Image Courtesy of India Today
ନୂଆଦିଲ୍ଲୀ: ଗତକାଲିଠାରୁ ଆଜି ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧୩% ବୃଦ୍ଧି ପାଇ ୬,୦୦୦ ଟପି ଯାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୦୦୦ ଉପରେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୬,୦୫୦ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି।
୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୬,୦୫୦ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୪୫,୧୦୪ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ ୧୪ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୦,୯୪୩କୁ ବୃଦ୍ଧି ପାଇଛି।
ଦେଶରେ ଦୈନିକ କୋଭିଡ୍-୧୯ ‘ପଜିଟିଭିଟି’ ହାର ୩.୩୯% ଥିବା ବେଳେ ସାପ୍ତାହିକ ‘ପଜିଟିଭିଟି’ ହାର ୩.୦୨% ରହିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।
ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୧,୮୫,୮୫୮। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୭୫% ରହିଛି।
ଏହାଛଡ଼ା, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୩୦୩କୁ ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୦୬%।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୨୦,୬୬,୨୦,୭୦୦ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।
‘ଆଇସିଏମ୍ଆର୍’ ରିପୋର୍ଟ ଅନୁସାରେ, କୋଭିଡ୍-୧୯ ନିଦାନ ଗତକାଲି ପରୀକ୍ଷା କରାଯାଇଛି ୧,୭୫,୫୩୩ଟି ନମୁନା।
ସୂଚନାଯୋଗ୍ୟ, ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ଆକସ୍ମିକ ଭାବେ ବୃଦ୍ଧି ପାଉଥିବା ବେଳେ ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭୀୟ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ।
Follow Us