ଇସ୍ତଫା ପାଇଁ ସର୍ତ୍ତ ରଖିଲେ ରାଜପକ୍ଷ: ବାଚସ୍ପତିଙ୍କ ଅଡ଼ୁଆ ବଢ଼ାଇଲେ

Advertisment
ଇସ୍ତଫା ପାଇଁ ସର୍ତ୍ତ ରଖିଲେ ରାଜପକ୍ଷ: ବାଚସ୍ପତିଙ୍କ ଅଡ଼ୁଆ ବଢ଼ାଇଲେ

କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ତାଙ୍କର ଇସ୍ତଫା ନେଇ ଆଜି ହଠାତ ମତ ବଦଳାଇଛନ୍ତି। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଇସ୍ତଫା ସଂକ୍ରାନ୍ତରେ ଆନୁଷ୍ଠାନିକ ଘୋଷଣା ହେବାକୁ ଥିବା ବେଳେ ଏହା ପୂର୍ବରୁ ରାଜପକ୍ଷ କହିଛନ୍ତି ଯେ ତାଙ୍କ ପରିବାରକୁ ସୁରକ୍ଷିତ ଦେଶଛାଡ଼ି ଯିବା ପାଇଁ ସୁଯୋଗ ମିଳିବା ଉଚିତ। ଏହା ସୁନିଶ୍ଚିତ କରାନଯିବା ପର୍ଯ୍ୟନ୍ତ ସେ ତାଙ୍କ ପଦରୁ ଇସ୍ତଫାଦେବେନାହିଁ ବୋଲି କହିଛନ୍ତି। ରାଷ୍ଟ୍ରପତିଙ୍କ ଏହି ନିଷ୍ପତ୍ତି ବାଚସ୍ପତିଙ୍କ ଅଡ଼ୁଆ ବଢ଼ାଇ ଦେଇଛି। ଆଜି ସକାଳେ ଏକ ଇସ୍ତଫାପତ୍ରରେ ସ୍ବାକ୍ଷର କରି ରାଷ୍ଟ୍ରପତି ତାହାକୁ ବାଚସ୍ପତିଙ୍କ ପାଖକୁ ପଠାଇଥିଲେ ଏବଂ ଆସନ୍ତାକାଲି ଏ ବାବଦ ଘୋଷଣା କରିବାକୁ କହିଥିଲେ। ତେବେ ସନ୍ଧ୍ୟାରେ ରାଷ୍ଟ୍ରପତି ଇସ୍ତଫା ପାଇଁ ସର୍ତ୍ତ ରଖିବାରୁ ବାଚସ୍ପତିଙ୍କ ଅଡ଼ୁଆ ବଢ଼ିଛି। ପୂର୍ବ ଘୋଷଣା ମୁତାବକ ବାଚସ୍ପତି ବୁଧବାର ହିଁ ରାଷ୍ଟ୍ରପତିଙ୍କ ଇସ୍ତଫା ଘୋଷଣା କରନ୍ତୁ ବୋଲି ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।

‌ନୌସେନା ଜାହାଜରେ ଅଛନ୍ତି ରାଷ୍ଟ୍ରପତି, ଜଳପଥରେ ପଳାୟନ ଯୋଜନା

କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଦେଶ ଛାଡ଼ିବାକୁ ବାଟ ଖୋଜୁଛନ୍ତି। ଉଗ୍ର ଆନ୍ଦୋଳନକାରୀ ଗତ ଶନିବାର ଦିନ ରାଷ୍ଟ୍ରପତି ଭବନକୁ କବ୍‌ଜା କରିବା ପରଠାରୁ ଗୋଟାବାୟା ରାଜପକ୍ଷ ଅନ୍ୟତ୍ର ଲୁଚି ରହିଛନ୍ତି। ଶୁକ୍ରବାରଠାରୁ ସର୍ବସାଧାରଣରେ ଦେଖା ଦେଉନଥିବା ରାଜପକ୍ଷ ବାସ୍ତବରେ କେଉଁଠାରେ ଲୁଚି ରହିଛନ୍ତି ସେନେଇ ଚର୍ଚ୍ଚା ହେଉଛି। ଦେଶର ମୁଖ୍ୟ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ଥିବା ଏକ ସାମରିକ ଘାଟିରେ ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀ ଗତରାତିରେ ଥି‌ଲେ। ତେବେ ଆଜି ସକାଳୁ ସେ ଏକ ନୌସେନା ଜାହାଜରେ ଅଛନ୍ତି ଏବଂ ସେଠାରୁ ବିବୃତ୍ତି ଜାରି କରୁଥିବା ଜଣାପଡ଼ିଛି । କଲମ୍ବୋ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦେଶ ଛାଡ଼ିବା ଯୋଜନା ପଣ୍ଡ ହେବାପରେ ସେ ସମୁଦ୍ର ପଥ ଦେଇ ପଳାୟନ ଯୋଜନା କରୁଛନ୍ତି। ଗୋଟାବାୟାଙ୍କ ପାଖରେ ଏବେ ଏହି ଗୋଟିଏ ରାସ୍ତା ଅଛି ବୋଲି ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି। ଗୋଟାବାୟା ସମୁଦ୍ର ପଥ ଦେଇ ମାଳଦ୍ବୀପ କିମ୍ବା ଭାରତ ଯିବେ ଏବଂ ସେଠାରୁ ସେ ଦୁବାଇ ଯିବାକୁ ଯୋଜନା କରୁଛନ୍ତି ବୋଲି ଶ୍ରୀଲଙ୍କା ଗଣମାଧ୍ୟମରେ ଖବର ପ୍ରଚାର ହେଉଛି । ଦେଶ ଛାଡ଼ିବା ପାଇଁ ରାଜପକ୍ଷଙ୍କ ପାଖରେ ଏବେ ଅନ୍ୟ ଏକ ବିକଳ୍ପ ଅଛି। ଦେଶର ଦ୍ବିତୀୟ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରାଜପକ୍ଷ ଚାର୍ଟର ବିମାନରେ ଦେଶ ଛାଡ଼ି ପାରନ୍ତି। ଏହି ବିମାନବନ୍ଦର ୨୦୧୩ରେ ଖୋଲା ଯାଇଥିଲା। ରାଷ୍ଟ୍ରପତିଙ୍କ ବଡ଼ ଭାଇ ମହିନ୍ଦାଙ୍କ ନାଁରେ ଏହି ବିମାନବନ୍ଦର ଖୋଲାଯାଇଛି। ଏହା ବିଶ୍ବର ସବୁଠୁ କମ ବ୍ୟବହାର ହେଉଥିବା ବିମାନବନ୍ଦର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe