୭ ମାସରେ ସର୍ବାଧିକ: ୨୪ ଘଣ୍ଟାରେ ଦେଶରେ ୮୪୧ ନୂଆ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ

୭ ମାସରେ ସର୍ବାଧିକ: ୨୪ ଘଣ୍ଟାରେ ଦେଶରେ ୮୪୧ ନୂଆ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ

Image Courtesy of dtnext

ନୂଆଦିଲ୍ଲୀ: ଆଜି ଦେଶରେ ୮୪୧ଜଣ ନୂଆ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ କରାଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ୱେବ୍‌ସାଇଟ୍‌ ସୂଚନାରୁ ଜଣାପଡ଼ିଛି। ଗତ ୨୨୭ ଦିନ ବା ୭ ମାସରେ ଏହା ହେଉଛି ସର୍ବାଧିକ ସଂକ୍ରମଣ ବୃଦ୍ଧି ‌ରିପୋର୍ଟ।

ଶନିବାର ଦିନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୯୯୭ ଥିବା ବ‌େଳେ ଆଜି ଏହି ସଂଖ୍ୟା ୪,୩୦୯କୁ ବୃଦ୍ଧି ପାଇଛି ବୋଲି ଆଜି ସକାଳ ୮ଟାରେ ‘ଅପ୍‌ଡେଟ୍‌’ କରାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ୱେବ୍‌ସାଇଟ୍‌ରେ ଉଲ୍ଲେଖ ଅଛି।

ଏହାଛଡ଼ା, ଗତ ୨୪ ଘଣ୍ଟା ମଧ୍ୟରେ କେରଳ, କର୍ଣ୍ଣାଟକ ଓ ବିହାର ରାଜ୍ୟରେ ଜଣେ ଲେଖାଏଁ କୋଭିଡ୍‌-୧୯ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

publive-image Image Courtesy of AP7AM

ଶୁକ୍ରବାର ସୁଦ୍ଧା ଦେଶର ୯ଟି ରାଜ୍ୟରୁ ୧୭୮ଜଣ  କୋଭିଡ୍‌-୧୯ ଭୂତାଣୁର ଉପପ୍ରଜାତି  ‘ଜେଏନ୍‌.୧’ଦ୍ବାରା ଆକ୍ରାନ୍ତ ହୋଇଥିବା ରିପୋର୍ଟ କରାଯାଇଛି। ଗୋଆରେ ସର୍ବାଧିକ ୪୭ଜଣ ଓ କର୍ଣ୍ଣାଟକ ୪୧ଜଣ  ‘ଜେଏନ୍‌.୧’ ଆକ୍ରାନ୍ତ ଚିହ୍ନଟ କରାଯାଇଛି।

୨୦୨୦ ଜାନୁଆରିରୁ ଦେଶରେ କୋଭିଡ୍‌ ସଂକ୍ରମଣ ଆରମ୍ଭ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଦେଶରେ ୪,୫୦,୧୩,୨୭୨ଜଣ ସଂକ୍ରମିତ ହୋଇଥିବା ବ‌େଳେ ୫,୩୩,୩୬୧ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

ସମ୍ପ୍ରତି ଦେଶରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିଲେ ବି ସୁସ୍ଥତା ହାର ୯୮.୮୧% ରହିଛି। ପ୍ରାରମ୍ଭରୁ ଏଯାବତ୍‌ କୋଭିଡ୍‌-୧୯ଦ୍ବାରା ଆକ୍ରାନ୍ତ ୪,୪୪,୭୫,୬୦୨ଜଣ ସୁସ୍ଥ ହୋଇସାରିଛନ୍ତି।

ସେହିପରି, ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ସମୁଦାୟ ୨୨୦.୬୭ କୋଟି ଡୋଜ୍‌ କୋଭିଡ୍‌-୧୯ ନିରୋଧୀ ଟିକା ଦିଆ ସରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe