Representational Pic (NDTV)
ନୂଆଦିଲ୍ଲୀ: ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ଚାରି ସଦସ୍ୟଙ୍କର ଅସହ୍ୟ ଥଣ୍ଡା ଯୋଗୁଁ ମୃତ୍ୟୁ ହୋଇଯାଇଛି ଏବଂ ଏମାନଙ୍କ ମଧ୍ୟରେ ଜଣେ ନବଜାତ ଶିଶୁ ବି ସାମିଲ ଅଛି। ତେବେ ଏହି ପରିବାର କାନାଡାରୁ ଆମେରିକାକୁ ପ୍ରବେଶ କରୁଥିବା ସମୟରେ ଏପରି ଘଟିଥିବା ଆଶଙ୍କା କରାଯାଉଛି। ବିଦେଶୀ ମିଡିଆରେ ମଧ୍ୟ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାନାଡା ପୁଲିସ କହିଛି ଯେ ଏମର୍ସନର ପାର୍ଶ୍ବରେ କାନାଡା-ଆମେରିକା ସୀମାରେ ବୁଧବାର ଦିନ ୪ ଜଣଙ୍କ ଶବ ମିଳିଥିଲା । ଏମାନଙ୍କ ମଧ୍ୟରୁ ୨ ଜଣ ବୟସ୍କ ଥିବାବେଳେ, ଜଣେ କିଶୋର ଓ ଜଣେ ନବଜାତ ଶିଶୁ ଥିଲେ।
ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଟ୍ବିଟ୍ କରି କହିଛନ୍ତିି, "କାନାଡା-ଆମେରିକା ସୀମାରେ ଜଣେ ଶିଶୁ ସହିତ ୪ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଯୋଗୁଁ ମୁଁ ଅତ୍ୟନ୍ତ ଦୁଃଖିତ। ଆମେରିକା ଓ କାନାଡାରେ ଥିବା ରାଷ୍ଟ୍ରଦୂତମାନଙ୍କୁ ଅତି ଶୀଘ୍ର ପଦକ୍ଷେପ ନେବାପାଇଁ କୁହାଯାଇଛି ।"
ଏହି ମାମଲା ଉପରେ ପ୍ରତିକ୍ରିୟା ରଖି କାନାଡାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଅମର ବିସାରିୟା କହିଛନ୍ତି, ଭାରତୀୟ ଦୂତବାସର ଏକ ଦଳ ଘଟଣାସ୍ଥଳକୁ ଯାଇଛି । ସେ ଏସ ଜୟଶଙ୍କରଙ୍କ ଟ୍ବିଟକୁ ଉଲ୍ଲେଖ କରି କହିଛନ୍ତି କି ଏହା ଏକ ଦୁଃଖଦ ଘଟଣା । ସାହାଯ୍ୟ ଓ ସହଯୋଗ ପାଇଁ ଟରଣ୍ଟୋରୁ ଭାରତୀୟ ଦୂତବାସର ଏକ ଦଳ ମେନିଟୋବା ଯାଉଛି । ଏପରି ଦୁଃଖଦ ଘଟଣାର ଯାଞ୍ଚ ପାଇଁ ଆମେ କାନାଡାର ଅଧିକାରୀଙ୍କ ସହିତ ମିଶି କାମ କରିବୁ ।
ମିଡିଆ ରିପୋର୍ଟ ଅନୁସାରେ, ଆମେରିକା ଅଧିକାରୀମାନେ କହିଛନ୍ତି ଯେ ମୃତକମାନେ ଭାରତରୁ ଆସିଥିଲେ ଓ କାନାଡା ଦେଇ ଆମେରିକା ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ।ଡିଷ୍ଟ୍ରିକ୍ଟ୍ ଅଫ୍ ମିନିସାଟୋର ଆମେରିକାର ଆଟର୍ଣ୍ଣି କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରିକରି କୁହାଯାଇଛି ଯେ ଏହି ମାମଲାରେ ମାନବ ଚାଲାଣ ଅଭିଯୋଗରେ ଫ୍ଲୋରିଡାର ୪୭ ବର୍ଷୀୟ ବ୍ୟକ୍ତି ଷ୍ଟିଭ୍ ସେଣ୍ଡଙ୍କୁ ଗିରଫ କରାଯାଇଛି।
Follow Us