ଲଦାଖକୁ ଭାରତ ପଠାଇଲା ଉଚ୍ଚ ଶକ୍ତି ସଂପନ୍ନ ବୋଟ୍‌

Advertisment
ଲଦାଖକୁ ଭାରତ ପଠାଇଲା ଉଚ୍ଚ ଶକ୍ତି ସଂପନ୍ନ ବୋଟ୍‌

Defence News

ନୂଆଦିଲ୍ଲୀ : ପୂର୍ବ ଲଦାଖ ସୀମାରେ ଚୀନ୍ ସେନା ମୁତୟନ କରିଥିବା ଶକ୍ତିଶାଳୀ ୯୨୮ବି ନୌଭେଳାର ମୁକାବିଲା କରିବା ଲାଗି ଭାରତ ଡଜନେରୁ ଅଧିକ ଉଚ୍ଚ ଶକ୍ତି ସଂପନ୍ନ ଲୌହଡଙ୍ଗା ଲଦାଖ ଅଭିମୁଖେ ପଠାଇଛି। ସମୁଦ୍ର ପତ୍ତନ ଠାରୁ ୧୪ ହଜାର ଫୁଟ ଉଚ୍ଚରେ ଥିବା ଲଦାଖର ପାଙ୍ଗଙ୍ଗ ସୋ ହ୍ରଦରେ ମୁତୟନ ହେବାକୁ ଥିବା ଏହି ଡଙ୍ଗାଗୁଡ଼ିକ ସୀମାରେ ଭାରତୀୟ ସେନାର ପଇଁତରାକୁ ଆହୁରି ଶାଣିତ କରିବ ବୋଲି ଆଶା କରାଯାଉଛି। ସୂଚନା ଥାଉ କି, ଚୀନ୍‌ର ପିପୁଲ୍‌ସ ଲିବରେସନ୍‌ ଆର୍ମିର ପୂର୍ବ ଲଦାଖରେ ସୀମା ଦଖଲର ଅଂଶସ୍ବରୂପ ଉକ୍ତ ପାଙ୍ଗଙ୍ଗ ସୋ ହ୍ରଦ ହିଁ କେନ୍ଦ୍ରବିନ୍ଦୁ ପାଲଟିଛି। ଚୀନ୍ ସେନା ଏହି ସୁଦୀର୍ଘ ହ୍ରଦର ଉଭୟ କୂଳକୁ ନିଜର ବୋଲି ଦାବି କରିବା ସହ ସେଠାରେ ବୈଷୟିକ ଜ୍ଞାନକୌଶଳଯୁକ୍ତ ଭାରୀ ନୌଭେଳା ମୁତୟନ କରି ନିଜ ନିରୀକ୍ଷଣ ପ୍ରଣାଳୀକୁ ଅଧିକ ସୁବ୍ୟବସ୍ଥିତ କରିଛି ଯାହା କି ନରେନ୍ଦ୍ର ମୋଦୀ ସରକାରଙ୍କୁ ଏଭଳି ସଦ୍ୟ ପଦକ୍ଷେପ ନେବାକୁ ବାଧ୍ୟ କରିଛି।

ଏଣେ ଚୁସୁଲ୍‌ ଠାରେ ଦୁଇ ଦେଶର ତୃତୀୟ ସାମରିକ କମାଣ୍ଡର ସ୍ତରୀୟ କଥାବାର୍ତ୍ତା ମଙ୍ଗଳବାର ବିଳମ୍ବିତ ରାତି ଯାଏ ଜାରି ରହିଥିବା ବେଳେ ଏଥିରେ ଭାଗ ନେଇଥିବା ଭାରତର ଲେହ କର୍ପସ କମାଣ୍ଡର ଓ ତାଙ୍କ ଚୀନ୍‌ ପ୍ରତିପକ୍ଷ ଜିଞ୍ଜିଆଙ୍ଗ ସାମରିକ ଜିଲ୍ଲା କମାଣ୍ଡର ୩,୪୮୮ କିମି ଦୀର୍ଘ ସୀମାରେ ଉତ୍ତେଜନା ହ୍ରାସ ସହ ଯବାନମାନଙ୍କ ମୁହାଁମୁହିଁ ପରିସ୍ଥିତିର ପୁନରାବୃତ୍ତି ନହେବା ପାଇଁ ସହଯୋଗପୂର୍ଣ୍ଣ ବାତାବରଣରେ ଆଲୋଚନା କରିଥିଲେ ବୋଲି କୁହାଯାଇଛି। ତେବେ ପାଙ୍ଗଙ୍ଗ ସୋ ହ୍ରଦକୁ ଭାରତର ଏପରି ଶକ୍ତିଶାଳୀ ଲୌହ ଡଙ୍ଗା ପ୍ରେରଣ ନିଷ୍ପତ୍ତି ଗତ ସପ୍ତାହରେ ଦେଶର ତିନି ସେନାବାହିନୀର ମିଳିତ ଆଲୋଚନାରେ ଚୂଡ଼ାନ୍ତ ହୋଇଥିଲା। ପ୍ରାଥମିକତା ଭିତ୍ତିରେ ବାୟୁସେନାର ଭାରୀସାମଗ୍ରୀବାହୀ ସି-୧୭ ବିମାନ ଯୋଗେ ଲେହକୁ ଏହି ଲୌହଡଙ୍ଗାଗୁଡ଼ିକ ପଠାଇବା ପାଇଁ ଭାରତୀୟ ନୌସେନା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏହି ଭାରୀ ଡଙ୍ଗାଗୁଡ଼ିକ ଚୀନୀ ନୌଭେଳାକୁ ଟକ୍କର ଦେବା ସହ ସେଗୁଡ଼ିକୁ ଚୀନ୍ ସେନା ବୁଡ଼ାଇଦେବାର ଆଶଙ୍କା ମଧ୍ୟ କମ୍‌ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ, ଆଣ୍ଡାମାନ ସାଗରରୁ ପାରସ୍ୟ ଉପସାଗର ମଧ୍ୟରେ କୌଣସି ପ୍ରକାର ପ୍ରତିକୂଳ ପରିସ୍ଥିତିର ନିବାରଣ ପାଇଁ ଭାରତୀୟ ନୌସେନା ଏଭଳି ଭାରୀ ଶକ୍ତିଶାଳୀ ଲୌହଡଙ୍କା ନିଜର ପୂର୍ବତଟ ଓ ପଶ୍ଚିମତଟ ଜାହାଜଗୁଡ଼ିକରେ ନିୟୋଜିତ କରିଛି। ପ୍ରକୃତ ନିୟନ୍ତ୍ରଣ ରେଖାକୁ ନେଇ ରହିଥିବା ମତଭେଦକୁ ଚୀନ୍ ସେନା ଏକ ସ୍ଥାୟୀ ବିବାଦରେ ପରିଣତ କରିବାକୁ ବଡ଼ ଷଡ଼ଯନ୍ତ୍ର କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe