Image Courtesy of India Today
ନୂଆଦିଲ୍ଲୀ: ଦେଶର ଶୀର୍ଷ ଶିକ୍ଷା ପ୍ରତିଷ୍ଠାନଗୁ୍ଡ଼ିକର ତାଲିକା ଆଜି କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି। ନ୍ୟାସନାଲ ଇନ୍ଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ୍ ଫ୍ରେମୱାର୍କ (ଏନ୍ଆଇଆର୍ଏଫ୍) ଭାରତର ଶ୍ରେଷ୍ଠ କଲେଜ ଏବଂ ବିଶ୍ବବିଦ୍ୟାଳୟଗୁଡିକର ରାଙ୍କିଙ୍ଗ୍ ପ୍ରକାଶ କରିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ବର୍ଗରେ ଶିକ୍ଷାନୁଷ୍ଠାନଗୁଡ଼ିକର ୨୦୨୨ ରୢାଙ୍କିଙ୍ଗ୍ ଘୋଷଣା କରିଛନ୍ତି। ଏହି ଘୋଷଣା ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସି, ମେଡିକାଲ, ଆଇନ, ଡେଣ୍ଟାଲ ସମେତ ମୋଟ ୧୦ଟି ବର୍ଗରେ କରାଯାଇଛି। ସାମଗ୍ରିକ ବର୍ଗରେ ଚଳିତ ବର୍ଷ ପୁଣିଥରେ ଆଇଆଇଟି ମାଡ୍ରାସ ଲଗାତାର ୪ର୍ଥ ବର୍ଷ ପାଇଁ ଶ୍ରେଷ୍ଠ ଶିକ୍ଷା ପ୍ରତିଷ୍ଠାନର ମାନ୍ୟତା ହାସଲ କରିଛି।
ତାଲିକାରେ ଆଇଆଇଏସସି ବେଙ୍ଗାଲୁରୁ ଦ୍ବିତୀୟ ଏବଂ ଆଇଆଇଟି ବମ୍ବେ ତୃତୀୟ ସ୍ଥାନରେ ରହିଛି । ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ବର୍ଗରେ ଆଇଆଇଏସସି ବେଙ୍ଗାଲୁରୁ ପ୍ରଥମ ସ୍ଥାନରେ ଥିବା ବେଳେ ଜେଏନୟୁ ଦ୍ବିତୀୟ ଏବଂ ଜାମିଆ ମିଲିଆ ଇସଲାମିଆ ତୃତୀୟ ସ୍ଥାନରେ ରହିଛି । ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ଏଥର ଷଷ୍ଠ ସ୍ଥାନରେ ରହିଛି। ଶ୍ରେଷ୍ଠ ୧୦ଟି କଲେଜ ମଧ୍ୟରୁ ୫ଟି ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଧୀନରେ ରହିଛି। ମିରାଣ୍ଡା ହାଉସ୍ ପୁଣି ଥରେ ଦେଶର ସର୍ବଶ୍ରେଷ୍ଠ କଲେଜ ମାନ୍ୟତା ହାସଲ କରିଥିବା ବେଳେ ଦ୍ବିତୀୟ ସ୍ଥାନରେ ହିନ୍ଦୁ କଲେଜ ଏବଂ ତୃତୀୟ ସ୍ଥାନରେ ପ୍ରେସିଡେନ୍ସି କଲେଜ ରହିଛି। ଏହି ବର୍ଗରେ ଚତୁର୍ଥ ସ୍ଥାନରେ ଚେନ୍ନାଇର ଲୋୟାଲା କଲେଜ ରହିଛି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ପ୍ରତିବର୍ଷ ଏନ୍ଆଇଆର୍ଏଫ୍ ରାଙ୍କିଙ୍ଗ୍ ଜାରି କରାଯାଇଥାଏ। ପୂର୍ବରୁ ବେସରକାରୀ ସଂସ୍ଥା ରାଙ୍କିଙ୍ଗ୍ ଜାରି କରୁଥିବାରୁ ଏହାକୁ ନେଇ ବିବାଦ ଉପୁଜୁଥିଲା। କିନ୍ତୁ ବର୍ତ୍ତମାନ ବିଭିନ୍ନ ମାନଦଣ୍ଡ ଆଧାରରେ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ରୢାଙ୍କିଙ୍ଗ୍ ହେଉଛି।
Follow Us