Image Courtesy of Zee News
ଜାତିସଂଘ: ଲାଗିଥିବା ଇସ୍ରାଏଲ୍-ହମାସ୍ ଯୁଦ୍ଧ ଓ ସମସ୍ତ ପଣବନ୍ଦୀଙ୍କ ନିଃସର୍ତ୍ତ ମୁକ୍ତି ନିମନ୍ତେ ମାନବୀୟ ଦୃଷ୍ଟିକୋଣରୁ ତୁରନ୍ତ ଅସ୍ତ୍ରବିରତି ଦାବି କରି ଜାତିସଂଘ ମହାସଭାରେ ଆଗତ ଚିଠା ପ୍ରସ୍ତାବନା ସପକ୍ଷରେ ମଙ୍ଗଳବାର ଦିନ ଭାରତ ଭୋଟ୍ ଦେଇଛି।
ଆଲ୍ଜେରିଆ, ବାହାରିନ୍, ଇରାକ୍, କୁଏତ୍, ଓମାନ୍, କତର୍, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ୍ ଓ ପାଲେଷ୍ଟାଇନ୍ ଆଦି କେତେକ ଦେଶ ସମେତ ଅନ୍ୟାନ୍ୟ ଅନେକ ଦେଶ ତୁରନ୍ତ ମାନବୀୟ ଅସ୍ତ୍ରବିରତି ଦାବି କରି ଉକ୍ତ ପ୍ରସ୍ତାବନା ଆଗତ କରିଥିଲେ।
ଜାତିସଂଘର ୧୯୩ଟି ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରୁ ଭାରତ, ଫ୍ରାନ୍ସ୍, ଚୀନ୍ ଓ ରୁଷ୍ ସମେତ ୧୫୩ଟି ଦେଶ ଏହି ପ୍ରସ୍ତାବନା ସପକ୍ଷରେ ଭୋଟ୍ ଦେଇଥିଲେ।
ସେହିପରି, ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ୍ ସମେତ ୧୦ଟି ଦେଶ ଏହି ପ୍ରସ୍ତାବନା ବିପକ୍ଷରେ ଭୋଟ୍ ଦେଇଥିବା ବେଳେ ଆର୍ଜେଣ୍ଟିନା, ୟୁକ୍ରେନ୍ ଓ ଜର୍ମାନି ଆଦି ୨୩ଟି ଦେଶ ଭୋଟ୍ଦାନରୁ ବିରତ ଥିଲେ।
Image Courtesy of Times Nowଜାତିସଂଘ ପ୍ରତି ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କମ୍ବୋଜ ଭୀଷଣ ମାନବୀୟ ସଙ୍କଟ ଓ ଉଲ୍ଲେଖଯୋଗ୍ୟସଂଖ୍ୟକ ମାନବ ଜୀବନହାନି ଉପରେ ଗୁରୁତ୍ବାରୋପ କରିଛନ୍ତି।
ସେ କହିଛନ୍ତି, ମହାସଭାରେ ଗୃହୀତ ହୋଇଥିବା ପ୍ରସ୍ତାବନା ସପକ୍ଷରେ ଭାରତ ଭୋଟ୍ ଦେଇଛି। ଏହି ମହାନ୍ ସଙ୍ଗଠନ ଆଲୋଚନା କରୁଥିବା ପରିସ୍ଥିତିର ବହୁମୁଖୀ ଦୃଷ୍ଟିକୋଣ ରହିଛି। ଅକ୍ଟୋବର ୭ ତାରିଖ ଦିନ ଇସ୍ରାଏଲ୍ରେ ଆତଙ୍କବାଦୀ ଆକ୍ରମଣ କରାଯାଇ ପଣବନ୍ଦୀ କରି ନିଆଯାଇଥିବା ଲୋକଙ୍କ ଲାଗି ଦୁଶ୍ଚିନ୍ତା ଲାଗି ରହିଛି। ସେଠାରେ ବ୍ୟାପକ ମାନବୀୟ ସଙ୍କଟ ସୃଷ୍ଟି ହେବା ସହିତ ବହୁସଂଖ୍ୟାରେ ସାଧାରଣ ଜନତା, ବିଶେଷକରି ମହିଳା ଓ ଶିଶୁମାନେ ପ୍ରାଣ ହରାଉଛନ୍ତି। ସେଠାକାର ପ୍ରତ୍ୟେକ ପରିସ୍ଥିତି ଲାଗି ଆନ୍ତର୍ଜାତିକ ମାନବୀୟ ଆଇନ ଲାଗୁ କରାଯିବା ପ୍ରଯୁଜ୍ୟ। ଦୀର୍ଘ ଦିନ ହେବ ଲାଗି ରହିଥିବା ପାଲେଷ୍ଟାଇନ୍ ବିବାଦ ନିମନ୍ତେ ଦୁଇ-ରାଷ୍ଟ୍ରୀୟ ଶାନ୍ତି ଓ ଦୀର୍ଘସ୍ଥାୟୀ ସମାଧାନର ଉପାୟ ନିମନ୍ତେ ଉଦ୍ୟମ ଚାଲିଛି।
ଜାତିସଂଘସ୍ଥିତ ପାଲେଷ୍ଟିନୀୟ ରାଷ୍ଟ୍ରଦୂତ ରିୟାଦ୍ ମନ୍ସୌର୍ କହିଛନ୍ତି, ମହାସଭାରରୁ ପ୍ରଭାବଶାଳୀ ବାର୍ତ୍ତା ପଠାଯାଇଥିବା ଦୃଷ୍ଟିରୁ ଆଜିର ଦିନଟି ସ୍ମରଣୀୟ।
Follow Us