Image Courtesy of Zee News
ଜେନେଭା: ଭାରତର କରୋନା ସ୍ଥିତି ଘୋର ଚିନ୍ତାଜନକ ରହିଛି। ଅନେକ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସହିତ ଡାକ୍ତରଖାନାରେ ରୋଗୀ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ମହାନିର୍ଦ୍ଦେଶକ ଟେଡ୍ରସ ଆଧନମ୍ ଘେବ୍ରେୟେସସ୍ ଶୁକ୍ରବାର କହିଛନ୍ତି। ଏଥିସହିତ ପ୍ରଥମ ବର୍ଷ ତୁଳନାରେ ଦ୍ବିତୀୟ ବର୍ଷ ବିଶ୍ବପାଇଁ ଅଧିକ ଘାତକ ହେବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ଏଥିସହିତ ଭାରତକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହାୟତାର ହାତ ବଢ଼ାଇଛି। ହଜାର ହଜାର ସଂଖ୍ୟକ ଅକ୍ସିଜେନ ସାନ୍ଦ୍ରକ, ବିଭିନ୍ନ ସ୍ଥାନରେ ଭ୍ରାମ୍ୟମାଣ ଡାକ୍ତରଖାନା ସ୍ଥାପନ ପାଇଁ ଟେଣ୍ଟ୍, ମାସ୍କ ଏବଂ ମେଡିକାଲ ଉପକରଣ ଯୋଗାଇ ଦିଆଯାଇଛି। ଏହାସହିତ ଯେଉଁମାନେ ଭାରତକୁ ସହାୟତା ଯୋଗାଉଛନ୍ତି ସେମାନଙ୍କୁ ହୁ ମହାନିର୍ଦ୍ଦେଶକ ଧନ୍ୟବାଦ ଜଣାଇଛନ୍ତି। ଭାରତ ସମେତ ନେପାଳ, ଶ୍ରୀଲଙ୍କା, କାମ୍ବୋଡିଆ, ଭିଏତନାମ, ଥାଇଲାଣ୍ଡ ଏବଂ ଇଜିପ୍ଟ ଆଦି ଦେଶରେ ମଧ୍ୟ ସ୍ଥିତି ବହୁତ ଖରାପ ରହିଛି ବୋଲି ସେ କହିଛନ୍ତି।
Follow Us