ହିଜାବ ବିବାଦ ନେଇ ଆମେରିକା-ପାକ୍‌କୁ ଜବାବ ଦେଲା ଭାରତ: ସତର୍କ ରହିବାକୁ ଆଇବିର ପରାମର୍ଶ

Advertisment

ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରନାହି

ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରନାହି

ହିଜାବ ବିବାଦ ନେଇ ଆମେରିକା-ପାକ୍‌କୁ ଜବାବ ଦେଲା ଭାରତ: ସତର୍କ ରହିବାକୁ ଆଇବିର ପରାମର୍ଶ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଆରମ୍ଭ ହୋଇଥିବା ହିଜାବ ବିବାଦ ଦେଶବ୍ୟାପୀ ବିଭିନ୍ନ ସ୍ଥାନକୁ ବ୍ୟାପିଲାଣି। ହିଜାବ ପ୍ରସଙ୍ଗରେ ଆମେରିକା ଏବଂ ପାକିସ୍ତାନର ଟିପ୍ପଣୀକୁ ଭାରତ କଡ଼ା ବିରୋଧ କରିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି, ଆମର ଆଭ୍ୟନ୍ତରୀଣ ବ୍ୟାପାରରେ ଉସ୍‌କାଇବା ଭଳି ଟିପ୍ପଣୀ ଆଦୌ ଗ୍ରହଣୀୟ ନୁହେଁ। ହିଜାବ ବିବାଦ ମାମଲାରେ ପାକିସ୍ତାନ ଭାରତୀୟ ଦୂତାବାସ ଅଧିକାରୀଙ୍କୁ ସମନ୍‌ କରିଥିଲା। ପାକିସ୍ତାନ ପରେ ଏବେ ଆମେରିକା ମଧ୍ୟ ହିଜାବ ପ୍ରସଙ୍ଗରେ ଟିପ୍ପଣୀ ରଖିଛି। ବାଇଡେନ୍‌ ପ୍ରଶାସନର ଜଣେ ଅଧିକାରୀ ରଶଦ ହୁସେନ କହିଛନ୍ତି, ଜଣଙ୍କ ଧର୍ମ ଅନୁଯାୟୀ ପୋଷାକ ପିନ୍ଧିବା ଧାର୍ମିକ ସ୍ବାଧୀନତାର ଅଂଶବିଶେ‌ଷ। ଧାର୍ମିକ ପରିଧାନ କିଭଳି ହେବ ସେ ସଂକ୍ରାନ୍ତ ନିଷ୍ପତ୍ତି କର୍ଣ୍ଣାଟକ ସରକାର ନନେବା ଉଚିତ୍‌। ସ୍କୁଲ କ‌ଲେଜ୍‌ରେ ହିଜାବ ନିଷିଦ୍ଧ କରିବା ଧାର୍ମିକ ସ୍ବାଧୀନତାର ବିରୁଦ୍ଧାଚରଣ କରୁଛି ବୋଲି ହୁସେନ୍‌ କହିଛନ୍ତି। ତେବେ ଏହାର କଡ଼ା ଜବାବ ଦେଇ ବାଗ୍‌ଚି କହିଛନ୍ତି, କର୍ଣ୍ଣାଟକରେ କିଛି ଶିକ୍ଷାନୁଷ୍ଠାନରେ ହିଜାବ ବିବାଦ ଏବେ କର୍ଣ୍ଣାଟକ ହାଇକୋର୍ଟରେ ବିଚାରାଧୀନ ରହିଛି। ସାମ୍ବିଧାନିକ ବ୍ୟବସ୍ଥା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଅନୁଯାୟୀ ଏହି ମାମଲାର ବିଚାର କରାଯାଇ ସମାଧାନ କରାଯିବ। ତେଣୁ ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଏଭଳି ବିଭ୍ରାନ୍ତିକର ଟିପ୍ପଣୀ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

ସତର୍କ ରହିବାକୁ ଆଇବିର ପରାମର୍ଶ
ନୂଆଦିଲ୍ଲୀ: ସମ୍ପ୍ରତି ହିଜାବକୁ ନେଇ ସାରା ଦେଶରେ ବିବାଦ ଦେଖାଦେଇଛି। ଇତିମଧ୍ୟରେ ପାକିସ୍ତାନ ଏହି ବିବାଦକୁ ଇନ୍ଧନ ଯୋଗାଉଥିବା ନେଇ ଏକ ବଡ଼ ଖୁଲାସା ହୋଇଛି। ଏକ ରିପୋର୍ଟ ଅନୁସାରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଖଲିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଦ୍ବାରା ହିଜାବ ଜନମତ ଜରିଆରେ ଭାରତରେ ଅରାଜକତା ସୃଷ୍ଟି କରିବାକୁ ଷଡ଼୍‌ଯନ୍ତ୍ର କରୁଥିବା ଜଣାପଡ଼ିଛି। ଭାରତୀୟ ଗୁଇନ୍ଦା ସଂସ୍ଥା ଆଇବି ଏ ସଂକ୍ରାନ୍ତରେ ଏକ ସତର୍କ ସୂଚନା ଜାରି କରିଛି।

ରିପୋର୍ଟ ଅନୁସାରେ ଭାରତରେ ହିଜାବ ସଂକ୍ରାନ୍ତରେ ଜନମତ ନେବା ପାଇଁ ଆଇଏସ୍‌ଆଇ ଏକ ୱେବ୍‌ସାଇଟ୍ ଆରମ୍ଭ କରିଛି। ଏହାଛଡ଼ା ଆଇଏସ୍‌ଆଇ ଏଥିରେ ଶିଖ୍‌ସ ଫର୍ ଜଷ୍ଟିସ୍‌ ମୁଖ୍ୟ ଗୁରୁପନ୍ତୱନ୍ତ ସିଂହ ପାନ୍ନୁଙ୍କର ଏକ ଭିଡିଓ ରିଲିଜ୍ କରିଛି। ଆଇଏସ୍‌ଆଇର ଏଭଳି ଷଡ଼୍‌ଯନ୍ତ୍ର ପରେ ଭାରତୀୟ ଗୁଇନ୍ଦା ସଂସ୍ଥା ସକ୍ରିୟ ହୋଇଯାଇଛି। ଆଇବି କହିଛି ଯେ, ହିଜାବ ଜନମତ ମାଧ୍ୟମରେ ଭାରତରେ ବିଭେଦ ସୃଷ୍ଟି କରିବା ପାଇଁ ଶିଖ୍‌ସ ଫର୍ ଜଷ୍ଟିସ୍‌ ମୁଖ୍ୟ ଗୁରୁପନ୍ତୱନ୍ତ ସିଂହ ଏକ ଭିଡିଓ ଅପ୍‌ଲୋଡ୍ କରିଛନ୍ତି ପାନ୍ନୁ ଭାରତୀୟ ମୁସଲମାନମାନଙ୍କୁ ହିନ୍ଦୁମାନଙ୍କ ବିରୋଧରେ ଉତ୍ତେଜିତ କରିବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି, ଆଜି ହିଜାବକୁ ନିଷିଦ୍ଧ କରାଗଲା, କାଲି ଆଜାନକୁ ବନ୍ଦ କରାଯିବ ଓ ତା’ପରେ କୋରାନ। ଏହି ବୟାନ ପଛରେ ଆଇଏସ୍‌ଆଇର ଷଡ଼୍‌ଯନ୍ତ୍ର ଅଛି ଏବଂ ଭାରତୀୟ ଜନସାଧାରଣ ଏଥି ପ୍ରତି ସଜାଗ ରହିବା ଉଚିତ ବୋଲି ଆଇବି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe