Image Courtesy: IB Times
ନୂଆଦିଲ୍ଲୀ: ବ୍ରହ୍ମୋସ୍ ସୁପରସୋନିକ୍ କ୍ଷେପଣାସ୍ତ୍ରର ଏକ ବିସ୍ତାରିତ ଦୂରଗାମୀ ସଂସ୍କରଣକୁ ଗୁରୁବାର ସୁ-୩୦ ଏମ୍କେଆଇ ଲଢ଼ୁଆ ଯୁଦ୍ଧ ବିମାନରୁ ସଫଳତାର ସହ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛି, ବିମାନରୁ ଉତକ୍ଷେପଣ ଯୋଜନା ଅନୁଯାୟୀ ଏହି ପରୀକ୍ଷଣ ହୋଇଥିଲା ଏବଂ କ୍ଷେପଣାସ୍ତ୍ରଟି ବଙ୍ଗୋପସାଗର ଅଞ୍ଚଳରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ଯାଇ ସିଧାସଳଖ ଭେଦ କରିଥିଲା।
ବ୍ରହ୍ମୋସ୍ କ୍ଷେପଣାସ୍ତ୍ରଟି (୨.୮ ମାଚ୍ ବେଗରେ) ଅର୍ଥାତ୍ ଶବ୍ଦର ବେଗଠାରୁ ପ୍ରାୟ ତିନି ଗୁଣ ଅଧିକ ବେଗରେ ଉଡ଼ିଥାଏ। ପରୀକ୍ଷଣ ହୋଇଥିବା କ୍ଷେପଣାସ୍ତ୍ରର ଏହି ଉନ୍ନତ ସଂସ୍କରଣର ପରିସର ମୂଳ ୨୯୦ କିଲୋମିଟରରୁ ପ୍ରାୟ ୩୫୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଜଣାପଡିଛି। ସୁ-୩୦ ଏମକେଆଇ ବିମାନରୁ କ୍ଷେପଣାସ୍ତ୍ରର ବିସ୍ତାରିତ ଦୂରଗାମୀ ସଂସ୍କରଣର ଏହା ପ୍ରଥମ ପରୀକ୍ଷଣ ଥିଲା। ଆଜିର ସଫଳ ପରୀକ୍ଷଣ ପରେ ବର୍ତ୍ତମାନ ସୁ-୩୦ଏମକେଆଇ ବିମାନର ଉଚ୍ଚ ପ୍ରଦର୍ଶନ ସହିତ ବ୍ରହ୍ମୋସ କ୍ଷେପଣାସ୍ତ୍ରର ବିସ୍ତାରିତ ଦୂରଗାମୀ କ୍ଷମତା ଭାରତୀୟ ବାୟୁସେନାକୁ ଏକ ନୂତନ ସୋପାନରେ ପହଞ୍ଚାଇଛି। ଏବଂ ଏହି ପରୀକ୍ଷଣ ସହିତ ଭାରତୀୟ ବାୟୁସେନା ସୁ-୩୦ଏମକେଆଇ ବିମାନରୁ ବହୁତ ଲମ୍ବା ଦୂରତାରେ ଶତ୍ରୁ ପକ୍ଷର ସ୍ଥଳ/ସମୁଦ୍ର ଲକ୍ଷ୍ୟ ବିରୁଦ୍ଧରେ ସଠିକ୍ ଆକ୍ରମଣ କରିବାର କ୍ଷମତା ହାସଲ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ଗତ ମାସରେ ଭାରତୀୟ ନୌସେନା ବ୍ରହ୍ମୋସ କ୍ଷେପଣାସ୍ତ୍ରର ଜାହାଜ ବିରୋଧୀ ସଂସ୍କରଣର ସଫଳତାର ସହ ପରୀକ୍ଷଣ କରିଥିଲା।
Follow Us