latestly
ନୂଆଦିଲ୍ଲୀ: ଭାରତୀୟ ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ ପାକ୍ ଅଧିକୃତ କାଶ୍ମୀର(ପିଓକେ) ଭାରତର ବୋଲି କହିଛନ୍ତି। ସେ କହିଛନ୍ତି କିି ସଂସଦ ଚାହିଁଲେ ପିଓକେକୁ ପୂରାପୂରି କବ୍ଜା କରିବାର କ୍ଷମତା ସୁରକ୍ଷା ବଳ ନିକଟରେ ରହିଛି। ତେବେ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ କେବଳ ସଂସଦର ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି ବୋଲି ନରୱାଣେ ପ୍ରକାଶ କରିଛନ୍ତି।
ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ନରୱାଣେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ‘ପୂରା ଜମ୍ମୁକଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଏ ନେଇ ଏକ ସଂସଦୀୟ ସଂକଳ୍ପ ମଧ୍ୟ ଅତୀତରେ ପାରିତ ହୋଇଛି। ସଂସଦ ଚାହିଁଲେ ସେ ସଂପୂର୍ଣ୍ଣ ଅଞ୍ଚଳ ଆମର ହେବ। ପୂରା ଅଞ୍ଚଳକୁ କବ୍ଜା କରିବା ପାଇଁ ନିର୍ଦ୍ଦେଶ ମିଳିବା ପରେ ଆମେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।’ ଏକ ଟେଲିଭିଜନ ଚ୍ୟାନେଲ୍କୁ ନରୱାଣେ ନିକଟରେ ସାକ୍ଷାତ୍କାର ଦେଇ କହିଥିଲେ କି ପିଓକେରେ ବଡ଼ ଧରଣର ଅପରେସନ କରିବା ପାଇଁ ଭାରତୀୟ ସେନା ସଦା ପ୍ରସ୍ତୁତ ରହିଛି।
ପିଓକେରେ ସେନାର ସକ୍ରିୟତାକୁ ନେଇ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ନରୱାଣେ କହିଛନ୍ତି, ‘ଜମ୍ମୁ-କଶ୍ମୀର ସମେତ ଅନ୍ୟାନ୍ୟ ସୀମାନ୍ତରେ ଆମ ସୈନିକମାନେ ସବୁ ସମୟରେ ଜଗି ରହିଛନ୍ତି। ସୀମାକୁ ସୁରକ୍ଷିତ କରିବା ଲାଗି ଆମ ନିକଟରେ ଅନେକ ଯୋଜନା ରହିଛି। ଆବଶ୍ୟକ ପଡ଼ିଲେ ସେ ଯୋଜନାକୁ ଆମେ କାର୍ଯ୍ୟକାରୀ କରିବୁ। ଆମେ ସଫଳତା ହାସଲ କରିବୁ ବୋଲି ବିଶ୍ବାସ ବି ରହିଛି।’
ପୂର୍ବରୁ ସେପ୍ଟେମ୍ବର ମାସରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୈଶଙ୍କର କହିଥିଲେ କି ‘ପିଓକେ ଭାରତର ଏକ ଅଂଶ ବିଶେଷ । ଆମେ ଆଶା ରଖିଛୁ କି ଭବିଷ୍ୟରେ ଏହା ଉପରେ ଆମର ପ୍ରକୃତ ଅଧିକାର ବି ରହିବ।’
Follow Us