Image Courtsy: Rediff
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଲଣ୍ଡନରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ସମୟରେ ଭାରତର ବିଦେଶ ସେବାକୁ ସମାଲୋଚନା କରିଥିଲେ। ଭାରତର ବିଦେଶ ସେବା ଅହଙ୍କାର ଦ୍ବାରା ପରିଚାଳିତ ବୋଲି ରାହୁଲ କହିଥିଲେ। ତେବେ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏହାର କଡ଼ା ଜବାବ ଦେଇଛନ୍ତି। ଜୟଶଙ୍କର କହିଛନ୍ତି ଯେ ଅହଙ୍କାର ନୁହେଁ, ଆତ୍ମବିଶ୍ବାସ ଦ୍ବାରା ଭାରତର ବିଦେଶ ସେବା ପରିଚାଳିତ।
ମେ’ ୨୦ରେ ଲଣ୍ଡନ୍ରେ ଆୟୋଜିତ ‘ଆଇଡିଆଜ୍ ଫର୍ ଇଣ୍ଡିଆ କନକ୍ଲେଭ୍’ କାର୍ଯ୍ୟକ୍ରମରେ ଯୋଗଦେଇ ରାହୁଲ କହିଥିଲେ, ୟୁରୋପର ଅଧିକାଂଶ ଅମଲା ତାଙ୍କୁ କହିଛନ୍ତି, ଭାରତର ବିଦେଶ ସେବା ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି। ସେମାନେ ଅହଙ୍କାରୀ ହୋଇଯାଇଛନ୍ତି ଏବଂ କାହା କଥା ଶୁଣୁନାହାନ୍ତି। ଏବେ ସେମାନଙ୍କୁ ଦିଆଯାଉଥିବା ନିର୍ଦ୍ଦେଶ ହିଁ କେବଳ ସେମାନେ ପାଳନ କରୁଛନ୍ତି। ଏହାର ଉତ୍ତରରେ ଜୟଶଙ୍କର କହିଛନ୍ତି, ‘ହଁ ଭାରତର ବିଦେଶ ସେବା ବଦଳି ଯାଇଛି, ସେମାନେ ସରକାରଙ୍କ ନିର୍ଦ୍ଦେଶ ପାଳନ କରୁଛନ୍ତି ଏବଂ ଅନ୍ୟମାନଙ୍କର ଯୁକ୍ତିର ଜବାବ ରଖୁଛନ୍ତି। ଏହାକୁ ଆହଙ୍କାର କୁହାଯିବନି। ଏହା ଆତ୍ମବିଶ୍ବାସ ଏବଂ ଏହାକୁ ଜାତୀୟ ସ୍ବାର୍ଥର ସୁରକ୍ଷା କୁହାଯିବ।’ ରାହୁଲ କେବଳ ବିଦେଶ ସେବାକୁ ସମାଲୋଚନା କରିନାହାନ୍ତି, ସେ ବିଜେପି ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି, ଭାରତ ଏବେ ଭଲ ସ୍ଥିତିରେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କାହା କଥା ଶୁଣୁନାହାନ୍ତି। ରାହୁଲଙ୍କ ଏହି ଟିପ୍ପଣୀର ବିଜେପି କଡ଼ା ବିରୋଧ କରିଛି। ବିଦେଶ ମାଟିରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରାହୁଲଙ୍କ ଘୃଣାଭରା ବୟାନ ପାଇଁ ଦେଶର କ୍ଷତି ହେଉଛି ବୋଲି ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି। ବିଦେଶ ମାଟିରୁ ରାହୁଲ ବାରମ୍ବାର ଦେଶକୁ ଧୋକା ଦେଉଛନ୍ତି ବୋଲି ସେ କହିଛନ୍ତି। ରାହୁଲଙ୍କ କରାସିନି ଟିପ୍ପଣୀକୁ ମଧ୍ୟ ସେ କଡ଼ା ବିରୋଧ କରିଛନ୍ତି। ରାହୁଲ କହିଛନ୍ତି, ବିଜେପି ଦେଶସାରା କିରାସିନି ଢାଳି ଦେଇଛି, ଗୋଟିଏ ନିଆଁ ଝୁଲରେ ଆମେ ବଡ଼ ସମସ୍ୟାରେ ପଡ଼ିଯିବା ବୋଲି ସେ କହିଛନ୍ତି।
Follow Us