Image Courtesy of PTC News
ନୂଆଦିଲ୍ଲୀ: ହମାସ୍ ଆତଙ୍କବାଦୀ ସଙ୍ଗଠନ ଇସ୍ରାଏଲ୍ରେ ଆକ୍ରମଣ ଜାରି ରଖିଥିବା ବେଳେ ସେଠାରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀମାନେ ଭୀତତ୍ରସ୍ତ ହୋଇ ରହିଛନ୍ତି ବୋଲି କହିଛନ୍ତି।
ସତର୍କତା ଅବଲମ୍ବନ କରିବା ଲାଗି ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ରେ ଥିବା ଭାରତୀୟ ଦୂତାବାସ ପରାମର୍ଶ ଜାରି କରିଥିବା ବେଳେ ଛାତ୍ରଛାତ୍ରୀମାନେ କହିଛନ୍ତି, ଆମେ ଦୂତାବାସ ସହିତ ସବୁ ବେଳେ ଯୋଗାଯୋଗ ରଖିଛୁ। କିନ୍ତୁ, ପରିସ୍ଥିତି ଉଦ୍ବେଗଜନକ ଥିବାରୁ ଆମେ ଖୁବ୍ ଛାନିଆ ହୋଇଯାଇଛୁ।
ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’କୁ ଇସ୍ରାଏଲ୍ସ୍ଥିତ ଭାରତୀୟ ଛାତ୍ର ଗୋକୁଳ ମାନାବାଲାନ୍ କହିଛନ୍ତି, ଆମେ ଖୁବ୍ ଛାନିଆ ଓ ଭୟଭୀତ ହୋଇଯାଇଛୁ। ଯୋଗକୁ ଆମକୁ ଆଶ୍ରୟସ୍ଥଳ ମିଳିଯାଇଛି ଓ ଇସ୍ରାଏଲୀ ପୁଲିସ ଫୋର୍ସ ନିକଟରେ ଅଛନ୍ତି। ଏପର୍ଯ୍ୟନ୍ତ ଆମେ ନିରାପଦ ଅଛୁ।
Image Courtesy of News18ବିମଳ କୃଷ୍ଣସାମୀ ମାନିବାନ୍ନନ ଚିତ୍ର ନାମରେ ଆଉ ଜଣେ ଛାତ୍ର କହିଛନ୍ତି, ଏ ଆକ୍ରମଣ ଖୁବ୍ ଉତ୍ତେଜନାପୂର୍ଣ୍ଣ ଓ ଭୟାବହ। ଏଠାକାର ଭାରତୀୟ ଛାତ୍ରଛାତ୍ରୀଙ୍କ ସହିତ ଦୂତାବାସ ଯୋଗାଯୋଗ ରଖିଛି। ମଝିରେ ମଝିରେ ସେମାନେ ଆମ ଖବର ଅନ୍ତର ବୁଝୁଛନ୍ତି।
ଇସ୍ରାଏଲ୍ର ହିବ୍ରିୟୁ ୟୁନିଭର୍ସିଟିରେ ଅଧ୍ୟୟନ କରୁଥିବା ଆଉ ଜଣେ ଭାରତୀୟ ଛାତ୍ର କହିଛନ୍ତି ଯେ, ସେମାନେ କଲେଜ ଯୋଗାଇ ଦେଇଥିବା ଡର୍ମାଟରି ଓ ଘରଗୁଡ଼ିକରେ ଅବସ୍ଥାନ କରୁଛନ୍ତି।
ଭାରତୀୟ ଦୂତାବାସ ୱେବ୍ସାଇଟ୍ରୁ ଜଣାପଡ଼ିଛି ଯେ, ଇସ୍ରାଏଲ୍ରେ ପ୍ରାୟ ୧୮,୦୦୦ ଭାରତୀୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ବୟୋବୃଦ୍ଧ ଇସ୍ରାଏଲୀମାନଙ୍କର ସେବାଯତ୍ନ ନେବାରେ ନିଯୁକ୍ତ ଥିବା ବ୍ୟକ୍ତି, ହୀରା ବ୍ୟବସାୟୀ, ‘ଆଇଟି’ ପ୍ରଫେସ୍ନାଲ୍ ଓ ଛାତ୍ରଛାତ୍ରୀ।
Follow Us