ନାଗା ବିଦ୍ରୋହୀଙ୍କ ଉପରେ ଭୟଙ୍କର ଆକ୍ରମଣ

ବହୁସଂଖ୍ୟକ ବିଦ୍ରୋହୀ ନିପାତ, ଏନ୍‌ଏସ୍‌ସିିଏନ୍‌(କେ)ର ବହୁ ଆଡ଼ା ଧ୍ୱସ୍ତ

ନାଗା ବିଦ୍ରୋହୀଙ୍କ ଉପରେ ଭୟଙ୍କର ଆକ୍ରମଣ

Photo by : inkhabar.com

ନୂଆଦିଲ୍ଲୀ : ଭାରତୀୟ ସେନା ବୁଧବାର ମିଆଁମାର ସୀମାରେ ଏନ୍‌ଏସ୍‌ସିଏନ୍‌(ଖପଲାଙ୍ଗ) ନାଗା ବିଦ୍ରୋହୀ ସଙ୍ଗଠନ ଉପରେ ଭୟଙ୍କର ଆକ୍ରମଣ କରିଛି। ଏଥିରେ ବିଦ୍ରୋହୀ ଗୋଷ୍ଠୀର ବହୁ ଆଡ଼ା ଧ୍ୱସ୍ତବିଧ୍ୱସ୍ତ ହେବା ସହ ବହୁସଂଖ୍ୟକ ବିଦ୍ରୋହୀ ନିହତ ହୋଇଛନ୍ତି।

ନାଗା ବିଦ୍ରୋହୀମାନେ ମିଆଁମାର ସୀମା ନିକଟରେ ଥିବା ଦୁର୍ଭେଦ୍ୟ ଜଙ୍ଗଲରେ ଶିବିର ସ୍ଥାପନ କରି ଭାରତୀୟ ସେନା ଉପରେ ବରାବର ଆକ୍ରମଣ କରି ଆସୁଥିଲେ। ଦେଶର ୪ଟି ରାଜ୍ୟ ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମିଜୋରାମ, ମଣିପୁର ସହ ମିଆଁମାରର ସୀମା ସଂଲଗ୍ନଥିବାରୁ ବିଦ୍ରୋହୀମାନେ ଏହି ରାଜ୍ୟଗୁଡ଼ିକରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିଲେ। କିଛିମାସ ତଳେ ନାଗା ବିଦ୍ରୋହୀମାନେ ମଣିପୁରରେ ଜାତୀୟ ରାଜପଥକୁ ଅବରୋଧ କରି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ କରିଥିଲେ। ଏହି ବିଦ୍ରୋହୀଙ୍କୁ ମୂଳପୋଛ କରିବାକୁ ଆଜି ପ୍ରତ୍ୟୁଷ ୪.୪୫ରେ ଭାରତୀୟ ସେନାର ପାରା କମାଣ୍ଡୋଙ୍କ ପକ୍ଷରୁ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ସେନା ସୂତ୍ରରୁ ପ୍ରକାଶ, ଏହି ଆକ୍ରମଣ ପାଇଁ ଜଙ୍ଗଲ ଯୁଦ୍ଧରେ ଅଭ୍ୟସ୍ତ ଥିବା ପାରା କମାଣ୍ଡୋଙ୍କୁ ନିୟୋଜିତ କରାଯାଇଥିଲା। ଗୁଇନ୍ଦା ତଥ୍ୟକୁ ଭିତ୍ତିକରି ଯବାନମାନେ କେଉଁ କେଉଁ ସ୍ଥାନରୁ ଆକ୍ରମଣ ଆରମ୍ଭ କରିବେ ସେନେଇ ଯୋଜନାବଦ୍ଧ ନିଷ୍ପତ୍ତି ନିଆଯାଇଥିଲା। ଗତ ମଙ୍ଗଳବାର ରାତିରେ ପାରା କମାଣ୍ଡୋମାନଙ୍କୁ ହେଲିକପ୍ଟର ଦ୍ୱାରା ନିଆଯାଇଥିଲା। ବିଦ୍ରୋହୀମାନଙ୍କ ଆଡ଼ା ରହିଥିବା ଅଞ୍ଚଳଠାରୁ ୫୦୦ ମିଟର ଦୂରରେ ସେମାନଙ୍କୁ ନିୟୋଜିତ କରାଯାଇଥିଲା। ଆଜି ପ୍ରତ୍ୟୁଷରେ ଅନ୍ଧକାର ନଯାଉଣୁ ଯବାନମାନେ ନିର୍ଦ୍ଦିଷ୍ଟ ବିଦ୍ରୋହୀ ଆଡ଼ାଗୁଡ଼ିକ ଉପରେ ଚଢ଼ାଉ କରିଥିଲେ। ବିଦ୍ରୋହୀମାନେ ଅତର୍କିତ ଆକ୍ରମଣ ପାଇଁ ପ୍ରସ୍ତୁତ ନଥିବାରୁ ବହୁ ସଂଖ୍ୟାରେ ମୃତାହତ ହୋଇଥିବା ସୂଚନା ମିଳିଛି। ତେବେ ଭାରତୀୟ ସେନା ମିଆଁମାର ମଧ୍ୟରେ ପ୍ରବେଶ କରିଥିବା ଖବରକୁ ଅସ୍ୱୀକାର କରିଛି। ଏହା ସର୍ଜିକାଲ ଷ୍ଟ୍ରାଇକ ନୁହେଁ ବୋଲି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେନା ଆକ୍ରମଣରେ ବିଦ୍ରୋହୀଙ୍କ ବ୍ୟାପକ କ୍ଷୟକ୍ଷତି ଘଟିଛି। କମାଣ୍ଡୋମାନେ ସେମାନଙ୍କ ଲକ୍ଷ୍ୟ ପୂରଣ କରି ନିର୍ବିଘ୍ନରେ ଫେରିଥିବା ସେନା ପ୍ରକାଶ କରିଛି।

ଦେଶର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ଶାନ୍ତି ପ୍ରତିଷ୍ଠା ପାଇଁ ତତ୍କାଳୀନ ସରକାର ଏନ୍‌ଏସ୍‌ସିଏନ୍‌(କେ) ବିଦ୍ରୋହୀ ସଙ୍ଗଠନ ସହ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିଥିଲେ। କିନ୍ତୁ ବିଦ୍ରୋହୀମାନେ ଗତ ୨୦୧୫ ମାର୍ଚ୍ଚ ୨୭ରେ ଏକତରଫା ଭାବେ ଶାନ୍ତି ଚୁକ୍ତିକୁ ରଦ୍ଦ କରି ଜୁନ୍‌ ୪ରେ ମଣିପୁରର ଚନ୍ଦେଲ ଜିଲ୍ଲାରେ ପହରା ଦେଉଥିବା ଭାରତୀୟ ସେନାଦଳ ଉପରେ ଜୋରଦାର ଆକ୍ରମଣ କରିଥିଲେ। ଏଥିରେ ୧୮ ଯବାନ ସହିଦ ହୋଇଥିଲେ। ଏହାପରେ ସେହିବର୍ଷ ସେପ୍ଟେମ୍ବର ୨୭ରେ ଭାରତୀୟ ସେନା ମିଆଁମାରରେ ସର୍ଜିକାଲ ଷ୍ଟ୍ରାଇକ କରି ୫୦ରୁ ୭୦ ବିଦ୍ରୋହୀଙ୍କୁ ନିପାତ କରିଥିଲେ। ଏହାପରଠାରୁ ଏହି ବିଦ୍ରୋହୀ ସଙ୍ଗଠନ ଦୁର୍ବଳ ହୋଇପଡ଼ିଥିଲା। ତେବେ ବିଦ୍ରୋହୀଙ୍କୁ ଚୀନ୍‌ରୁ ଅସ୍ତ୍ରଶସ୍ତ୍ର ସହାୟତା ମିଳୁଥିବା ଖବର କେନ୍ଦ୍ର ସରକାରଙ୍କୁ ସତର୍କ କରିଥିଲା। କିଛିଦିନ ତଳେ ସେନାଧ୍ୟକ୍ଷ ବିପିନ ରାଓ୍ଵତ ଆବଶ୍ୟକ ହେଲେ ସର୍ଜିକାଲ ଷ୍ଟ୍ରାଇକ କରାଯିବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe