ରତି ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ପାକିସ୍ତାନ ଏକ ବିରାଟ ଜାତୀୟ ପତାକା ଲଗାଇବା ପରେ ଏବେ ଭାରତ ଏହାଠାରୁ ବଡ ପତାକା ଲଗାଇବାକୁ ଯାଉଛି। ଭାରତର ତ୍ରିରଙ୍ଗା ୪୧୮ ଫୁଟ ଉଚ୍ଚତା ବିଶିଷ୍ଟ ଖୁଣ୍ଟରେ ଉଡ଼ିବ ଯାହା ସାମ୍ନାରେ ପାକିସ୍ତାନୀ ପତାକା ଛୋଟ ଦେଖାଯିବ। କେବଳ ଏତିକି ନୁହେଁ, ଭାରତର ଏହି ପତାକା ଉଭୟ ଦେଶରେ ଦୂରରୁ ମଧ୍ୟ ଦେଖାଯିବ। ଏହାପୂର୍ବରୁ ୨୦୧୭ ମସିହାରେ ପାକିସ୍ତାନ ୪୦୦ ଫୁଟ ଉଚ୍ଚତାରେ ପତାକା ଉତ୍ତୋଳନ କରି ଭାରତକୁ ପଛରେ ପକାଇଥିଲା।
ୱାଘା କମ୍ବାଇଣ୍ଡ୍ ଚେକ୍ ପୋଷ୍ଟ ଷ୍ଟାଡିୟମ ସାମ୍ନାରେ ଏହି ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯିବ। ଏହାପୂର୍ବରୁ ମାର୍ଚ୍ଚ ୨୦୧୭ରେ ଭାରତ ୩୬୦ ଫୁଟ ଉଚ୍ଚ ପତାକା ଉତ୍ତୋଳନ କରିଥିଲା। ଏହାର ଜବାବରେ ପାକିସ୍ତାନ ଏହାର ୭୦ତମ ସ୍ୱାଧୀନତା ଦିବସରେ ୪୦୦ ଫୁଟ ଉଚ୍ଚ ପତାକା ଲଗାଇଥିଲା। ଏହା ପରେ ଭାରତ ପୁଣି ଥରେ ପାକିସ୍ତାନକୁ ଉପଯୁକ୍ତ ଉତ୍ତର ଦେବାକୁ ଯାଉଛି ଏବଂ ୪୧୮ ଫୁଟ ଉଚ୍ଚ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବ।
/sambad/media/post_attachments/wp-content/uploads/2018/05/683693-waghaborder5.jpg)
ପାକିସ୍ତାନର ଏହି ପତାକା ସମଗ୍ର ଦକ୍ଷିଣ ଏସିଆର ସବୁଠାରୁ ଉଚ୍ଚ ଥିଲା ଏବଂ ଏହାକୁ ପୃଥିବୀର ଅଷ୍ଟମ ଉଚ୍ଚତମ ପତାକା ଭାବରେ ବିବେଚନା କରାଯାଉଥିଲା। ଦେଶର ତତ୍କାଳୀନ ସେନାମୁଖ୍ୟ ଜେନେରାଲ କମର ଜାଭେଦ୍ ବାଜୱାଙ୍କ ଦ୍ୱାରା ଏହି ପାକିସ୍ତାନୀ ପତାକା ଉତ୍ତୋଳନ କରାଯାଇଥିଲା। ଏବେ ଭାରତର ତ୍ରିରଙ୍ଗା ପତାକା ପାକିସ୍ତାନୀ ପତାକାକୁ ପଛରେ ପକାଇବାକୁ ଯାଉଛି।
ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ବର୍ତ୍ତମାନ ପାକିସ୍ତାନ ମଧ୍ୟ ଭାରତଠାରୁ ଅଧିକ ଉଚ୍ଚ ପତାକା ଉତ୍ତୋଳନ କରିବାକୁ ଚିନ୍ତା କରୁଛି, ଯାହା ଦ୍ୱାରା ଭାରତ ପଛରେ ରହିବ। ପାକିସ୍ତାନ ଦାରିଦ୍ର୍ୟ ସହ ସଂଘର୍ଷ କରୁଛି ଏବଂ ଋଣ ପାଇ ପାରୁନାହିଁ। କିନ୍ତୁ ପତାକା ଉତ୍ତୋଳନ ପ୍ରକ୍ରିୟାରେ କୋଟି କୋଟି ଟଙ୍କା ନଷ୍ଟ କରୁଛି। ବାସ୍ତବରେ ପାକିସ୍ତାନ ଏତେ ଉଚ୍ଚ ପତାକା ଲଗାଇ ଭାରତୀୟ ଅଞ୍ଚଳରେ ଗୁପ୍ତଚରଗିରି କରିଥାଏ। ଅନ୍ୟପକ୍ଷରେ ପାକିସ୍ତାନ ଅଭିଯୋଗ କରିଛି ଯେ ଭାରତ ନିଜ ସୁଉଚ୍ଚ ତ୍ରିରଙ୍ଗା ଦ୍ୱାରା ଗୁପ୍ତଚରଗିରି କରୁଛି। ପାକିସ୍ତାନ ବର୍ତ୍ତମାନ ଘୋର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି ଏବଂ ସୀମାରେ ପତାକା ଉତ୍ତୋଳନ ସମାରୋହରେ ଦର୍ଶକ ମଧ୍ୟ ଆସୁନାହାନ୍ତି। ଅନ୍ୟପକ୍ଷରେ ଭାରତର ହଜାର ହଜାର ଲୋକ ପ୍ରତିଦିନ ପତାକା ଉତ୍ତୋଳନ ସମାରୋହ ଦେଖିବାକୁ ଓ୍ୱାଘା- ଅଟ୍ଟାରି ସୀମାରେ ପହଞ୍ଚୁଛନ୍ତି।
Follow Us