ଉପଗ୍ରହ ନିର୍ମାଣରେ ଭାରତର ନୂଆ ଅଧ୍ୟାୟ

Advertisment
ଉପଗ୍ରହ ନିର୍ମାଣରେ ଭାରତର ନୂଆ ଅଧ୍ୟାୟ

ମୁମ୍ବାଇ: ଭାରତର ଉପଗ୍ରହ ନିର୍ମାଣ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଦେଶର ମୁମ୍ବାଇଭିତ୍ତିକ ଏକ ଘରୋଇ ଷ୍ଟାର୍ଟ-ଅପ୍‌ ଦ୍ବାରା ନିର୍ମିତ ଉପଗ୍ରହକୁ ସଫଳତାପୂର୍ବକ ମହାକାଶ ଉତ୍‌କ୍ଷେପଣ କରାଯାଇଛି। ବେସରକାରୀ ସ୍ତରରେ ଉପଗ୍ରହ ନିର୍ମାଣ ହେବା ଏବଂ ଏହାର ସଫଳ ଉତ୍‌କ୍ଷେପଣ କରାଯିବା ଭାରତ ପାଇଁ ପ୍ରଥମ ଘଟଣା। ମୁମ୍ବାଇର ଷ୍ଟାର୍ଟ-ଅପ୍‌ କମ୍ପାନି ‘ଏକ୍ସିଡ୍‌ ସ୍ପେସ୍‌’ ଦ୍ବାରା ନିର୍ମିତ ଏହି ଉପଗ୍ରହକୁ ଏଲନ୍‌ ମସ୍କଙ୍କ ସ୍ପେସେକ୍ସ ଦ୍ବାରା ମଙ୍ଗଳବାର ବିଳମ୍ବିତ ରାତିରେ ମହାକାଶ ପଠାଯାଇଛି। ଏହି କ୍ଷୁଦ୍ର ଯୋଗାଯୋଗଭିତ୍ତିକ ଉପଗ୍ରହର ଓଜନ ମାତ୍ର ଏକ କିଲୋଗ୍ରାମ୍‌ ବୋଲି ଜଣାପଡ଼ିଛି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏକ୍ସିଡ୍‌ ସ୍ପେସ୍‌ ଏହି ଉପଗ୍ରହକୁ ମାତ୍ର ୧୮ ମାସ ମଧ୍ୟରେ ନିର୍ମାଣ କରିଛି। କାଲିଫର୍ଣ୍ଣିଆସ୍ଥିତ ଭାଣ୍ଡେନ୍‌ବର୍ଗ ବାୟୁସେନା ଘାଟିରୁ ଏହି ଉପଗ୍ରହକୁ ସ୍ପେସେକ୍ସର ଫାଲ୍‌କନ୍‌ ୯ ରକେଟ୍‌ ଦ୍ବାରା ଛଡ଼ାଯାଇଛି।

ଘରୋଇ କମ୍ପାନି ନିର୍ମିତ ଉପଗ୍ରହର ଉତ୍‌କ୍ଷେପଣ
୧୮ ମାସରେ ତିଆରି
ଓଜନ ୧ କିଲୋଗ୍ରାମ୍‌
ମୁମ୍ବାଇର ‘ଏକ୍ସିଡ୍‌ ସ୍ପେସ୍‌’ ଦ୍ବାରା ପ୍ରସ୍ତୁତ

୧୭ଟି ଅନ୍ୟ ରାଷ୍ଟ୍ରର ୬୩ ଉପଗ୍ରହ ସମେତ ଭାରତର ‘ଏକ୍ସିଡ୍‌ ସାଟ୍‌୧’ ଉପଗ୍ରହକୁ ଅନ୍ତରୀକ୍ଷ ଉତ୍‌କ୍ଷେପଣ କରାଯାଇଛି। ଏ ବାବଦରେ ମୁମ୍ବାଇ ଷ୍ଟାର୍ଟ-ଅପ୍‌ ଏକ୍ସିଡ୍‌ ସ୍ପେସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କ୍ରିସ୍‌ ନାୟର୍‌ କହିଛନ୍ତି, ଗୋଟିଏ ଉପଗ୍ରହ ନିର୍ମାଣ କରିବା ପାଇଁ ବର୍ଷ ବର୍ଷ ସମୟ ଲାଗିଥାଏ। କୋଟି କୋଟି ଡଲାର ମଧ୍ୟ ଖର୍ଚ୍ଚ ହୋଇଥାଏ। କିନ୍ତୁ ଆମେ ନିର୍ମାଣ କରିଥିବା ଉପଗ୍ରହ କ୍ଷେତ୍ରରେ ତାହାର ବ୍ୟତିକ୍ରମ ଘଟିଛି। ଏକ୍ସିଡ୍‌ ସ୍ପେସ୍‌ ଟିମ୍‌ ମାତ୍ର ୧୮ ମାସ ମଧ୍ୟରେ ଅତ୍ୟନ୍ତ ସ୍ବଳ୍ପ ଖର୍ଚ୍ଚରେ ଉପଗ୍ରହ ତିଆରି କରିଛି। ଏହା ଭାରତ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ବୋଲି ସେ କହିଛନ୍ତି। ଏକ୍ସିଡ୍‌ ସାଟ୍‌୧ ପ୍ରାକୃତିକ ଦୁର୍ବିପାକ ବେଳେ କାମରେ ଆସିପାରିବ। ଏହାବ୍ୟତୀତ ରେଡିଓ କମ୍ୟୁନିଟି ମଧ୍ୟରେ ବାର୍ତ୍ତା ସମନ୍ବୟ ପାଇଁ ଏହା ଉପଯୋଗୀ ସାବ୍ୟସ୍ତ ହୋଇପାରିବ। କ୍ରିସ୍‌ ନାୟର୍‌ ଆହୁରି କହିଛନ୍ତି, ଏବେ ଆମ ଟିମ୍‌ ପ୍ରମାଣ କରିଦେଇଛନ୍ତି ଯେ ଖୁବ୍‌ କମ୍‌ ସମୟ ମଧ୍ୟରେ ଓ ସ୍ବଳ୍ପ ଖର୍ଚ୍ଚରେ ବି ଭରସାଯୋଗ୍ୟ ବାଣିଜ୍ୟିକ ମହାକାଶଯାନ ତିଆରି କରାଯାଇ ପାରିବ। ପୂର୍ବରୁ କେବଳ ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ) ଉପଗ୍ରହ ନିର୍ମାଣ କରୁଥିଲା। ଏବେ ଇସ୍ରୋର ଏକାଧିକାରରେ ପରିସମାପ୍ତି ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe