Image Courtesy of NDTV
ନ୍ୟୁୟର୍କ: ଭାରତୀୟ ବଂଶଜ ବୈଶ୍ବିକ ସ୍ବାସ୍ଥ୍ୟ ବିଶେଷଜ୍ଞ ଅନୀଲ ସୋନିଙ୍କୁ ‘ଦି ଡବ୍ଲୁଏଚ୍ଓ ଫାଉଣ୍ଡେସନ୍’ର ପ୍ରଥମ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ସହିତ ଏହି ଫାଉଣ୍ଡେସନ୍ ସମଗ୍ର ବିଶ୍ବରେ ଉପୁଜୁଥିବା ଗୁରୁତ୍ବର ସ୍ବାସ୍ଥ୍ୟ ସମସ୍ୟା ସବୁର ମୁକାବିଲା କରିଥାଏ। ୨୦୨୦ ମେ ମାସରେ ଶୁଭାରମ୍ଭ ହୋଇଥିବା ‘ଦି ଡବ୍ଲୁଏଚ୍ଓ ଫାଉଣ୍ଡେସନ୍’ର ମୁଖ୍ୟାଳୟ ଜେନିଭାରେ ଅବସ୍ଥିତ।
ଆଗାମୀ ବର୍ଷ ଜାନୁଆରି ୧ ତାରିଖରୁ ଶ୍ରୀ ସୋନି ‘ଦି ଡବ୍ଲୁଏଚ୍ଓ ଫାଉଣ୍ଡେସନ୍’ର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରିବେ। ନୂତନ ଭୂମିକାରେ ଡାକ୍ତର ସୋନି ସମସ୍ତଙ୍କ ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଚଳାଉଥିବା ଅଭିଯାନକୁ ଅଧିକ ସହଯୋଗ କରିବେ। ଅତ୍ୟାଧୁନିକ ତଥା ବିଜ୍ଞାନସମ୍ମତ ନୀତିକୁ ଆଧାର କରି ସେ ଏହି ଫାଉଣ୍ଡେସନ୍ର କାର୍ଯ୍ୟଧାରାକୁ ତ୍ବରାନ୍ବିତ କରିବେ ବୋଲି ସୋମବାର ଦିନ ‘ଫାଉଣ୍ଡେସନ୍’ ଏକ ପ୍ରେସ୍ ବିବୃତିରେ କହିଛି।
Image Courtesy of New Indian Expressଏହା ପୂର୍ବରୁ ଡାକ୍ତର ସୋନି ବୈଶ୍ବିକ ସ୍ବାସ୍ଥ୍ୟ ସେବା କମ୍ପାନି ‘ଭିଆତ୍ରିସ୍’ରେ ‘ଗ୍ଲୋବାଲ୍ ଇନ୍ଫେକ୍ସିଅସ୍ ଡିଜିଜ୍’ର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦେଶକ ଡାକ୍ତର ଟେଡ୍ରୋସ୍ ଅଧାନୋମ୍ ଘେବ୍ରେୟେସ୍ସ୍’ ସୋନିଙ୍କୁ ବିଶ୍ବ ସ୍ବାସ୍ଥ୍ୟ ଜଗତର ଜଣେ ‘ଲବ୍ଧପ୍ରତିଷ୍ଠ ଉଦ୍ଭାବକ’ ବୋଲି କହିଛନ୍ତି। ‘ଏଚ୍ଆଇଭି/ଏଡ୍ସ୍’ ଏବଂ ଅନ୍ୟାନ୍ୟ ସଂକ୍ରମଣୀୟ ରୋଗରେ ଆକ୍ରାନ୍ତ ସମ୍ପ୍ରଦାୟଙ୍କ ସେବାରେ ସେ ଦୁଇ ଦଶନ୍ଧି ବିତାଇଛନ୍ତି।
ନିଯୁକ୍ତି ସଂକ୍ରାନ୍ତରେ ଡାକ୍ତର ସୋନି କହିଛନ୍ତି, ବୈଶ୍ବିକ ଜନସ୍ବାସ୍ଥ୍ୟ କ୍ଷେତ୍ରରେ ସମଗ୍ର ବିଶ୍ବ ବର୍ତ୍ତମାନ ଏକ ଜଟିଳ ସମୟ ଦେଇ ଗତି କରୁଛି। କୋଭିଡ୍-୧୯ ମହାମାରୀ ସହ ମାସ ମାସ ଧରି ସଂଗ୍ରାମ କରିବା ପରେ କେତେଗୁଡ଼ିଏ ଫଳପ୍ରଦ ଟିକା ପାଇଁ ଏବେ ଆଶା ସଞ୍ଚାର ହୋଇଛି।
Follow Us