India Today
ନୂଆଦିଲ୍ଲୀ : ୟୁକ୍ରେନର ୪ଟି ଅଞ୍ଚଳ ଦଖଲ କରିଥିବା ରୁଷ୍ ବିରୋଧରେ ଜାତିସଂଘ ସୁରକ୍ଷା ପରିଷଦରେ ଶୁକ୍ରବାର ଏକ ନିନ୍ଦା ପ୍ରସ୍ତାବ ଅଣାଯାଇଥିଲା। ରୁଷ୍ ବିରୋଧରେ ଅଣାଯାଇଥିବା ନିନ୍ଦା ପ୍ରସ୍ତାବ ଉପରେ ଭୋଟ୍ ଗ୍ରହଣ ହୋଇଥିଲା। କିନ୍ତୁ ଭାରତ ଏଥିରୁ ବିରତ ରହିଛି। ୧୫ ରାଷ୍ଟ୍ର ବିଶିଷ୍ଟ ଜାତିସଂଘ ସୁରକ୍ଷା ପରିଷଦର ୧୦ ସଦସ୍ୟ ରାଷ୍ଟ୍ର ଏହି ପ୍ରସ୍ତାବ ସମର୍ଥନରେ ଭୋଟ୍ ଦେଇଥିଲେ। ଅନ୍ୟପକ୍ଷେ ଚୀନ୍, ଭାରତ ଓ ବ୍ରାଜିଲ ଏଥିରୁ ବିରତ ରହିଥିଲେ। ତେବେ ରୁଷ୍ର ଭିଟୋ ପ୍ରୟୋଗ ଯୋଗୁଁ ପ୍ରସ୍ତାବଟି ଗୃହୀତ ହୋଇ ପାରିନଥିଲା। ରୁଷ୍ ବେଆଇନ ଭାବେ ଦଖଲ କରିଥିବା
ୟୁକ୍ରେନ୍ର ୪ଟି ଅଞ୍ଚଳ ଲୁହାଂସ୍କ, ଡୋନେସ୍କ, ଖେରସନ ଏବଂ ଜାପୋରିଝିଆକୁ ରୁଷ୍ ନିଜ ଅଞ୍ଚଳରେ ସାମିଲ କରାଇବାକୁ ସଂପୂର୍ଣ୍ଣ ଅବୈଧ ଦର୍ଶାଇ ରୁଷ୍ ବିରୋଧରେ ପ୍ରସ୍ତାବ ଅଣାଯାଇଥିଲା। ଜାତିସଂଘରେ ଆମେରିକାର ପ୍ରତିନିଧି ଲିଣ୍ଡା ଥୋମାସ ଗ୍ରିନଫିଲ୍ଡ ଏହି ପ୍ରସ୍ତାବ ଆଗତ କରିଥିଲେ। ରୁଷ୍ ୟୁକ୍ରେନ୍ ବିରୋଧରେ ଜାରି ରଖିଥିବା ବେଆଇନ କାର୍ଯ୍ୟକଳାପ ବିରୋଧରେ ଏହି ପ୍ରସ୍ତାବ ଅଣାଯାଇଛି। ଅନ୍ୟପକ୍ଷେ ଜାତିସଂଘକୁ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କମ୍ବୋଜ କହିଛନ୍ତି, କଥାବାର୍ତ୍ତା ଦ୍ବାରା ହିଁ ସବୁ ବିବାଦ ଏବଂ ସମସ୍ୟାର ସମାଧାନ ହୋଇପାରିବ। କୂଟନୈତିକ ଉପାୟରେ ଏହି ସମସ୍ୟାର ସମାଧାନ ହିଁ ଏକମାତ୍ର ପନ୍ଥା ବୋଲି ସେ କହିଛନ୍ତି।
Follow Us