ଯୁଦ୍ଧ ଜାହାଜରୁ ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଭାରତ

ଯୁଦ୍ଧ ଜାହାଜରୁ ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଭାରତ

ଭୁବନେଶ୍ବର : ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତ ଆଉ ଏକ ସଫଳତା ହାସଲ କରିଛି । ଶୁକ୍ରବାରଦିନ ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ଘାଟୀ (ଆଇଟିଆର) ଠାରେ ଭୂପୃଷ୍ଠରୁ ଆକାଶକୁ ମାଡ଼ କରାଯାଇପାରୁଥିବା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (ଭିଏଲ-ଏସଆର ସାମ୍‌)ର ସଫଳ ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନାର ମିଳିତ ଉଦ୍ୟମରେ ଏହି କ୍ଷେପଣାସ୍ତ୍ରର ଫ୍ଲାଇଟ୍‌ ଟେଷ୍ଟ ବା ଆକାଶମାର୍ଗ ପରୀକ୍ଷଣ ହୋଇଥିଲା ।

ଭିଏଲ-ଏସଆର ସାମ୍‌ କ୍ଷେପଣାସ୍ତ୍ର ହେଉଛି ଯୁଦ୍ଧ ଜାହାଜରେ ଖଞ୍ଜା ହେଉଥିବା ଏକ ଅସ୍ତ୍ର ପ୍ରଣାଳୀ, ଯାହାକି ସମୁଦ୍ର ପତନ ଉପରେ କ୍ଷୀପ୍ର ବେଗରେ ଆସୁଥିବା ଲକ୍ଷ୍ୟ ବା ସି ସ୍କିମିଂ ଟାର୍ଗେଟ ସମେତ ଆକାଶମାର୍ଗରୁ ଆସୁଥିବା ବିଭିନ୍ନ ପ୍ରକାର ବିପଦ ଏବଂ ଯୁଦ୍ଧାସ୍ତ୍ରକୁ ନିଷ୍କ୍ରିୟ କରିବାକୁ ସକ୍ଷମ । ଏହାକୁ ଡିଆରଡିଓ ବୈଜ୍ଞାନିକମାନେ ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ କରିଛନ୍ତି ।

ଆକାଶମାର୍ଗରେ ଏକ ନକଲି ବିମାନରୁ ଦ୍ରୁତ ଗତିରେ ଆସୁଥିବା ଲକ୍ଷ୍ୟ ବିରୋଧରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ବା ମିସାଇଲ ସିଷ୍ଟମକୁ ନିକ୍ଷେପ କରାଯାଇଥିଲା । ଏହା ସଫଳତା ପୂର୍ବକ ନିଜର ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ ହୋଇଥିଲା ବୋଲି ଜଣାପଡ଼ିଛି । ଚାନ୍ଦିପୁର ଆଇଟିଆର ପକ୍ଷରୁ ନିୟୋଜିତ ହୋଇଥିବା ଏକାଧିକ ଟ୍ରାକିଂ ଉପକରଣ ମାଧ୍ୟମରେ କ୍ଷେପଣାସ୍ତ୍ରର ଗତି ଓ ମାର୍ଗ ସମେତ ସମସ୍ତ କାର୍ଯ୍ୟକ୍ଷମତା ମାପଦଣ୍ଡ ନିରୀକ୍ଷଣ କରାଯାଇଥିଲା । ଡିଆରଡିଓ ଏବଂ ଭାରତୀୟ ନୌସେନାର ବରିଷ୍ଠ ଅଧିକାରୀମାନେ ଏହି କ୍ଷେପଣାସ୍ତ୍ର ପରୀକ୍ଷଣର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅନୁଧ୍ୟାନ କରିଥିଲେ । ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe