Image Courtesy of The Week
ଅହମଦାବାଦ: ଇଂରାଜୀ ଦକ୍ଷତା ପରୀକ୍ଷା ‘ଆଇଇଏଲ୍ଟିଏସ୍’ରେ ଭଲ ନମ୍ବର ରଖିବା ସତ୍ତ୍ବେ ଗୁଜରାଟର ୬ଜଣ ବ୍ୟକ୍ତି ଆମେରିକୀୟ ଅଦାଲତରେ ଇଂରାଜୀ କହିପାରି ନ ଥିବା ଘଟଣା ବିଷୟରେ ରାଜ୍ୟ ପୁଲିସ ତଦନ୍ତ ଆରମ୍ଭ କରିଛି।
ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ ଅନୁସାରେ, ଚଳିତ ବର୍ଷ ମାର୍ଚ ମାସରେ କାନଡାରୁ ଗୋଟାଏ ବୋଟ୍ ଯୋଗେ ଯାଇ ଆମେରିକାରେ ପ୍ରବେଶ କରୁଥିବା ବେଳେ ସେମାନେ ଧରାପଡ଼ିଥିଲେ।
ମେହସନା ଥାନାର ‘ସ୍ପେସାଲ୍ ଅପରେସନ୍ ଗ୍ରୁପ୍’ର ଇନ୍ସ୍ପେକ୍ଟର୍ ଭବେଶ ରାଠୋର୍ଙ୍କ କହିଛନ୍ତି ଯେ, ୧୯ରୁ ୨୧ ବର୍ଷ ମଧ୍ୟରେ ୬ଜଣ ଛାତ୍ରଙ୍କୁ କାନଡୀୟ ସୀମାନ୍ତ ନିକଟ ଯୁକ୍ତରାଷ୍ଟ୍ର ଆମେରିକାର ଅକ୍ୱେସାସ୍ନିରେ ପ୍ରବାହିତ ‘ସନ୍ଥ ରେଗିସ୍’ ନଦୀରେ ବୁଡ଼ିଯାଉଥିବା ବୋଟ୍ରୁ ଧରାଯାଇଥିଲା।
ସେମାନଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ଏକ ଅଦାଲଦରେ ହାଜର କରାଯିବାରୁ ସେମାନେ ବିଚରପତି ପଚରିଥିବା ପ୍ରଶ୍ନର ଉତ୍ତର ଇଂରାଜୀରେ ଦେଇ ପାରି ନ ଥିଲେ। ଫଳରେ ଅଦାଲତ ଜଣେ ହିନ୍ଦୀ ଅନୁବାଦକଙ୍କ ସହାୟତା ନେଇଥିଲେ। ‘ଇଣ୍ଟର୍ନ୍ୟାସ୍ନାଲ୍ ଇଂଲିସ୍ ଲାଙ୍ଗୁଇଜ୍ ଟେଷ୍ଟିଙ୍ଗ୍ ସିଷ୍ଟମ୍’ରେ (ଆଇଇଏଲ୍ଟିଏସ୍) ଉକ୍ତ ବ୍ୟକ୍ତିମାନେ ୬.୫ ରୁ ୭ ‘ବ୍ୟାଣ୍ଡ୍’ ସ୍କୋର୍ କରିଥିବା ବେଳେ ସେମାନେ ଇଂରାଜୀ କହିପାରୁ ନ ଥିବା ଦେଖି ଅଦାଲତ ବିସ୍ମିତ ହୋଇଯାଇଥିଲେ।
 Image Courtesy of NDTVଅଣ-ଇଂରାଜୀ ଭାଷାଭାଷୀ ଛାତ୍ରଛାତ୍ରୀଙ୍କ ଇଂରାଜୀ ଦକ୍ଷତା ପରୀକ୍ଷା ନିମନ୍ତେ ‘ଆଇଇଏଲ୍ଟିଏସ୍’ ପରୀକ୍ଷା କରାଯାଇଥାଏ। କେତେକ ଦେଶରେ ମହାବିଦ୍ୟାଳୟରେ ନାଁ ଲେଖାଇବା ନିମନ୍ତେ ଏଥିରେ ଉତ୍ତମ ନମ୍ବର ରଖିବା ଅପରିହାର୍ଯ୍ୟ।
ପୁଲିସ କହିଛି ଯେ, ୨୦୨୧ ସେପ୍ଟେମ୍ବର ୨୪ ତାରିଖ ଦିନ ଦକ୍ଷିଣ ଗୁଜରାଟର ନବସାରି ନଗରୀରେ ଉକ୍ତ ୬ଜଣ ବ୍ୟକ୍ତି ‘ଆଇଇଏଲ୍ଟିଏସ୍’ ପରୀକ୍ଷା ଦେଇ ଚଳିତ ବର୍ଷ ମାର୍ଚ ୧୯ରେ ଛାତ୍ର ଭିସାରେ କାନଡା ଯାଇଥିଲେ। ଏହାର ପ୍ରାୟ ୨ ସପ୍ତାହ ପରେ ସେମାନେ ଆମେରିକା-କାନଡା ସୀମାନ୍ତରେ ଧରାପଡ଼ିଥିଲେ।
ସେମାନଙ୍କୁ ପରୀକ୍ଷା କରାଯାଇଥିବା ହଲ୍ରେ ଥିବା ‘ସିସିଟିଭି’ କ୍ୟାମେରା ସବୁ ବନ୍ଦ କରାଯାଇଥିଲା ବୋଲି ଇନ୍ସ୍ପେକ୍ଟର୍ ରାଠୋର୍ କହିଛନ୍ତି। ପରୀକ୍ଷା କରାଇବାକୁ ସ୍ବୀକୃତି ପାଇଥିବା ଉକ୍ତ ଏଜେନ୍ସିର ମାଲିକଙ୍କୁ ଥାନାରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି।
  
 Follow Us