ନୂଆଦିଲ୍ଲୀ: ଯୁଦ୍ଧ-ପ୍ରପୀଡ଼ିତ ୟୁକ୍ରେନ୍ରେ ଗୋଟାଏ ବଙ୍କର୍ରେ ଫସି ରହିଥିବା ଜଣେ ଭାରତୀୟ ଡାକ୍ତର ତାଙ୍କ ପୋଷା କଲରାପତ୍ରିଆ ଓ କଳାବାଘକୁ (କଳା କଲରାପତ୍ରିଆ) ଛାଡ଼ି ସ୍ବଦେଶ ଫେରିବା ଲାଗି ଅରାଜି ହେଉଛନ୍ତି।
ଗିରିକୁମାର ପାଟିଲ୍ ନାମଧାରୀ ଉକ୍ତ ଡାକ୍ତର ସମ୍ପ୍ରତି ଡୋନ୍ବାସ୍ ଅଞ୍ଚଳର ସେଭେରୋଦୋନେତ୍ସ୍କ୍ସ୍ଥିତ ତାଙ୍କ ଘର ତଳେ ଥିବା ବଙ୍କର୍ରେ ବାସ କରୁଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି, ଆପଣା ପ୍ରାଣ ବଞ୍ଚାଇବା ଲାଗି ମୁଁ କଦାପି ମୋର ପୋଷା ଜନ୍ତୁଙ୍କୁ ତ୍ୟାଗ କରିପାରିବି ନାହିଁ। ଅବଶ୍ୟ, ସ୍ବଦେଶ ଫେରିଆସିବା ଲାଗି ମୋ ପରିବାରବର୍ଗ ମୋତେ ବହୁତ ବୁଝାସୁଝା କରୁଛନ୍ତି। କିନ୍ତୁ, ପୋଷାଜନ୍ତୁ ଦି’ଟା ମୋର ସନ୍ତାନ ତୁଲ୍ୟ। ମୃତ୍ୟୁ ପର୍ଯ୍ୟନ୍ତ ପାଖରେ ରହି ସେମାନଙ୍କୁ ସୁରକ୍ଷା ଦେବି।
Image Courtesy of The Times of Indiaଡାକ୍ତରୀ ପଢ଼ିବାକୁ ୨୦୦୭ରେ ୟୁକ୍ରେନ୍ ଯାଇଥିବା ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ତାନୁକୁ ବାସିନ୍ଦା ପାଟିଲ୍ ପରବର୍ତ୍ତୀ ସମୟରେ ଡୋନ୍ବାସ୍ରେ ବସବାସ କରିଥିଲେ। ପରେ ଜଣେ ଅସ୍ତିଶଲ୍ୟ ବିଶେଷଜ୍ଞ ଭାବେ ସେ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଚାକିରି କରୁଥିଲେ।
Image Courtesy of NDTVଗୋଟାଏ ଆଞ୍ଚଳିକ ଚିଡ଼ିଆଖାନାରେ ସେ ଉକ୍ତ ଅନାଥ ତଥା ଅସୁସ୍ଥ କଲରାପତ୍ରିଆକୁ ଦେଖିଥିଲେ। ସେଠାକାର କର୍ତ୍ତୃପକ୍ଷଙ୍କ ଅନୁମତି ହାସଲ କରି ତାହାକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ଡାକ୍ତର ପାଟିଲ୍ ତା’ର ନାଁ ଦେଇଥିଲେ ‘ଯଶ’। ଏହାଛଡ଼ା, ୨ ମାସ ତଳେ ଯଶର ସଙ୍ଗିନୀ ଭାବେ କଳାବାଘୁଣୀ ‘ସବ୍ରିନା’କୁ ଆଣିଥିଲେ। ଅଣ୍ଡିରା କଲରାପତ୍ରିଆକୁ ୨୦ ମାସ ହୋଇଥିବା ବେଳେ ମାଈ କଳା-କଲରାପତ୍ରିଆକୁ ୬ ମାସ ଚାଲିଛି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ସେ କେବଳ ଉଭୟଙ୍କ ପାଇଁ ଆହାର ଆଣିବାକୁ ବଙ୍କର୍ରୁ ପଦାକୁ ବାହାରୁଛନ୍ତି।
ଗଣମାଧ୍ୟମ ‘ବିବିସି’କୁ ୪୦ ବର୍ଷିୟ ଡାକ୍ତର ପାଟିଲ୍ କହିଛନ୍ତି, ବଙ୍କର୍ ଭିତରେ ବୃହଦ୍କାରୟ ମାର୍ଜାର ଦୁଇଟି (ବାଘଜାତୀୟ ଜନ୍ତୁ) ମୋ ସହିତ ରହୁଛନ୍ତି। ଆମ ଆଖପାଖରେ ଭୀଷଣ ବୋମା ପଡୁଛି। ସେମାନେ ଭୟଭୀତ ହୋଇଯାଉଛନ୍ତି। କମ୍ ଖାଇ ବଞ୍ଚିଛନ୍ତି। ମୁଁ ସେମାନଙ୍କୁ ଛାଡ଼ି ଯାଇପାରିବି ନାହିଁ।
ସେ ୩ଟି କୁକୁର ମଧ୍ୟ ପାଳିଛନ୍ତି। ତାଙ୍କର ଆଶା ସବୁ ପୋଷା ଜନ୍ତୁଙ୍କୁ ଧରି ସ୍ବଦେଶ ଫେରିବାକୁ ଭାରତ ସରକାର ଅନୁମତି ଦେବେ।
Follow Us