ଆଫଗାନିସ୍ତାନ ନେଇ ଭାରତର କୂଟନୈତିକ ପଦକ୍ଷେପ: ଟ୍ରମ୍ପ୍‌ଙ୍କ ଯୋଜନା ଫସର ଫାଟିବା ଆଶଙ୍କା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଆଫଗାନିସ୍ତାନ ଉପରେ ମନ୍ତବ୍ୟ ବିଶ୍ୱ ରାଜନୀତିକୁ ଉଷ୍ଣ କରିଛି। ଟ୍ରମ୍ପ୍ ତାଲିବାନକୁ ବାଗ୍ରାମ ବାୟୁସେନା ଘାଟି ଆମେରିକାକୁ ଫେରାଇ ଦେବାକୁ ଦାବି କରିଛନ୍ତି...

India's diplomatic moves on Afghanistan: Trump's plan risks falling apart

India's diplomatic moves on Afghanistan: Trump's plan risks falling apart

ନୂଆଦିଲ୍ଲୀ/ୱାଶିଂଟନ/କାବୁଲ:  ଆମେରିକାର ଆଫଗାନ ନୀତି ପୁଣି ଥରେ ଅନ୍ତର୍ଜାତୀୟ ବିତର୍କର ବିଷୟ ପାଲଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ଆଫଗାନିସ୍ତାନରେ ନିଜର ସାମରିକ ଉପସ୍ଥିତିକୁ ପୁନଃ ବୃଦ୍ଧି କରିବାକୁ ଏବଂ ବାଗ୍ରାମ ବାୟୁସେନା ଘାଟିକୁ ଆମେରିକାକୁ ଫେରାଇବା ପାଇଁ ତାଲିବାନ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି। ତଥାପି, ଭାରତ ସମେତ ପ୍ରମୁଖ ଏସୀୟ ଶକ୍ତିମାନେ ଏହି ପଦକ୍ଷେପକୁ ଦୃଢ଼ ବିରୋଧ କରିଛନ୍ତି। ଭାରତ, ରୁଷିଆ, ଚୀନ୍, ଇରାନ ଏବଂ ମଧ୍ୟ ଏସୀୟ ଦେଶଗୁଡ଼ିକ ସହିତ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ, ଆଫଗାନ ମାଟି ଆଉ କୌଣସି ବିଦେଶୀ ଶକ୍ତି ପାଇଁ ସାମରିକ ଘାଟି ଭାବରେ ବ୍ୟବହାର କରାଯିବ ନାହିଁ।

ଆଫଗାନିସ୍ତାନରେ କୌଣସି ବିଦେଶୀ ସାମରିକ ଘାଟି କିମ୍ବା ଭିତ୍ତିଭୂମି ସ୍ଥାପନକୁ ବିରୋଧ କରି ଭାରତ ମଙ୍ଗଳବାର ରୁଷିଆ, ଚୀନ୍, ଇରାନ ଏବଂ ଅନ୍ୟ ସାତଟି ଦେଶ ସହିତ ସାମିଲ ହୋଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସମ୍ପ୍ରତି ତାଲିବାନ ସରକାରଙ୍କୁ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ବାଗ୍ରାମ ଏୟାରବେସ୍ ଆମେରିକାକୁ ହସ୍ତାନ୍ତର କରିବାକୁ କହିବା ପରେ ଏହି ବିବୃତି ଆସିଛି। ଭାରତର କୂଟନୈତିକ ପଦକ୍ଷେପ ଯୋଗୁ ଟ୍ରମ୍ପ୍‌ଙ୍କ ଯୋଜନା ଫସର ଫାଟିବା ଆଶଙ୍କା ସୃଷ୍ଟି ହୋଇଛି।

ସମ୍ପ୍ରତି ମସ୍କୋ ଫୋରମ୍ ବୈଠକରେ, ଅଂଶଗ୍ରହଣକାରୀ ଦେଶମାନେ ଆଫଗାନିସ୍ତାନରେ ଶାନ୍ତି, ସ୍ଥିରତା ଏବଂ ବିକାଶର ଗୁରୁତ୍ୱ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବୈଠକରେ ସର୍ବସମ୍ମତିକ୍ରମେ ଏକମତ ହୋଇଥିଲେ ଯେ ଆଫଗାନିସ୍ତାନ କିମ୍ବା ଏହାର ପଡ଼ୋଶୀ ଦେଶଗୁଡ଼ିକରେ କୌଣସି ବିଦେଶୀ ସାମରିକ ଭିତ୍ତିଭୂମିର ଉପସ୍ଥିତି ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପାଇଁ କ୍ଷତିକାରକ ହେବ। ଏହି ବୈଠକରେ ପ୍ରଥମ ଥର ପାଇଁ ତାଲିବାନ ସରକାରଙ୍କ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି ଯୋଗ ଦେଇଥିଲେ। କିଛି ସପ୍ତାହ ପୂର୍ବରୁ, ଟ୍ରମ୍ପ୍ କହିଥିଲେ ଯେ, ତାଲିବାନ ବାଗ୍ରାମ ବାୟୁ ଘାଟିକୁ ଆମେରିକାକୁ ଫେରାଇ ଦେବା ଉଚିତ, କାରଣ ଏହା ଆମେରିକା ନିର୍ମାଣ କରିଥିଲା।


ବୈଠକରେ ଅଂଶଗ୍ରହଣକାରୀ ଦେଶମାନେ ସହମତ ହୋଇଥିଲେ ଯେ ଆତଙ୍କବାଦର ମୁକାବିଲା ପାଇଁ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବାର ଆବଶ୍ୟକତା ରହିଛି। ମିଳିତ ବିବୃତିରେ କୁହାଯାଇଛି, ଆଫଗାନିସ୍ତାନ ଆତଙ୍କବାଦକୁ ସମ୍ପୂର୍ଣ୍ଣ ଭାବରେ ବିଲୋପ କରିବା ପାଇଁ ଦୃଢ଼ ପଦକ୍ଷେପ ନେବା ଉଚିତ୍ ଏବଂ ଏହାର ଅଞ୍ଚଳକୁ କୌଣସି ପଡ଼ୋଶୀ ଦେଶ ବିରୁଦ୍ଧରେ କିମ୍ବା ବିଶ୍ୱ ଶାନ୍ତି ବିରୁଦ୍ଧରେ ବ୍ୟବହାର ନ କରିବା ନିଶ୍ଚିତ କରିବା ଉଚିତ୍।


ଭାରତ ପକ୍ଷରୁ ରାଷ୍ଟ୍ରଦୂତ ବିନୟ କୁମାର ବୈଠକରେ ଅଂଶଗ୍ରହଣ କରିଥିଲେ। ଭାରତୀୟ ଦୂତାବାସ ଅନୁଯାୟୀ, ସେ କହିଥିଲେ ଯେ, ଭାରତ ଏକ ସ୍ୱାଧୀନ, ଶାନ୍ତିପୂର୍ଣ୍ଣ ଏବଂ ସ୍ଥିର ଆଫଗାନିସ୍ତାନକୁ ସମର୍ଥନ କରେ , ଯାହା ଏହାର ଲୋକଙ୍କ ପାଇଁ ସାମାଜିକ ଏବଂ ଆର୍ଥିକ ବିକାଶକୁ ସକ୍ଷମ କରିଥାଏ। ସେ ଏହା ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଏକ ସୁରକ୍ଷିତ ଏବଂ ସ୍ଥିର ଆଫଗାନିସ୍ତାନ କେବଳ ଆଫଗାନ ନାଗରିକଙ୍କ ପାଇଁ ନୁହେଁ, ବରଂ ସମଗ୍ର ଅଞ୍ଚଳ ଏବଂ ବିଶ୍ୱ ସୁରକ୍ଷା ପାଇଁ ମଧ୍ୟ ଜରୁରୀ। ବିଶ୍ଳେଷକଙ୍କ ଅନୁସାରେ, ଭାରତର ଏହି ମତକୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ "ସୈନ୍ୟ ବିସ୍ତାର ନୀତି" ବିରୁଦ୍ଧରେ ଏକ ସନ୍ତୁଳିତ ଏବଂ ସ୍ପଷ୍ଟ କୂଟନୈତିକ ବାର୍ତ୍ତା ଭାବରେ ଦେଖାଯାଉଛି।

ରୁଷିଆରର ବୈଦେଶିକ ମନ୍ତ୍ରୀ ସେରଗେ ଲାଭରୋଭ କହିଛନ୍ତି, ବର୍ତ୍ତମାନର ବିଶ୍ୱ ପରିସ୍ଥିତି ଅତ୍ୟନ୍ତ ଜଟିଳ, କିନ୍ତୁ ଆଫଗାନ ସରକାର ସ୍ଥିରତା ପ୍ରତିଷ୍ଠା ପାଇଁ ଗମ୍ଭୀର ପ୍ରୟାସ କରୁଛି। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଜାତିସଂଘ ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ନିଶା ଚାଷ ଏବେ ଯଥେଷ୍ଟ ହ୍ରାସ ପାଇଛି। ଲାଭରୋଭ ଆଶ୍ୱାସନା ଦେଇଛନ୍ତି ଯେ ରୁଷିଆ ଆତଙ୍କବାଦ, ନିଶା କାରବାର ଏବଂ ସଂଗଠିତ ଅପରାଧ ବିରୁଦ୍ଧରେ ଆଫଗାନିସ୍ତାନକୁ ସମସ୍ତ ପ୍ରକାରର ସହାୟତା ଯୋଗାଇବ ଯାହା ଦ୍ୱାରା ସେଠାକାର ଲୋକମାନେ ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିପାରିବେ।

ସେ ଆଞ୍ଚଳିକ ସହଯୋଗ ଏବଂ ବିକାଶ ଉପରେ ମଧ୍ୟ ଗୁରୁତ୍ୱାରୋପ କରି କହିଛନ୍ତି, ରୁଷିଆ, ଚୀନ୍ ଏବଂ ଭାରତ ଭଳି ଦେଶମାନେ ବିଶ୍ୱାସ କରନ୍ତି, ଦେଶରେ ସ୍ଥାୟୀ ଶାନ୍ତି ଏବଂ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଆଫଗାନିସ୍ତାନକୁ ଅର୍ଥନୈତିକ ଏବଂ ଆଞ୍ଚଳିକ ସଂଯୋଗୀକରଣରେ ଅଧିକ ଗଭୀର ଭାବରେ ସଂଯୁକ୍ତ କରାଯିବା ଉଚିତ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe