ବିଶ୍ୱକପ୍‌ରେ ଆଜି ଭାରତ-ପାକିସ୍ତାନ ମହାମୁକାବିଲା

Advertisment

ସବୁଠି ପ୍ରବଳ ଉତ୍ସାହ, ୧୬୦ କୋଟି ଲୋକଙ୍କ ହୃତ୍‌କମ୍ପ

ସବୁଠି ପ୍ରବଳ ଉତ୍ସାହ, ୧୬୦ କୋଟି ଲୋକଙ୍କ ହୃତ୍‌କମ୍ପ

ବିଶ୍ୱକପ୍‌ରେ ଆଜି ଭାରତ-ପାକିସ୍ତାନ ମହାମୁକାବିଲା

ଦୁବାଇ : ଯେଉଁ ମହାଲଢ଼େଇକୁ ସମଗ୍ର କ୍ରିକେଟ୍ ଜଗତ ଚାହିଁ ରହିଥିଲା ତାହା ରବିବାର ଆରମ୍ଭ ହେବାକୁ ଯାଉଛି। ଆ‌ଉ ମାତ୍ର କିଛି ଘଣ୍ଟା ପରେ ଦୁବାଇରେ ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଏଥିଲାଗି ଦୁଇ ଦଳପୂରା ପ୍ରସ୍ତୁତ। ନିଜ ନିଜର ରଣନୀତିକୁ ପ୍ରକାଶ କରି ନଥିଲେ ମଧ୍ୟ ଉଭୟ ଦଳର ଅଧିନାୟକ ଦିନକ ପୂର୍ବରୁ ହିଁ ପରସ୍ପର ଉପରେ ମନସ୍ତାତ୍ବିକ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ଏବେ ଅପେକ୍ଷା କେବଳ ରବିବାର ରାତି ସାଢ଼େ ୭ଟାକୁ। ବଲ୍‌ ପଡ଼ିବା କ୍ଷଣି ହିଁ ଭାରତ ଓ ପାକିସ୍ତାନର ୧୬୦ କୋଟିରୁ ଅଧିକ କ୍ରିକେଟ୍‌ପ୍ରେମୀଙ୍କ ହୃତ୍‌ସ୍ପନ୍ଦନ ବଢ଼ିଚାଲିବ। ଫାଇନାଲ୍ ପୂର୍ବର ଫାଇନାଲ୍ କୁହାଯାଉଥିବା ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କ ଏହି କ୍ରିକେଟ୍ ଯୁଦ୍ଧ ବି କେବଳ ଖେଳାଳି କିମ୍ବା ପଡ଼ିଆ ଭିତରେ ସୀମିତ ରହିବନି, ବରଂ ଷ୍ଟାଡିୟମ୍ ଭିତରେ ଓ ବାହାରେ ଥିବା ଏହି ପ୍ରଶଂସକ ଓ ସମର୍ଥକମାନେ ଏକ ଅଘୋଷିତ ମହାଯୁଦ୍ଧରେ ମାତିଯିବେ।

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସବୁଠାରୁ ବଡ଼ ମ୍ୟାଚ୍‌ର ମାନ୍ୟତା ଲାଭ କରିଥିବା ଏହି ମହାମୁକାବିଲାକୁ ନେଇ ଉଭୟ ଭାରତ ଓ ପାକିସ୍ତାନର ସହର ବଜାରଠାରୁ ଗଳି କନ୍ଦି ପର୍ଯ୍ୟନ୍ତ ସବୁଠି ପରିଲକ୍ଷିତ ହେଉଛି ପ୍ରବଳ ଉତ୍ସାହ। ଟେଲିଭିଜନ୍ ଷ୍ଟୁଡିଓଠାରୁ ସାମାଜିକ ଗଣମାଧ୍ୟମ ପର୍ଯ୍ୟନ୍ତ ଚାରିଆଡ଼େ ଏବେ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ଟ୍ରେଣ୍ଡ କରୁଛି। କୁନି ପିଲାଙ୍କଠାରୁ ଆରମ୍ଭ କରି କ୍ରିକେଟ୍ ପଣ୍ଡିତଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ମ୍ୟାଚ୍‌କୁ ନେଇ ଯେମିତି ଏକପ୍ରକାର ଭବିଷ୍ୟବକ୍ତା ପାଲଟିଯାଇଛନ୍ତି।

publive-image

ତେବେ ଅତୀତର ପରିସଂଖ୍ୟାନ ଓ ପ୍ରଦର୍ଶନକୁ‌ ଦେଖିଲେ ଅସ୍ଥିର ପ୍ରଦର୍ଶନ ପାଇଁ ପରିଚିତ ପାକିସ୍ତାନଠାରୁ ଭାରତ ଢେର ଆଗରେ ରହିଛି। କୋହଲି ବାହିନୀ ବିଶ୍ବକପ୍‌ରେ ପୁଣି ଥରେ ପାକିସ୍ତାନକୁ ମଜାଚଖାଇ ସମଗ୍ର ଭାରତବର୍ଷକୁ ଦୀପାବଳି ଉପହାର ଦେବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତକୁ କେବେବି ହରାଇ ପାରି ନଥିବା ପାକିସ୍ତାନ ଏଥର ନୂଆ ଇତିହାସ ରଚିବା ଆଶାରେ ଅଛି। ଭାରତ ଓ ପାକିସ୍ତାନ ଫଟାଫଟ୍ କ୍ରିକେଟ୍‌ର ଉତ୍କଣ୍ଠା ଓ ଉତ୍ସାହରେ ଭରପୂର ବିଶ୍ବକପ୍‌ରେ ପୂର୍ବରୁ ୫ ଥର ସାମ୍ନାସାମ୍ନି ହୋଇଛନ୍ତି। ଆଉ ପ୍ରତିଥର ଭାରତ ବିଜୟୀ ହୋଇଛି। ସେଥିପାଇଁ ପାକିସ୍ତାନ ଏହି ଧାରା ଭାଙ୍ଗି ଆତ୍ମବିଶ୍ବାସର ସହ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବାକୁ ଯୋଜନା କରିଛି। ପାକିସ୍ତାନର ଏହି ଯୋଜନାକୁ ପଣ୍ଡ କରି ତା ବିରୋଧରେ ଷଷ୍ଠ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜୟ ହାସଲ ପାଇଁ ଟିମ୍ ଇଣ୍ଡିଆ ମଧ୍ୟ ସବୁପ୍ରକାର ପ୍ରସ୍ତୁତି କରିସାରିଛି। ଦଳଗତ ସହ ଏହି ମ୍ୟାଚ୍‌ରେ ସାହିନ ସାହ ଆଫ୍ରିଦି-କେଏଲ୍ ରାହୁଲ, ଯଶପ୍ରୀତ ବୁମ୍‌ରା-ଫକର ଜମାନ, ବାବର ଆଜମ-ବିରାଟ କୋହଲିଙ୍କ ଭଳି ଅନେକ ବ୍ୟକ୍ତିଗତ ଲଢ଼େଇ ବି ଦେଖିବାକୁ ମିଳିବ। କୋହଲି ଓ ବାବରଙ୍କ ମଧ୍ୟରେ ହେଉଥିବା ତୁଳନାକୁ ‌ନେଇ ପାକିସ୍ତାନର ପୂର୍ବତନ ଦୁର୍ଦ୍ଧର୍ଷ ଦ୍ରୁତ ବୋଲର ସୋଏବ ଅଖତର କହିଛନ୍ତି ଯେ ବ୍ୟାଟ୍ସମ୍ୟାନ୍ ଭାବେ ବାବର ଆଜମଙ୍କଠାରୁ ବରିଟ କୋହଲି ବହୁ ମାଇଲ୍ ଆଗରେ। ଆଜମ ‌କେବଳ ତାଙ୍କୁ ପିଛା କରୁଛନ୍ତି, କିନ୍ତୁ ସେ ପ୍ରତିଭାବାନ ଖେଳାଳି। ଅଧିନାୟକ ଭାବେ କୋହଲି ଭାଗ୍ୟବାନ ନୁହନ୍ତି, କିନ୍ତୁ ଭାରତ-ପାକିସ୍ତାନ ରବିବାର ମୁକାବିଲା ଚମତ୍କାର ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe