Image Courtesy of Zee News
ନୂଆଦିଲ୍ଲୀ: ସେପ୍ଟେମ୍ବର ୪ ଓ ୫ରେ ବଙ୍ଗୋପସାଗରରେ ଭାରତ ଓ ରୁଷ୍ର ନୌସେନା ଆରମ୍ଭ କରୁଛନ୍ତି ଦ୍ବିବାର୍ଷିକ ଦ୍ବିପାକ୍ଷିକ ସାମୁଦ୍ରିକ ସମରାଭ୍ୟାସ ‘ଇନ୍ଦ୍ର ନେଭି’ର ୧୧ଶ ସଂସ୍କରଣ।
ଏକ ବିବୃତିରେ ଭାରତୀୟ ନୌସେନାର ମୁଖପାତ୍ର କହିଛନ୍ତି, ସେପ୍ଟେମ୍ବର ୪ ଓ ୫ ତାରିଖରେ ବଙ୍ଗୋପସାଗରରେ ଭାରତୀୟ ନୌସେନା ଓ ରୁଷ୍ ନୌସେନା ମଧ୍ୟରେ ଦ୍ବିବାର୍ଷିକ ଦ୍ବିପାକ୍ଷିକ ସାମୁଦ୍ରିକ ସମରାଭ୍ୟାସ ‘ଇନ୍ଦ୍ର ନେଭି’ର ୧୧ଶ ସଂସ୍କରଣ ଆରମ୍ଭ କରିବାକୁ ସମୟ ନିର୍ଦ୍ଧାରଣ କରାଯାଇଛି।
୨୦୦୩ରେ ଆରମ୍ଭ ହୋଇଥିବା ‘ଇନ୍ଦ୍ର ନେଭି’ ଦୁଇ ନୌସେନା ମଧ୍ୟରେ ଦୀର୍ଘକାଳୀନ ସାମରିକ ସମ୍ପର୍କର ଦୃଷ୍ଟାନ୍ତ ସାଜିଛି। ମିଳିତ ଭାବେ ଅସ୍ତ୍ରଚାଳନା କରିବା, ବୁଝାମଣାରେ ଉନ୍ନତି ଆଣିବା ଏବଂ ଦୁଇ ନୌସେନା ମଧ୍ୟରେ ସର୍ବୋତ୍ତମ ଅଭ୍ୟାସ ଶିକ୍ଷା କରିବା ଏହି ଅଭ୍ୟାସର ଲକ୍ଷ୍ୟ। ସେମାନେ ଭୂପୃଷ୍ଠ ଏବଂ ବିମାନ ନିରୋଧୀ ଅଭ୍ୟାସ, ଗୁଳି ଚାଳନା ଅଭ୍ୟାସ, ହେଲିକପ୍ଟର୍ ଚାଳନା, ଜାହାଜ ନିୟନ୍ତ୍ରଣ ଉନ୍ନତି ଆଦି ମଧ୍ୟ କରିବେ ବୋଲି ଭାରତୀୟ ନୌସେନାର ମୁଖପାତ୍ର କହିଛନ୍ତି।
ସମ୍ପ୍ରତି ରୁଷ୍ ଗସ୍ତରେ ଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଏହି ସମରାଭ୍ୟାସ ସବୁ ଭାରତୀୟ ସାମୁଦ୍ରିକ ଅଞ୍ଚଳରେ ଉଭୟ ଦେଶର ସାମୁଦ୍ରିକ ନିରାପତ୍ତା ପ୍ରଦର୍ଶନ କରେ।
Follow Us