ସ୍ବତନ୍ତ୍ର ଆୟୁଷ ଭିସା ଆଣିବ ଭାରତ

ଆୟୁଷ୍ କ୍ଷେତ୍ରରେ ନିବେଶ ଓ ନବୋଦ୍ଭାବନ ସମ୍ଭାବନା ଅସୀମ: ମୋଦୀ

ସ୍ବତନ୍ତ୍ର ଆୟୁଷ ଭିସା ଆଣିବ ଭାରତ

IndiaTV News

ଗାନ୍ଧୀନଗର: ଯେଉଁ ବିଦେଶୀମାନେ ପାରମ୍ପରିକ ଚିକିତ୍ସା ପାଇଁ ଭାରତ ଆସିବାକୁ ଚାହାନ୍ତି ସେମାନଙ୍କ ଲାଗି ଭାରତ ଏକ ସ୍ବତନ୍ତ୍ର ଆୟୁଷ୍ ଭିସା ପ୍ରଚଳିନ କରିବାକୁ ନିଷ୍ପତ୍ତି ନେଇଛି। ବୁଧବାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମହାନିର୍ଦ୍ଦେଶକ ଡ. ଟେଡ୍ରୋସ୍ ଆଧାନମ୍ ଗେବ୍ରେୟେସସ୍‌ଙ୍କ ଉପସ୍ଥିତିରେ ଗୁଜରାଟର ଗାନ୍ଧୀନଗରଠାରେ ଏକ ତିନିଦିନିଆ ବିଶ୍ବ ଆୟୁଷ୍ ନିବେଶ ଓ ନବୋଦ୍ଭାବନ ସମ୍ମିଳନୀର ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।

ଏଥିସହ ମୋଦୀ କହିଛନ୍ତି ଯେ ଆୟୁଷ୍ କ୍ଷେତ୍ରରେ ନିବେଶ ଓ ନବୋଦ୍ଭାବନର ଅନନ୍ତ ସମ୍ଭାବନା ରହିଛି। ସମ୍ପ୍ରତି ଆୟୁଷ୍ ଔଷଧ, ସପ୍ଲିମେଣ୍ଟ (ଭିଟାମିନ୍) ଓ ପ୍ରସାଧକ ସାମଗ୍ରୀର ବ୍ୟାପକ ଚାହିଦା ବୃଦ୍ଧି ପାଇଛି। ଆୟୁଷ୍ ଔଷଧର ମାନରକ୍ଷା ଉପରେ ଗୁରୁତ୍ବ ଦିଆଯିବ। ଏକ ସ୍ବତନ୍ତ୍ର ଆୟୁଷ୍ ହଲ୍‌ମାର୍କର ପ୍ରଚଳନ କରାଯିବ ଏବଂ ସର୍ବୋତ୍ତମ ମାନବିଶିଷ୍ଟ ଆୟୁଷ୍ ଔଷଧରେ ଏହି ହଲ୍‌ମାର୍କ ରହିବ ବୋଲି ମୋଦୀ କହିଛନ୍ତି। ଯେଉଁ କୃଷକମାନେ ଔଷଧୀୟ ବୃକ୍ଷ ଚାଷ କରୁଛନ୍ତି ସେମାନେ ବଜାରର ସୁବିଧା ପାଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସେଥିପାଇଁ ଆୟୁଷ୍ ଇ-ମାର୍କେଟ୍‌ପ୍ଲେସ୍‌ର ଆଧୁନିକୀକରଣ ଓ ସମ୍ପ୍ରସାରଣ ଉପରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏ ବର୍ଷ ୧୪ଟି ଷ୍ଟାର୍ଟ-ଅପ୍ ୟୁନିକର୍ଣ୍ଣ କ୍ଲବ୍‌ରେ ଯୋଗ ଦେଇଛନ୍ତି ଏବଂ ଖୁବ୍‌ଶୀଘ୍ର ଆୟୁଷ୍ ଇକୋସିଷ୍ଟମ୍‌ କ୍ଷେତ୍ରରୁ ୟୁନିକର୍ଣ୍ଣ ବାହାରିବେ ବୋଲି ସେ କହିଥିଲେ।

ଉକ୍ତ ତିନିଦିନିଆ ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇଥିବା ହୁ ମୁଖ୍ୟ ଗେବ୍ରେୟେସସ୍ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ପବିତ୍ର ମାଟିକୁ ଆସିବାର ସୁଯୋଗ ପାଇ ସେ ନିଜକୁ ଧନ୍ୟ ମନେ କରୁଛନ୍ତି। ଏହି ଅବସରରେ ମରିସସ୍ ପ୍ରଧାନମନ୍ତ୍ରୀ ପିକେ ଜଗନ୍ନାଥ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ କେନ୍ଦ୍ର ଆୟୁଷ୍ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe