ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ୨୦୪୭ ସୁଦ୍ଧା ବିଶ୍ୱର ଶୀର୍ଷ ତିନି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ମହାଶକ୍ତି ମଧ୍ୟରେ ସ୍ଥାନ ଦେବାର ଏକ ସାହସୀ ଲକ୍ଷ୍ୟ ରଖିଛନ୍ତି। କେବଳ ଏଆଇର ଉପଭୋକ୍ତା ଭାବେ ନୁହେଁ, ବରଂ ଏହାର ସୃଷ୍ଟିରେ ସକ୍ରିୟ ଭୂମିକା ନେବାକୁ  ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ ଅବସରରେ ଏଏନ୍‌ଆଇ ସହ ଏକ ବିଶେଷ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ଏଆଇ ସଂପର୍କରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଭାରତର ଏଆଇ ଅଭିଯାନକୁ ସେ ‘ବିକଶିତ ଭାରତ’ର ଏକ ମୁଖ୍ୟ ଅଂଶ ଭାବରେ ବର୍ଣ୍ଣନା କରିଛନ୍ତି, ଯେଉଁଠାରେ ଏଆଇ ମାନବକୈନ୍ଦ୍ରିକ, ସମାବେଶୀ ଏବଂ ଜାତୀୟ ମୂଲ୍ୟବୋଧ ସହିତ ସଂଯୁକ୍ତ ରହିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏଆଇରେ ଆତ୍ମନିର୍ଭରଶୀଳତାର ଅର୍ଥ ହେଉଛି ଡିଜିଟାଲ୍‌ ଶତାବ୍ଦୀରେ ଭାରତ ନିଜସ୍ୱ କୋଡ୍ ଲେଖିବ ଏବଂ ଆମେ ଏ ଦିଗରେ ଅଗ୍ରସର ହେଉଛୁ।

Advertisment

Encroachment eviction: ଭଦ୍ରକ ସହରରେ ପୁଣି ଉଚ୍ଛେଦ ଅଭିଯାନ ଆରମ୍ଭ

ପ୍ରଧାନମନ୍ତ୍ରୀ ଭାରତର ଏଆଇ କ୍ଷେତ୍ରରେ ବଢ଼ୁଥିବା ଆତ୍ମବିଶ୍ୱାସକୁ ଦର୍ଶାଇ କହିଛନ୍ତି, ଏବେ  ଦେଶ ଷ୍ଟାନ୍‌ଫୋର୍ଡ ଏଆଇ ଭାଇବ୍ରାନ୍ସି ଇଣ୍ଡେକ୍ସ ୨୦୨୫ରେ ଗବେଷଣା, ପ୍ରତିଭା ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ଏଆଇ ବିଭାଜନ କିମ୍ବା ନିୟନ୍ତ୍ରଣର ଉତ୍ସ ନୁହେଁ, ବରଂ ସୁଯୋଗ ଓ ମର୍ଯ୍ୟାଦାର ଏକ ସଶକ୍ତୀକରଣ ଅଧ୍ୟାୟ ହେବା ଉଚିତ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏଆଇ ସମ୍ମିଳନୀର ମୂଳ ମନ୍ତ୍ର ‘ସର୍ବଜନ ହିତାୟ, ସର୍ବଜନ ସୁଖାୟ’ (ସମସ୍ତଙ୍କ ପାଇଁ କଲ୍ୟାଣ, ସମସ୍ତଙ୍କ ପାଇଁ ସୁଖ) ଉପରେ ଆଧାରିତ। ଏହା ୩ଟି ସ୍ତମ୍ଭରେ ଗଠିତ ଏବଂ ତାହା ହେଉଛି- ଲୋକ, ପରିବେଶ ଏବଂ ଅଗ୍ରଗତି। ମୋଦୀ କହିଛନ୍ତି, ‘ଏଆଇ ଏକ ସଭ୍ୟତାଗତ ପରିବର୍ତ୍ତନ ବିନ୍ଦୁରେ ରହିଛି। ଏହା ମାନବ କ୍ଷମତାକୁ ଅଭୂତପୂର୍ବ ଭାବେ ବଢ଼ାଇପାରେ, କିନ୍ତୁ ଅନିୟନ୍ତ୍ରିତ ରହିଲେ ସାମାଜିକ ଭିତ୍ତି ପାଇଁ ଚ୍ୟାଲେଞ୍ଜ ଆଣିପାରେ। ଏଆଇର ବ୍ୟାପକତାକୁ ନେଇ ପ୍ରଧାନମନ୍ତ୍ରୀ  କହିଛନ୍ତି, ଏହା ସମାବେଶୀ ଫଳାଫଳ ଏବଂ ଗ୍ଲୋବାଲ୍‌ ସାଉଥ୍‌ର ଅଣ-ପ୍ରତିନିଧିତ୍ୱ ସ୍ୱରକୁ ବଢ଼ାଇବ। ଏଆଇ ଶାସନ, ସମାବେଶୀ ଡାଟାସେଟ୍, ଜଳବାୟୁ, କୃଷି, ସ୍ୱାସ୍ଥ୍ୟ ଏବଂ ବହୁଭାଷାର ପ୍ରବେଶ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ଆମର ଦୃଷ୍ଟିକୋଣ ସ୍ପଷ୍ଟ। ଏଆଇ ବିଶ୍ୱ ବିକାଶକୁ ତ୍ୱରାନ୍ୱିତ କରିବ ଏବଂ ଗଭୀର ମାନବକୈନ୍ଦ୍ରିକ ରହିବ।

ଜାତୀୟ ମୂଲ୍ୟବୋଧ ସହିତ ସଂଯୁକ୍ତ ରହିବ ଏଆଇ
ସମ୍ମିଳନୀର ମୂଳ ମନ୍ତ୍ର ‘ସର୍ବଜନ ହିତାୟ, ସର୍ବଜନ ସୁଖାୟ’
ନାଗରିକଙ୍କୁ ସଶକ୍ତ କରିବ, ଚାକିରି ବାଟ ଖୋଲିବ

ମୋଦୀ ଏଆଇକୁ ‘୨୦୪୭-ବିକଶିତ ଭାରତ’  ଯାତ୍ରାରେ ଏକ ପରିବର୍ତ୍ତନକାରୀ ସାଧନ ଭାବରେ ବର୍ଣ୍ଣନା କରିଛନ୍ତି। ଏଆଇ ସହର-ଗ୍ରାମାଞ୍ଚଳ ବିଭାଜନକୁ ଦୂର କରିବ, ସମାନ ସୁଯୋଗ ପ୍ରଦାନ କରିବ ଏବଂ ପ୍ରତ୍ୟେକ ନାଗରିକଙ୍କୁ ସଶକ୍ତ କରିବ ବୋଲି ସେ କହିଛନ୍ତି। ଆମେ ପ୍ରାଥମିକ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା, ମଧୁମେହ ରେଟିନୋପାଥି, ଏପିଲେପ୍ସି ଏବଂ ଅନ୍ୟାନ୍ୟ ରୋଗର ପ୍ରାରମ୍ଭିକ ଚିହ୍ନଟ ପାଇଁ ଏଆଇ-ଆଧାରିତ ସମାଧାନ ଦେଖୁଛୁ। ଶିକ୍ଷା କ୍ଷେତ୍ରରେ ଭାରତୀୟ ଭାଷାରେ ଏଆଇ-ଚାଳିତ ବ୍ୟକ୍ତିଗତ ଶିକ୍ଷା ପ୍ଲାଟ୍‌ଫର୍ମ ଗ୍ରାମାଞ୍ଚଳ ଓ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଶୈକ୍ଷିକ ସହାୟତା ପାଇବାରେ ସାହାଯ୍ୟ କରୁଛି। ଏକ ଅନନ୍ୟ ପଦକ୍ଷେପକ୍ରମେ ‘ଅମୁଲ୍‌’ ହଜାର ହଜାର ଗ୍ରାମର ୩୬ ଲକ୍ଷ ମହିଳା ଦୁଗ୍ଧଚାଷୀଙ୍କ ପାଖରେ ପହଞ୍ଚିବା ପାଇଁ ଏଆଇର ବ୍ୟବହାର କରୁଛି। ଗୁଜୁରାଟରେ ଗୋସ୍ୱାସ୍ଥ୍ୟ ଓ ଉତ୍ପାଦକତା ଉପରେ ମାର୍ଗଦର୍ଶନ ପ୍ରଦାନ କରୁଛି। ଏଥିସହିତ ତୃଣମୂଳ ସ୍ତରର ମହିଳା ଉତ୍ପାଦକମାନଙ୍କୁ ସଶକ୍ତ କରୁଛି। କୃଷି କ୍ଷେତ୍ରରେ ଫସଲ ବାବଦ ପରାମର୍ଶ, ମୃତ୍ତିକା ବିଶ୍ଳେଷଣ ଏବଂ ପାଣିପାଗ ବୁଦ୍ଧିମତ୍ତା ସହିତ ଏଆଇକୁ ସଂଯୋଗ କରି ଏ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରାଯିବ। ଏହା ଚାଷୀମାନଙ୍କୁ ଉତ୍ତମ ତଥା ସ୍ଥାନୀୟ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ। ଐତିହ୍ୟ ସଂରକ୍ଷଣରେ ମଧ୍ୟ ଏଆଇ ପ୍ରାଚୀନ ପାଣ୍ଡୁଲିପିର ଡିଜିଟାଇଜେସନ୍ ଏବଂ ବ୍ୟାଖ୍ୟାକୁ ସକ୍ଷମ କରୁଛି। ଏହା ଭାରତର ସଭ୍ୟତାଗତ ଜ୍ଞାନ ପ୍ରଣାଳୀକୁ ଉନ୍ମୁକ୍ତ କରୁଛି। ଯେତେବେଳେ ବିଶ୍ୱ ଏଆଇ ବିଭାଜନକୁ ଗଭୀର କରିବା ବିଷୟରେ ଚିନ୍ତିତ, ଠିକ୍ ସେହି ସମୟରେ ଭାରତ ବିଭାଜନକୁ ଦୂର କରିବା ପାଇଁ ଏହାକୁ ବ୍ୟବହାର କରୁଛି। ଆମେ ପ୍ରତ୍ୟେକ ଗ୍ରାମ, ଜିଲ୍ଲା ଏବଂ ପ୍ରତ୍ୟେକ ନାଗରିକଙ୍କୁ ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଆର୍ଥିକ ସୁଯୋଗ ପ୍ରଦାନ କରିବା ପାଇଁ ଏହାକୁ ଏକ ଦକ୍ଷ ଉପକରଣ ରୂପେ ଉପଯୋଗ କରୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅର୍ଥନୈତିକ ଭାବରେ, ଆଇଟି କ୍ଷେତ୍ର ୨୦୩୦ ସୁଦ୍ଧା ୪୦୦ ବିଲିୟନ୍ ଡଲାରରେ ପହଞ୍ଚିବ। ଷ୍ଟାର୍ଟଅପ୍‌ଗୁଡ଼ିକ ବିଶାଳ ସ୍ଥିତିରେ ପହଞ୍ଚିବା ସହ  ଲକ୍ଷାଧିକ ଉଚ୍ଚଗୁଣବତ୍ତା ଚାକିରି ସୃଷ୍ଟି କରିବ। ଏହି ଦୃଶ୍ୟପଟରେ ଭାରତ ଶୀର୍ଷ ତିନି ଏଆଇ ମହାଶକ୍ତି ମଧ୍ୟରେ ରହିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।  

Hockey: ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ପୁଣି ଆବେଦନ କଲେ ଶ୍ରୀଜେଶ୍‌

ଆତ୍ମନିର୍ଭର ଭାରତରେ ଆମ ଏଆଇ ଭାରତୀୟ ମୂଲ୍ୟବୋଧ ଆଧାରିତ ହେବ ଏବଂ ସ୍ୱଦେଶୀ ଏଆଇ ମଡେଲ୍ ବିକାଶ କରି ବିଶ୍ୱକୁ ସେବା ପ୍ରଦାନ କରିବା ଆମର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଆଇ ୨୦୨୬-୨୭ ବଜେଟ୍ ଡାଟା ସେଣ୍ଟର୍, କ୍ଲାଉଡ୍ ଏବଂ ସେମିକଣ୍ଡକ୍ଟର୍ ଉତ୍ପାଦନକୁ ସମର୍ଥନ କରୁଛି। ଆଧାର ଏବଂ ଯୁପିଆଇ ସହ ଏଆଇର ସଂଯୋଗ ଶାସନକୁ ଉନ୍ନତ କରୁଛି ବୋଲି ପ୍ରଧାନନ୍ତ୍ରୀ କହିଛନ୍ତି। ଚାକିରି ହରାଇବାର ଭୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରସ୍ତୁତି ଭୟର ସର୍ବୋତ୍ତମ ଔଷଧ।  କୌଶଳ ବିକାଶ ଦ୍ୱାରା ଏଆଇ ଚାକିରି ସୃଷ୍ଟି ପାଇଁ ସହାୟକ ହେବ।

ଏଆଇ ସଂପର୍କିତ ସୁରକ୍ଷା, ନିୟମ ଏବଂ ବିଶ୍ୱ ସହଯୋଗ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ସୁନିୟୋଜିତ ଭାବେ ମାନବ ନିୟନ୍ତ୍ରଣ ଉପରେ ଫୋକସ୍‌  କରିବା ଉଚିତ ଏବଂ ଏ କ୍ଷେତ୍ରରେ ସ୍ବଚ୍ଛତା ମଧ୍ୟ ଜରୁରି। ସୁରକ୍ଷିତ ଡିଜାଇନ୍, ସ୍ପଷ୍ଟ ନୀତି ସହ  ଡିପ୍‌ଫେକ୍ ନିଷିଦ୍ଧକୁ ଆମେ ଗୁରୁତ୍ବ ଦେଉଛୁ। ଦେଶରେ ‘ଇଣ୍ଡିଆ ଏଆଇ ସେଫ୍ଟି ଇନ୍‌ଷ୍ଟିଟ୍ୟୁଟ୍’ ଏବେ ତା’ର କାର୍ଯ୍ୟ କରୁଛି।  ଏଆଇ କଣ୍ଟେଣ୍ଟ୍ ପାଇଁ ୱାଟରମାର୍କିଙ୍ଗ ଏବଂ ଡିଜିଟାଲ୍ ପର୍ସନାଲ୍ ଡାଟା ସୁରକ୍ଷା ଆଇନ ଲାଗୁ ହେଉଛି। ଏଥିପାଇଁ ବିଶ୍ୱସ୍ତରରେ ସହଯୋଗ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଆଇର ସୀମାବଦ୍ଧତା ଏବଂ ପକ୍ଷପାତିତା ସଂପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏଆଇକୁ ନେଇ ଉଭୟ ପ୍ରସଙ୍ଗ ସମ୍ପର୍କରେ ଚିନ୍ତା ପ୍ରାସଙ୍ଗିକ ରହିଛି। ଏଆଇ ଗ୍ରହଣୀୟତା ତ୍ୱରାନ୍ୱିତ ହେବା ସହିତ ବିପଦ ମଧ୍ୟ ବୃଦ୍ଧି ପାଇଥାଏ। ଏଆଇ ସିଷ୍ଟମଗୁଡ଼ିକ ଅଜାଣତରେ ଲିଙ୍ଗ, ଭାଷା ଏବଂ ସାମାଜିକ-ଆର୍ଥିକ ପୃଷ୍ଠଭୂମି ସହିତ ଜଡ଼ିତ ପକ୍ଷପାତିତାକୁ ସ୍ଥାୟୀ କରିପାରେ। ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ ବିଭିନ୍ନ ଅଂଶୀଦାରମାନଙ୍କୁ ଏକାଠି କରୁଛି ଏବଂ ଏଆଇର ପକ୍ଷପାତିତା ଏବଂ ସୀମାବଦ୍ଧତା ଭଳି ବିଷୟଗୁଡ଼ିକ ଉପରେ ବିଶ୍ୱସ୍ତରରେ ସଚେତନତା ସୃଷ୍ଟି କରୁଛି। ଏହା ଏପରି ଏକ ସମସ୍ୟା ଯାହା ପାଇଁ ବିଶ୍ୱ ସହଯୋଗ ଆବଶ୍ୟକ। ବିଶେଷ କରି ଭାରତ ପାଇଁ ଆମେ ଅଭିନବ ଆହ୍ୱାନ ଏବଂ ସୁଯୋଗର ସମ୍ମୁଖୀନ ହେଉଛୁ।  ମୁଖ୍ୟତଃ ଇଂରାଜୀ ତଥ୍ୟ କିମ୍ବା ସହରାଞ୍ଚଳ ପ୍ରସଙ୍ଗରେ ପ୍ରଶିକ୍ଷିତ ଏଆଇ ସିଷ୍ଟମ ଗ୍ରାମୀଣ ଉପଭୋକ୍ତା କିମ୍ବା ଆଞ୍ଚଳିକ ଭାଷା କହୁଥିବା ଲୋକଙ୍କ ପାଇଁ ଖରାପ ପ୍ରଦର୍ଶନ କରିପାରେ। ସକାରାତ୍ମକ ବିକାଶ ହେଉଛି ଯେ ଭାରତ ଏହାକୁ ଅଧିକ ବ୍ୟବସ୍ଥିତ ଭାବରେ ସମାଧାନ କରିବା ଆରମ୍ଭ କରିଛି। ଆମେ ଭାରତର ବହୁଳତାକୁ ପ୍ରତିନିଧିତ୍ୱ କରୁଥିବା ବିବିଧ ଡାଟାସେଟ୍ ସୃଷ୍ଟି କରିବା ଉପରେ ବର୍ଦ୍ଧିତ ଧ୍ୟାନ ଦେଉଛୁ। ଆଞ୍ଚଳିକ ଭାଷାରେ ଏଆଇ ବିକାଶ ଉପରେ ଅଧିକ ଗୁରୁତ୍ୱାରୋପ କରୁଛୁ। ଭାରତୀୟ ଶିକ୍ଷାନୁଷ୍ଠାନ ଏବଂ ଟେକ୍ କମ୍ପାନିଗୁଡ଼ିକରେ ନିରପେକ୍ଷତା ଏବଂ ପକ୍ଷପାତିତା ଉପରେ ବଢ଼ୁଥିବା ଗବେଷଣା ଦେଖୁଛୁ।

ପ୍ରତ୍ୟେକ ଭାରତୀୟ ଏଆଇକୁ ସୁଯୋଗର ସଶକ୍ତୀକରଣକାରୀ ଭାବରେ ଅନୁଭବ କରିବାକୁ ହେବ ଏବଂ  ଭାରତ ଏକ ସମାବେଶୀ, ଦାୟିତ୍ୱପୂର୍ଣ୍ଣ ଏଆଇ ଭବିଷ୍ୟତ ଗଠନରେ ନେତୃତ୍ୱ ନେବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏଆଇ ଆମ କଲ୍ୟାଣ ଲକ୍ଷ୍ୟ ହାସଲକୁ ଉନ୍ନତ କରିପାରିବ, ଠକେଇ ଚିହ୍ନଟ ବ୍ୟବସ୍ଥାକୁ ମଜଭୁତ କରିପାରିବ, ଭିତ୍ତିଭୂମିର ଆକଳିତ ରକ୍ଷଣାବେକ୍ଷଣକୁ ସକ୍ଷମ କରିପାରିବ, ସହରାଞ୍ଚଳ ଯୋଜନାକୁ ସମର୍ଥନ କରିପାରିବ ଏବଂ ସାର୍ବଜନୀନ ପ୍ରଣାଳୀରେ ସ୍ୱଚ୍ଛତା ବୃଦ୍ଧି କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।