ଉଦାହରଣ ପାଲଟିଛି ଭିଲ୍‌ୱାଡ଼ା ମଡେଲ, ଭାରତର କୋଭିଡ୍‌-୧୯ ହଟ୍‌ସ୍ପଟ୍‌

Advertisment
ଉଦାହରଣ ପାଲଟିଛି ଭିଲ୍‌ୱାଡ଼ା ମଡେଲ, ଭାରତର କୋଭିଡ୍‌-୧୯ ହଟ୍‌ସ୍ପଟ୍‌

Business Today

ଜୟପୁର: ରାଜସ୍ଥାନର ସର୍ବାଧିକ କରୋନା ଭୂତାଣୁ ପ୍ରଭାବିତ ଭିଲ୍‌ୱାଡ଼ା ଜିଲ୍ଲାରେ ଅନୁସୃତ ସଂକ୍ରମଣ ପ୍ରତିରୋଧୀ କ୍ଷେତ୍ର ପଦ୍ଧତି ଏବେ ସାରା ଭାରତର ଅନୁକରଣୀୟ ନମୁନା ପାଲଟିଯାଇଛି। ଭିଲ୍‌ୱାଡ଼ାରୁ ଏକସଙ୍ଗେ ୨୭ଟି କୋଭିଡ୍‌-୧୯ଟି ସଂକ୍ରମଣ ମାମଲା ଠାବ ହୋଇଥିଲା। ଏଇ ରବିବାର ସରିଥିବା ରାଜ୍ୟ ମୁଖ୍ୟ ସଚିବମାନଙ୍କ ଭିଡ଼ିଓ ସମ୍ମିଳନୀରେ କେନ୍ଦ୍ର କ୍ୟାବିନେଟ୍‌ ସଚିବ ଏହି ବିଶ୍ୱ ମହାମାରୀର ମୁକାବିଲା ଦିଗରେ ଭିଲ୍‌ୱାଡ଼ା ମଡେଲକୁ ପ୍ରଶଂସା କରିଛନ୍ତି। ହସ୍‌ପିଟାଲ ଠିଆ କରିବାରେ ଏବଂ ସଙ୍ଗରୋଧ ସୁବିଧା ବିକଶିତ କରିବାରେ ଭିଲ୍‌ୱାଡ଼ା ରାଜ୍ୟ ପ୍ରଶାସନ ଅତୁଳନୀୟ ଉଦାହରଣ ପ୍ରତିଷ୍ଠା କରିଛି। ବୟନସହର କହାଯାଉଥିବା ଭିଲ୍‌ୱାଡାକୁ ତଥା ଜିଲ୍ଲାକୁ ସଂକ୍ରମଣ ପ୍ରତିରୋଧୀ ଇଲାକା ରୂପେ ପଦକ୍ଷେପ ନେବାରେ ଜିଲ୍ଲାପାଳ ରାଜେନ୍ଦ୍ର ଭଟ୍ଟ ଏବଂ ଅତିରିକ୍ତ ମୁଖ୍ୟସଚିବ (ସ୍ବାସ୍ଥ୍ୟ) ରୋହିତ କୁମାର ସିଂହ କାର୍ଯ୍ୟ କରିଛନ୍ତି। ସୋମବାର ସେମାନେ ପ୍ରକାଶ କରିଛନ୍ତି ଯେ ପ୍ରଥମ ୧୪ଦିନରେ ୨୮ ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଯାଇଥିଲା ଏବଂ ସେହି କ୍ରମରେ ଜଣେ ଡାକ୍ତର କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତୁରନ୍ତ ସମଗ୍ର ଜିଲ୍ଲା ସୀମାକୁ ସିଲ୍‌ କରାଯାଇଥିଲା। ଦଣ୍ଡବିଧିର ୧୪୪ ଧାରା ଅଧୀନରେ କର୍ଫ୍ୟୁ ଲାଗୁ କରାଯାଇଥିଲା। ପ୍ରାଇଭେଟ୍‌ ଗାଡ଼ିମଟର ଚଳାଚଳ ବନ୍ଦ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଅତ୍ୟାବଶ୍ୟକ ସେବାଗୁଡ଼ିକ ଖୋଲା ରଖାଗଲା। ସଂକ୍ରମଣର କେନ୍ଦ୍ର ସ୍ଥଳ ଓ ପରିପାର୍ଶ୍ୱ ଚିହ୍ନିତ କରି ତାହାକୁ ସହରର ''ଚଳପ୍ରଚଳ ନିଷେଧାଞ୍ଚଳ''ରେ ପରିଣତ କରାଗଲା। ଦ୍ୱିତୀୟ ପର୍ଯ୍ୟାୟରେ ସଡକ ବଜାର ସଂପୂର୍ଣ ବନ୍ଦ କରି ସହରର ସୀମାରେଖା ତୁରନ୍ତ ସିଲ୍‌ କରିଦିଆଗଲା। ଜିଲ୍ଲା ସୀମାକୁ ସିଲ୍‌ କରାଯାଇ ପ୍ରବେଶପଥ ଓ ପ୍ରସ୍ଥାନପଥରେ ଚେକ୍‌ପୋଷ୍ଟ କରି ନିୟନ୍ତ୍ରିତ କରାଗଲା। ପଡୋଶୀ ଜିଲ୍ଲା ପ୍ରଶାସନମାନେ ମଧ୍ୟ ଭିଲ୍‌ୱାଡ଼ା ପଟ ସୀମାକୁ ସିଲ୍‌ କରିବାକୁ ଅନୁରୋଧ କରାଗଲା। ରେଳପଥ ଓ ସଡ଼କପଥରେ ଯାତାୟତ ଓ ଯୋଗାଯୋଗକୁ ପୂରାପୂରି ବନ୍ଦ କରାଗଲା। ଏଣେ କୋଭିଡ୍‌-୧୯ ପଜିଟିଭ୍‌ ଥିବା ମାମଲାଗୁଡ଼ିକର କ୍ଲଷ୍ଟର ମ୍ୟାପିଂ କରାଯାଇ ୬ଟି ଅଞ୍ଚଳ ଚିହ୍ନଟ କରାଗଲା ଏବଂ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କର ନିରନ୍ତର ସ୍ୱାସ୍ଥ୍ୟପରୀକ୍ଷା ପାଇଁ ସ୍ବତନ୍ତ୍ର ଟିମ୍‌ ସେଠାରେ ମୁତୟନ କରାଗଲା। ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଆଧାରରେ ବ୍ୟାପକ ପ୍ରତିରୋଧୀ କଟକଣା ଲାଗୁ କରାଗଲା।

ସଂକ୍ରମଣର ଉତ୍ସ ଅଜଣା ଥିଲା ଏବଂ ଅସଲ କଥା ହେଲା ଯେ ସଂପୃକ୍ତ ବ୍ୟକ୍ତ ଜଣେ ଡାକ୍ତର ଏବଂ ତାଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟକର୍ମୀମାନେ ବିଭିନ୍ନ ସଂସ୍ପର୍ଶରେ ଆସିଥିଲେ। ପ୍ରାଥମିକ ଓ ଦ୍ୱିତୀୟକ ସଂସ୍ପର୍ଶରେ ଥିଲା ଏକ ଲମ୍ବା ତାଲିକା। ସର୍ବେକ୍ଷଣ ଟିମ୍‌ରେ ଥିଲେ ପ୍ରଶିକ୍ଷିତ ଓ ବିଶେଷଜ୍ଞ ଡାକ୍ତରଗଣ। ସେମାନେ ଇନ୍‌ଫ୍ଲୁଏଞ୍ଜା ଓ କୋଭିଡ୍‌-୧୯ ଲକ୍ଷଣ ଥିବା ଅସୁସ୍ଥ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବାରେ ମାହିର ଥିଲେ। କେଉଁମାନେ ବିଦେଶ ଭ୍ରମଣ କରି ଫେରିଥିଲେ ଅବା ଦେଶର ଅନ୍ୟ ପ୍ରାନ୍ତରୁ ବାହୁଡିଥିଲେ ସେମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଚିହ୍ନଟ କରାଗଲା। ସର୍ବେକ୍ଷଣ ବେଳେ ସମସ୍ତ ଗୃହରେ ଏକାନ୍ତବାସରେ ଥିବା ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରାଗଲା। ସର୍ବେକ୍ଷଣକାରୀ ଟିମ୍‌କୁ ନିର୍ଦିଷ୍ଟ ଅଞ୍ଚଳର ଦାୟିତ୍ୱ ଦିଆଯାଇଥିଲା। ପ୍ରତି ୧୦ଟି ସର୍ବେକ୍ଷଣକାରୀ ଟିମ୍‌ ପାଇଁ ଜଣେ ସୁପରଭାଇଜର ଥିଲେ। ଯେଉଁ ଘରୋଇ ହସପିଟାଲରୁ କରୋନା ଠାବ ହୋଇଥିଲା ତାହାକୁ ସ୍ୱାସ୍ଥ୍ୟ ପରୀକ୍ଷା ଓ ସ୍ବାବ୍‌ ପରୀକ୍ଷା ପାଇଁ ଅଗ୍ରାଧିକାର ଦିଆଯାଇଥିଲା। ଆଇସିୟୁରେ ଭର୍ତ୍ତି ହେଉଥିବା ରୋଗୀ, ଓପିଡି ରୋଗୀ, ଇଣ୍ଡୋର ରୋଗୀ ଏବଂ ସେମାନଙ୍କ ସେବାରେ ଲିପ୍ତ ଡାକ୍ତର ଓ ଡାକ୍ତରୀ ଦଳଙ୍କ ଉପରେ କଡ଼ା ନଜର ରଖାଗଲା। ରାଜ୍ୟ ରାପିଡ୍‌ ରେସପନ୍ସ ଟିମ୍‌, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ପୁଲିସ୍‌ର ଏକ ମିଳିତ ୨୪ଘଣ୍ଟିଆ ପ୍ରକୋଷ୍ଠ କାର୍ଯ୍ୟକ୍ଷମ ହୋଇଥିଲା। କୋଭିଡ୍‌-୧୯ ପଜିଟିଭ୍‌ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇଥିଲା। ଉତ୍ସର୍ଗୀକୃତ ସ୍କ୍ରିନିଂ ଓ ଟେଷ୍ଟିଂ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଏଣେ ସଂକ୍ରମଣ ବ୍ୟାହତ କରିବା ପାଇଁ ପ୍ରକ୍ରିୟା ସଂପୃକ୍ତ ଅଞ୍ଚଳରେ ଜାରି ରହିଲା। ପଜିଟିଭ୍‌ ଚିହ୍ନିତ ରୋଗୀଙ୍କ ଘର ଓ ପାଖଆଖ, ଜିଲ୍ଲା କାର୍ଯ୍ୟାଳୟ, ପୁଲିସ୍‌ ଥାନା, ଫାଣ୍ଡି, ସର୍ବସାଧାରଣ ଏକତ୍ର ହେଉଥିବା ସ୍ଥଳଗୁଡ଼ିକୁ ଭୂତାଣୁମୁକ୍ତ କରିବା ପ୍ରକ୍ରିୟା ଜାରି ରହିଲା। ସମସ୍ତ ଆମ୍ବୁଲାନ୍ସ, ପୁଲିସ୍‌ ଗାଡ଼ି ଓ ସହରର ୱାର୍ଡଗୁଡ଼ିକୁ ଟିକିନିଖି ଭାବରେ ଏ ସାନିଟାଇଜ୍‌ କରିବା ପ୍ରକ୍ରିୟାରେ ରଖାଗଲା। ୧୫୪୭ ପ୍ରକୋଷ୍ଠ ଥିବା ୨୭ଟି ହୋଟେଲକୁ ସଙ୍ଗରୋଧ ଓ ଏକାନ୍ତବାସ କେନ୍ଦ୍ରରେ ପରିଣତ କରାଗଲା। ସେହିଭଳି ୨୨ଟି ଆନୁଷ୍ଠାନିକ ସ୍ଥଳ ବା ହଷ୍ଟେଲକୁ ଅଧିଗ୍ରହଣ କରି ୧୧,୬୫୯ ଶଯ୍ୟା ମଧ୍ୟ ସେଥିପାଇଁ ପ୍ରସ୍ତୁତ ରଖାଗଲା। ଜିଲ୍ଲା ଚିକିତ୍ସାଳୟର ୨୦୦ ଶଯ୍ୟାବିଶିଷ୍ଟ ବ୍ୟବସ୍ଥାକୁ ୪୨୭ ଶଯ୍ୟାକୁ ସଂପ୍ରସାରିତ କରାଗଲା। ୪ଟି ପ୍ରାଇଭେଟ୍‌ ହସପିଟାଲକୁ ଅକ୍ତିଆର କରି ଏକାନ୍ତବାସ ୱାର୍ଡ ରୂପେ ୨୫ଟି ଲେଖାଏଁ ଶଯ୍ୟା ବ୍ୟବସ୍ଥା କରାଗଲା। ଏହିଭଳି ଭାବରେ ତିନି ପର୍ଯ୍ୟାୟରେ ସଫଳତାର ସହ କରୋନା ମୁକାବିଲା କରାଯାଇଥିଲା। ତୃତୀୟ ପର୍ଯ୍ୟାୟରେ ସମଗ୍ର ଜନସଂଖ୍ୟାର ଯାଞ୍ଚ କରାଯାଇ କାଶ-ସର୍ଦ୍ଦି-ଜ୍ୱର ଆଦି ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରି ଅଲଗା କରି ଦିଆଯିବାରୁ ସଂକ୍ରମଣ ଆଉ ବଢିପାରିନଥିଲା। ଏସବୁ ବ୍ୟତୀତ ଜିଲ୍ଲା ପ୍ରଶାସନ ୨୦୦୦ ଟିମ୍‌ କରିଥିଲା ଯିଏ ଦ୍ୱାରକୁ ଦ୍ୱାର ଯାଇ ୨୮ ଲକ୍ଷ ଅଧିବାସୀଙ୍କର ସ୍ୱାସ୍ଥ୍ୟଯାଞ୍ଚ କରିଥିଲେ। ଅବଶ୍ୟ ୧୭ ଜଣ ହସପିଟାଲ ଷ୍ଟାଫ୍‌କୁ ସଂକ୍ରମିତ ରୂପେ ଧରିଦିଆଯାଇଥିଲା। ଅଳ୍ପ କେତେ ଜଣ ପ୍ରାଥମିକ ସଂସ୍ପର୍ଶକୁ ଧରିଦେବା ପରେ କରୋନା ବ୍ୟାପିବା ଆଶଙ୍କା ଉପରେ କାବୁ ମିଳିଥିଲା। ପ୍ରାଇଭେଟ୍‌ ହସପିଟାଲକୁ ଆସିଥିବା ୭୦୦୦ରୁ ଅଧିକ ରୋଗୀଙ୍କ ମଧ୍ୟରେ କେହି ପଜିଟିଭ୍‌ ଚିହ୍ନଟ ହୋଇନଥିଲେ। ଭିଲ୍‌ୱାଡାରେ ଏ ସଂଗ୍ରାମ ଶେଷ ହୋଇଛି। ତେବେ ଏହି ଭିଲ୍‌ୱାଡ଼ା ମ଼ଡେଲକୁ ଦେଶର ଶ୍ରେଷ୍ଟ କରୋନା ମୁକାବିଲା ପଦ୍ଧତି ରୂପେ ବିବେଚନା କରାଯାଉଥିବା ଏବେ ସାରା ଦେଶରେ ଚର୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe