ତେଲ କିଣିବା ପାଇଁ କାହାର ଚାପକୁ ଖାତିର କରିବ ନାହିଁ ଭାରତ: ଭାରତୀୟ ରାଷ୍ଟ୍ରଦୂତ

ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ଲଗାଇବା ଏବଂ ରୁଷରୁ ତେଲ କିଣିବା ପାଇଁ ଆମେରିକାର ସମାଲୋଚନାର ଜବାବ ଭାରତୀୟ ରାଷ୍ଟ୍ରଦୂତ ବିନୟ କୁମାର ଦେଇଛନ୍ତି । ସେ ସ୍ପଷ୍ଟ ଭାବରେ କହିଛନ୍ତି, ଭାରତକୁ କାହାଠାରୁ ତେଲ କିଣିବାରୁ ରୋକାଯାଇପାରିବ ନାହିଁ...

India will not bow to anyone's pressure to buy oil: Indian Ambassador

India will not bow to anyone's pressure to buy oil: Indian Ambassador Photograph: (sambad.in)

ମସ୍କୋ:ରୁଷିଆରେ ଭାରତୀୟ ରାଷ୍ଟ୍ରଦୂତ ବିନୟ କୁମାର ସ୍ପଷ୍ଟ କରିଛନ୍ତି ଯେ, ଭାରତ ତୈଳ କ୍ରୟ ପ୍ରକିୟାରେ କୌଣସି ଚାପ କାମ କରିବ ନାହିଁ।  ଭାରତୀୟ କମ୍ପାନିଗୁଡ଼ିକ ଯେଉଁଠାରୁ ସର୍ବୋତ୍ତମ ଡିଲ୍ ପାଇବେ ସେଠାରୁ ତେଲ କିଣିବା ଜାରି ରଖିବେ। ଆମେରିକାକୁ ସମାଲୋଚନା କରି ସେ କହିଛନ୍ତି, ନୂଆଦିଲ୍ଲୀ ନିଜର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବ। ଆମେରିକା ଦ୍ୱାରା ଭାରତ ଉପରେ ଅତିରିକ୍ତ ଶୁଳ୍କ ଘୋଷଣା ନେଇ  ବିନୟଙ୍କର ଏହି ମନ୍ତବ୍ୟ ଆସିଛି। ଆମେରିକା କହି୍‌ଥିଲା, ଭାରତ ଉପରେ ଶୁଳ୍କ ଲଗାଇବାର ଉଦ୍ଦେଶ୍ୟ ହେଉଛି ଏହାକୁ ରୁଷିଆରୁ ତେଲ କିଣିବାରୁ ରୋକିବା।

ରୁଷିଆର ସରକାରୀ ସମାଚାର ଏଜେନ୍ସି ଟିଏଏସଏସ ସହିତ ଏକ ସାକ୍ଷାତକାରରେ ବିନୟ କୁମାର ଭାରତର ତୈଳ କ୍ରୟ ଏବଂ ଆମେରିକା ସହିତ ଉତ୍ତେଜନା ବିଷୟରେ କହିଛନ୍ତି। ସେ କହିଛନ୍ତି, ନୂଆଦିଲ୍ଲୀର ପ୍ରାଥମିକତା ହେଉଛି ଦେଶର ୧.୪ ବିଲିୟନ ଲୋକଙ୍କ ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା। ଭାରତ ଏବଂ ରୁଷିଆ ମଧ୍ୟରେ ବାଣିଜ୍ୟ ପାରସ୍ପରିକ ସ୍ୱାର୍ଥ ଏବଂ ବଜାର କାରକ ଉପରେ ଆଧାରିତ। ଭାରତରଲୋକଙ୍କ ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବାର ସାମଗ୍ରିକ ଉଦ୍ଦେଶ୍ୟ ହାସଲ ପାଇଁ ଏହା କରାଯାଉଛି।
  

ବିନୟ କୁମାର ରୁଷିଆ ସହିତ ନୂଆଦିଲ୍ଲୀର ନିରନ୍ତର ଶକ୍ତି ବାଣିଜ୍ୟର ଜବାବରେ ଭାରତୀୟ ଆମଦାନୀ ଉପରେ ଶୁଳ୍କ ଦ୍ୱିଗୁଣିତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ଏପରି ଶୁଳ୍କ ବୃଦ୍ଧି ନ୍ୟାୟପୂର୍ଣ୍ଣ ବାଣିଜ୍ୟର ନୀତିକୁ କ୍ଷୁର୍ଣ୍ଣ କରେ। ସେ ସ୍ପଷ୍ଟ ଭାବରେ କହିଛନ୍ତି, ଭାରତ ଉପରେ ଶୁଳ୍କ ଲାଗୁ କରିବା ପାଇଁ ଆମେରିକାର ନିଷ୍ପତ୍ତି ଅଯୌକ୍ତିକ ଏବଂ ଅନୁଚିତ।


ବିନୟ କୁମାର ଟ୍ରମ୍ପ୍‌ଙ୍କୁ ସିଧାସଳଖ ବାର୍ତ୍ତା ଦେଇ କହିଛନ୍ତି, ଭାରତର ଶକ୍ତି ନୀତି ବାହ୍ୟ ରାଜନୈତିକ ଚାପ ଦ୍ୱାରା ନୁହେଁ, ବରଂ ନିଜର ଲୋକଙ୍କୁ ନିର୍ଭରଯୋଗ୍ୟ ଯୋଗାଣ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ଆଧାରିତ ବାଣିଜ୍ୟିକ ଭିତ୍ତିରେ କରାଯାଇଥାଏ। ଭାରତୀୟ କମ୍ପାନିଗୁଡ଼ିକ ଯେଉଁଠାରୁ ସର୍ବୋତ୍ତମ ଡିଲ୍ ପାଇବେ ସେଠାରୁ ତେଲ କିଣିବା ଜାରି ରଖିବେ। ଏହା ବର୍ତ୍ତମାନର ପରିସ୍ଥିତି।

ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ରୁଷିଆରୁ ତେଲ କିଣିବା ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଜୟଶଙ୍କର ଆମେରିକାର ଶୁଳ୍କ ବୃଦ୍ଧି ପଦକ୍ଷେପକୁ ଅନୁଚିତ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ନୂଆଦିଲ୍ଲୀ ଭାରତୀୟ ଚାଷୀ ଏବଂ କ୍ଷୁଦ୍ର ଉତ୍ପାଦକଙ୍କ ସ୍ୱାର୍ଥ ସହିତ କୌଣସି ସାଲିସ୍ କରିବ ନାହିଁ। 

 India | Russia | USA | donald-trump | tariff-war 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe