ThePrint
ନୂଆଦିଲ୍ଲୀ : ପୂର୍ବ ଲଦାଖର ଏଲଏସି ସନ୍ନିକଟ ପାଙ୍ଗଙ୍ଗ ସୋ' ହ୍ରଦ ଇଲାକାରେ ଚୀନ ସେନାର ସଦ୍ୟ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିଛି। ପରିସ୍ଥିତିକୁ ହାଲକା କରିବା ଲାଗି ଗତକାଲି କମାଣ୍ଡରସ୍ତରୀୟ କଥାବାର୍ତ୍ତା ବିଫଳ ହେବା ପରେ ଆଜି ମଧ୍ୟ ଚୁସୁଲ୍ରେ ଅନୁରୂପ ଆଲୋଚନା ଜାରି ରହିଛି। ଏହି ବୈଠକ ପୂର୍ବ ଭଳି କୌଣସି ପକ୍ଷର ଶିବିରରେ ନହୋଇ ନିରପେକ୍ଷ ଖୋଲା ସ୍ଥାନରେ ହେଉଛି। ଏହି ଅବସରରେ ଭାରତୀୟ ଯବାନମାନେ ପାଙ୍ଗଙ୍ଗ ସୋ' ହ୍ରଦର ଦକ୍ଷିଣ ଉପକୂଳ ସନ୍ନିକଟ ଉଚ୍ଚ ପାର୍ବତ୍ୟାଞ୍ଚଳର ତିନିଟି ପର୍ବତ ଶିଖରରେ ନିଜକୁ ସୁଦୃଢ଼ କରିସାରିଥିବା ବେଳେ ଉତ୍ତର ଉପକୂଳରେ ମଧ୍ୟ ବ୍ୟାପକ ସୈନ୍ୟ ମୁତୟନ କରିଚାଲିଛନ୍ତି। ବିଶେଷ କରି ଫିଙ୍ଗର ୨ ଓ ଫିଙ୍ଗର ୩ ଇଲାକାରେ ଭାରତୀୟ ଯବାନଙ୍କ ଉପସ୍ଥିତି ବହୁସଂଖ୍ୟାରେ ଦେଖିବାକୁ ମିଳିଛି। ଏପରିକି ସେମାନେ ଚୀନ୍ ଦଖଲରେ ଥିବା ଫିଙ୍ଗର ୪ ଇଲାକା ଆଡ଼କୁ ମଧ୍ୟ ଅଗ୍ରସର ଅଭିଯାନ ଚଳାଇଛନ୍ତି। ତେବେ ଚୀନର ଯେ କୌଣସି ପଦକ୍ଷେପକୁ ପ୍ରତିହତ କରିବା ପାଇଁ ସମଗ୍ର ଲଦାଖର ୧,୫୯୭ କିମି ଦୀର୍ଘ ବ୍ୟାପୀ ପ୍ରକୃତ ନିୟନ୍ତ୍ରଣ ରେଖାର ଗୁରୁତ୍ବପୂର୍ଣ୍ଣ ଘାଟିମାନଙ୍କରେ ବିପୁଳ ସଂଖ୍ୟାରେ ଭାରତୀୟ ଯବାନ ସତର୍କ ହୋଇ ରହିଛନ୍ତି।
Follow Us