ଚୀନ୍‌ର ‘ସମଦୂରତା ସେନା ପ୍ରତ୍ୟାହାର’ ପ୍ରସ୍ତାବକୁ ଭାରତର ପ୍ରତ୍ୟାଖ୍ୟାନ

ଚୀନ୍‌ର ‘ସମଦୂରତା ସେନା ପ୍ରତ୍ୟାହାର’ ପ୍ରସ୍ତାବକୁ ଭାରତର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଗଲଵାନ ସଂଘର୍ଷ ପରେ ସୀମାରେ ଉତ୍ତେଜନା ହ୍ରାସ ସକାଶେ ପ୍ରକୃତ ନିୟନ୍ତ୍ରଣା ରେଖା ନିକଟରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଉଭୟ ଭାରତ ଓ ଚୀନ୍‌ର ବିଭିନ୍ନ ପର୍ଯ୍ୟାୟ ସାମରିକ ଓ କୂଟନୈତିକ ଆଲୋଚନାରେ ସହମତି ଆସିଥିଲେ ହେଁ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ଅହଂକାର ଯୋଗୁଁ ଚୀନ ସେନା ପଛଘୁଞ୍ଚା ଦେବାକୁ ଅରାଜି। ତଥାପି ସୀମାବିବାଦ ସହ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଉତ୍ତେଜନା ହ୍ରାସ ପାଇଁ ଦ୍ବିପାକ୍ଷିକ ଆଲୋଚନା ଜାରି ରହିଛି। ତେବେ ପୂର୍ବ ଲଦାଖର ଫିଙ୍ଗର ଇଲାକାରୁ ପଛକୁ ହଟିବା ପାଇଁ ଚୀନ୍‌ ଦେଇଥିବା ‘ସମଦୂରତା ସେନା ପ୍ରତ୍ୟାହାର’ ପ୍ରସ୍ତାବକୁ ଭାରତ ପ୍ରତ୍ୟାଖ୍ୟାନ କରିଦେଇଛି। ଏଣେ ପାଙ୍ଗଙ୍ଗ ସୋ ହ୍ରଦ ଓ ଗୋଗ୍ରାର ଉଷ୍ମପ୍ରସ୍ରବଣ ଅଞ୍ଚଳ ପରି ଅତିକ୍ରମିତ ଇଲାକାରେ ଚୀନ ସେନା ଅପ୍ଟିକାଲ୍‌ ଫାଇବର ବିଛାଇବା ଜାରି ରଖିଥିଲା ବେଳେ ଭାରତୀୟ ଯବାନମାନେ କୁଗ୍ରାଙ୍ଗ ନଦୀପାର୍ଶ୍ବ ଗିରିପଥର ଗୁରୁତ୍ବପୂର୍ଣ୍ଣ ସ୍ଥାନମାନଙ୍କରେ ଆଡ଼ା ଜମାଇଛନ୍ତି।

ଯେ ପର୍ଯ୍ୟନ୍ତ ଚୀନ୍‌ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ସ୍ଥିତାବସ୍ଥା ଫେରାଇ ଆଣିନାହିଁ, ଭାରତ ସେ ପର୍ଯ୍ୟନ୍ତ ସେଠାରେ ଏଭଳି ନିଜର ସ୍ଥିତିକୁ ସୁଦୃଢ଼ କରିଚାଲିଥିବ ବୋଲି ଜଣାଯାଇଛି। ପାଙ୍ଗଙ୍ଗ ସୋ ଓ ଗୋଗ୍ରାରେ ଚୀନ ସେନାର ଅତିକ୍ରମଣ ଧୀରେ ଧୀରେ ଅନୁପ୍ରବେଶରେ ପରିଣତ ହେଉଥିବାରୁ ସେମାନଙ୍କର ଏପରି ସମ୍ଭାବ୍ୟ ଅନୁପ୍ରବେଶ ଆକାଂକ୍ଷାକୁ ପ୍ରତିହତ କରିବା ପାଇଁ ଭାରତ ପକ୍ଷରୁ ଏପରି ଆଗୁଆ ଘାଟିମାନଙ୍କରେ ସୈନ୍ୟ ଠୁଳ କରାଯାଇଛି ବୋଲି ଜଣେ ସାମରିକ ଅଧିକାରୀ କହିଛନ୍ତି। ଏହି ଅବସରରେ ଶୀର୍ଷ ସାମରିକ ଅଧିକାରୀମାନେ ଯେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ପାଇଁ ସେମାନଙ୍କ ସାମରିକ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ ସାରିଛନ୍ତି।

ସୂଚନା ଥାଉ କି, ଫିଙ୍ଗର ୪ ଇଲାକାରୁ ଉଭୟ ସେନା ସମଦୂରତା ଯାଏ ପଛକୁ ହଟିବା ଲାଗି ଚୀନ୍‌ ପ୍ରସ୍ତାବ ରଖିଥିଲା। ମାତ୍ର କୌଣସି ବି ପରିସ୍ଥିତିରେ ଭାରତୀୟ ଯବାନମାନେ ଏଭଳି ପ୍ରସ୍ତାବରେ ରାଜି ନୁହନ୍ତି। କାରଣ ପାଙ୍ଗଙ୍ଗ ସୋ ହ୍ରଦ ସନ୍ନିକଟ ଫିଙ୍ଗର ପଏଣ୍ଟ୍‌ ୮ରୁ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି) ଆରମ୍ଭ ବୋଲି ଭାରତ କହି ଆସୁଥିବା ବେଳେ ଫିଙ୍ଗର ପଏଣ୍ଟ୍‌ ୨କୁ ଚୀନ୍‌ ଏଲ୍‌ଏସି ବୋଲି ଦାବି କରୁଛି। ଏଣେ ଫିଙ୍ଗର ପଏଣ୍ଟ୍‌ ୮ରୁ ଫିଙ୍ଗର ପଏଣ୍ଟ୍‌ ୪ (ପାର୍ବତ୍ୟାଞ୍ଚଳରୁ ହ୍ରଦ) ଯାଏ ଦୀର୍ଘ ୮ କିମି ଅଞ୍ଚଳରେ ଗତ ମେ’ ମାସରୁ ଚୀନ ସେନା ରହିଥିବାରୁ ତାହା ଭାରତ ପାଇଁ ଚିନ୍ତାର କାରଣ ହୋଇଛି। ନିର୍ବିବାଦୀୟ ଇଲାକାରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପାଇଁ ହୋଇଥିବା ସହମତି ଅନୁସାରେ ହ୍ରଦର ଉତ୍ତରଭାଗରେ ଥିବା ଫିଙ୍ଗର ପଏଣ୍ଟ୍‌ ୪ରୁ ଚୀନ ସେନା ଫିଙ୍ଗର ପଏଣ୍ଟ୍‌ ୫ ଯାଏ ପଛକୁ ହଟିଛି। ଏପରିକି ଭାରତୀୟ ସେନା ଫିଙ୍ଗର ପଏଣ୍ଟ୍‌ ୨ ଯାଏ ମଧ୍ୟ ପଛକୁ ହଟିଛି।

ତେବେ ଚୀନ ସେନା ଆଉ ପଛକୁ ହଟିବାକୁ ହେଲେ ଭାରତୀୟ ପ୍ରତିପକ୍ଷକୁ ମଧ୍ୟ ଆହୁରି ପଛକୁ ଘୁଞ୍ଚିବା ଲାଗି ନୂଆ ସର୍ତ୍ତ ଲଗାଇଛି। ମାତ୍ର ଭାରତ ଫିଙ୍ଗର ପଏଣ୍ଟ୍‌ ୨ରୁ ଆଉ ପଛକୁ ହଟିବନି ବୋଲି ଜଣାଇବା ସହ ଚୀନ୍‌କୁ ଫିଙ୍ଗର ପଏଣ୍ଟ୍‌ ୮ ଯାଏ ହଟିଯିବାକୁ ବାଧ୍ୟ କରିଚାଲିଛି। ଅପରପକ୍ଷେ, ଉଭୟ ପାକିସ୍ତାନର ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ଏବଂ ଚୀନ୍‌ର ପ୍ରକୃତ ନିୟନ୍ତ୍ରଣ ରେଖାରେ ସାମନା କରିବା ପାଇଁ ଭାରତ ପ୍ରସ୍ତୁତ ବୋଲି ସ୍ବାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିଛନ୍ତି। ଭାରତର ଏହି ଉଭୟ ପଡ଼ୋଶୀଙ୍କୁ ମୋଦୀଙ୍କ ଭାଷଣ ମଧ୍ୟ ସତର୍କ କରାଇ ଦେଇଛି ଯେ ଭାରତ ବି କେବେ ପଛକୁ ହଟି କାହାର ଅତିକ୍ରମଣକୁ ପ୍ରଶ୍ରୟ ଦେବନାହିଁ। ସେହିପରି ଭାରତ ସହ ୮,୦୦୦ କୋଟି ଡଲାରର ବାଣିଜ୍ୟ କାରବାରକୁ ଅଣଦେଖା କରି ଜିନ୍‌ପିଙ୍ଗଙ୍କ ସାମରିକ ଉଦ୍ଦେଶ୍ୟ ଫଳପ୍ରସୂ ହେବ କି ନାହିଁ ତାହା ଚୀନ୍‌ ଉପରେ ନିର୍ଭର କରେ ବୋଲି ଜଣେ ଭାରତୀୟ କୂଟନୀତିଜ୍ଞ ଟିପ୍ପଣୀ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe