ମୋତେ ବଞ୍ଚାଇ ଦିଅନ୍ତୁ; ଜୀବନର ଭିକ୍ଷା ମାଗିଲେ ନେପାଳ ଯାଇଥିବା ଭାରତୀୟ ଉପସ୍ଥାପିକା

ନେପାଳରେ ଦିନକୁ ଦିନ ହିଂସା ବଢ଼ୁଥିବା ବେଳେ ଏବେ ଜଣେ ଭାରତୀୟ ଉପସ୍ଥାପିକାଙ୍କ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ‌ସେ ଜୀବନର ଭିକ୍ଷା ମାଗୁଥିବା ଦେଖାଯାଇଛି। ଉପସ୍ଥାପିକାଙ୍କ ନାମ ଉପାସନା ଗିଲ୍।

New Project

କାଠମାଣ୍ଡୁ: ସୋମବାର ଆରମ୍ଭ ହୋଇଥିବା ଜେନ୍-ଜି ବିପ୍ଲବ ଦ୍ବିତୀୟ ଦିନ ମଧ୍ୟ ଜାରି ରହିଛି। ସରକାର ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇସାରିଥିଲେ ବି କାଠମାଣ୍ଡୁର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ମଙ୍ଗଳବାର ଏହି ହିଂସାର କରାଳ ରୂପ ଦେଖିବାକୁ ମିଳିଥିଲା। ବିକ୍ଷୋଭକାରୀମାନେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଝଲନାଥ ଖାନଲଙ୍କ ଘର ଉପରେ ଆକ୍ରମଣ କରି ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ଖାନଲଙ୍କ ପତ୍ନୀ ରାଜ୍ୟଲକ୍ଷ୍ମୀ ଚିତ୍ରକରଙ୍କୁ ମଧ୍ୟ ଟାର୍ଗେଟ କରାଯାଇଥିଲା ଓ ତାଙ୍କ ଶରୀରରେ ନିଆଁ ଲଗାଇଦିଆଯାଇଥିଲା । ସେ ଗୁରୁତର ଭାବରେ ପୋଡ଼ିଯାଇ ମୃତ୍ୟୁବରଣ କରିଥିଲେ।

ଦିନକୁ ଦିନ ହିଂସା ବଢ଼ୁଥିବା ବେଳେ ଏବେ ଜଣେ ଭାରତୀୟ ଉପସ୍ଥାପିକାଙ୍କ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ‌ସେ ଜୀବନର ଭିକ୍ଷା ମାଗୁଥିବା ଦେଖାଯାଇଛି। ଉପସ୍ଥାପିକାଙ୍କ ନାମ ଉପାସନା ଗିଲ୍। ଇନଷ୍ଟାରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ପାରୁଲ ଗର୍ଗ ନାମକ ପ୍ରୋଫାଇଲରୁ ସେୟାର କରାଯାଇଛି। ଭିଡିଓରେ ଉପାସନା  କହିଛନ୍ତି ଯେ, "ମୋ ନାମ ଉପାସନା ଗିଲ୍ ଏବଂ ମୁଁ ଏହି ଭିଡିଓ ପ୍ରଫୁଲ ଗର୍ଗଙ୍କୁ ପଠାଉଛି। ମୁଁ ଭାରତୀୟ ଦୂତାବାସକୁ ଅନୁରୋଧ କରୁଛି ଯେ, ଦୟାକରି ଆମକୁ ସାହାଯ୍ୟ କରନ୍ତୁ। ଯେଉଁମାନେ ଆମକୁ ସାହାଯ୍ୟ କରିପାରିବେ, ଦୟାକରି ସାହାଯ୍ୟ କରନ୍ତୁ। ମୁଁ ଏଠାରେ ନେପାଳର ପୋଖରାରେ ଫସି ରହିଛି। ମୁଁ ଏଠାରେ ଏକ ଭଲିବଲ୍ ଲିଗ୍‌ର ଉପସ୍ଥାପନା ପାଇଁ ଆସିଥିଲି ଏବଂ ବର୍ତ୍ତମାନ, ମୁଁ ଯେଉଁ ହୋଟେଲରେ ରହୁଥିଲି ତାହା ଜାଳି ଦିଆଯାଇଛି। ମୋର ସମସ୍ତ ଲଗେଜ୍, ମୋର ସମସ୍ତ ଜିନିଷପତ୍ର, ମୋ ରୁମରେ ଥିଲା, ଏବଂ ସମଗ୍ର ହୋଟେଲରେ ନିଆଁ ଲାଗିବା ପରେ ସେ ସବୁ ଜଳିଯାଇଛି। ମୁଁ ସ୍ପାରେ ଥିବା ବେଳେ କିଛି ବିକ୍ଷୋଭକାରୀ ମୋ ପଛରେ ବହୁତ ବଡ଼ ବଡ଼ ବାଡ଼ି ଧରି ଦୌଡିଥିଲେ। ବହୁ କଷ୍ଟରେ ମୁଁ ମୋ ଜୀବନ ବଞ୍ଚାଇଛି।"

ସେ ଆହୁରି କହିଛନ୍ତି ଯେ, "ଏଠାରେ ପରିସ୍ଥିତି ବହୁତ ଖରାପ। ସବୁଠି ରାସ୍ତାରେ ନିଆଁ ଲଗାଯାଉଛି। ସେମାନେ ଏଠାରେ ପର୍ଯ୍ୟଟକଙ୍କୁ ମଧ୍ୟ ଛାଡୁ ନାହାଁନ୍ତି। କିଏ ପର୍ଯ୍ୟଟକ, କିଏ ବାସିନ୍ଦା, ତାହା ସେମାନେ ଦେଖୁନାହାନ୍ତି। ସେମାନେ ଚିନ୍ତା ନକରି ସବୁଠି ନିଆଁ ଲଗାଉଛନ୍ତି। ଏଠାରେ ପରିସ୍ଥିତି ବହୁତ ଖରାପ ହେବାରେ ଲାଗିଛି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe