୧୭ ବର୍ଷ ପରେ ଭାରତକୁ ଫେରିଲା ବିଶ୍ୱ ସୁନ୍ଦରୀ ମୁକୁଟ: ମୁକୁଟ ପିନ୍ଧିଲେ ମାନୁସି ଚିଲର

Advertisment
୧୭ ବର୍ଷ ପରେ ଭାରତକୁ ଫେରିଲା ବିଶ୍ୱ ସୁନ୍ଦରୀ ମୁକୁଟ: ମୁକୁଟ ପିନ୍ଧିଲେ ମାନୁସି ଚିଲର

ବେଜିଂ: ପୁଣିଥରେ ଇତିହାସ ରଚିବାକୁ ସକ୍ଷମ ହୋଇଛନ୍ତି ଭାରତୀୟ ସୁନ୍ଦରୀ । ଚୀନ୍‌ର ସନାୟା ସହରରେ ଚାଲିଥିବା ମିସ୍‌ ଓ୍ଵାର୍ଲ୍ଡ ୨୦୧୭ ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ପ୍ରତିଯୋଗୀ ଘୋଷିତ ହୋଇଛନ୍ତି ଭାରତର ଝିଅ ମାନୁଷି ଚିଲ୍ଲର(୨୦)। ୧୭ ବର୍ଷ ପରେ ପୁଣିଥରେ ମିସ୍‌ ଓ୍ଵାର୍ଲ୍ଡ ମୁକୁଟ ପିନ୍ଧି ଦେଶ ପାଇଁ ଗୌରବ ଆଣିଦେଇଛନ୍ତି ହରିୟାଣା ସୋନିପତର ମାନୁଷି। ୬୭ତମ ମିସ୍‌ ଓ୍ଵାର୍ଲ୍ଡ ପ୍ରତିଯୋଗିତାରେ ମୋଟ ୧୧୮ ସୁନ୍ଦରୀ ଭାଗ ନେଇଥିଲେ ଏବଂ ସମସ୍ତଙ୍କୁ ପଛରେ ପକାଇ ମାନୁଷି ବାଜି ମାରିନେଇଛନ୍ତି। ଏହି ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ମିସ୍‌ ମେକ୍ସିକୋ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ମିସ୍‌ ବ୍ରିଟେନ। ସ୍ମରଣଯୋଗ୍ୟ,୨୦୦୦ ମସିହାରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏହି ମୁକୁଟର ବିଜୟୀ ହୋଇଥିଲେ ।

publive-image

ମାନୁଷି ଏବେ ହରିୟାନାର ସୋନେପତ ସରକାରୀ ଡାକ୍ତରୀ ମହାବିଦ୍ୟାଳୟର ଛାତ୍ରୀ । ଭବିଷ୍ୟତରେ ଜଣେ ଭଲ ହୃଦ୍‌ରୋଗ ସର୍ଜନ ହେବା ତାଙ୍କର ଲକ୍ଷ୍ୟ ରହିଛି । ତାଙ୍କ ପିତା ଡାକ୍ତର ମିତ୍ରବାସୁ ଚିଲ୍ଲର ଭେଷଜ ବିଭାଗର ଡାକ୍ତର ହୋଇଥିବା ବେଳେ ଡିଆର୍‌ଡିଓର ଜଣେ ଖ୍ୟାତନାମା ବୈଜ୍ଞାନିକ ମଧ୍ୟ । ମାନୁଷିଙ୍କ ମା’ ଡାକ୍ତର ନିଲମ ଚିଲ୍ଲର ଜୈବ ରସାୟନ ବିଭାଗର ଜଣେ ପ୍ରଫେସର। ଚଳିତ ବର୍ଷ ଜୁନ୍‌ ମାସରେ ମାନୁଷି ଫେମିନା ମିସ୍‌ ଇଣ୍ଡିଆ ପ୍ରତିଯୋଗିତାର ଫାଇନାଲ ରାଉଣ୍ଡରେ ପ୍ରିୟଦର୍ଶିନୀ ଚାଟାର୍ଜୀଙ୍କୁ ପଛରେ ପକାଇ ମୁକୁଟ ମଧ୍ୟ ଜିତିଛନ୍ତି । ୧୯୬୬ ମସିହାରେ ମିସ୍‌ ୟୁନିଭର୍ସ ମୁକୁଟ ହାତେଇଥିବା ଭାରତୀୟ ଝିଅ ରୀତା ଫାରିଆଙ୍କୁ ମାନୁଷି ନିଜର ଆଦର୍ଶ ବୋଲି କହିଛନ୍ତି । ରୀତା ହେଉଛନ୍ତି ପ୍ରଥମ ଭାରତୀୟ ତଥା ପ୍ରଥମ ଏସୀୟ ଯିଏ ମିସ୍‌ ୟୁନିଭର୍ସ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀ ହୋଇପାରିଥିଲେ । ମାନୁଷି ଜଣେ ଉତ୍ ଷ୍ଟ କୁଚିପୁଡ଼ୀ ନୃତ୍ୟାଙ୍ଗନା ଓ ଜାତୀୟ ଡ୍ରାମା ସ୍କୁଲର ଜଣେ ସଦସ୍ୟ । ଜଣେ ମଡେଲ ଭାବେ ସୁଖ୍ୟାତି ଲାଭ କରିବା ତାଙ୍କର ଲକ୍ଷ୍ୟ ବୋଲି ମାନୁଷି କହିଛନ୍ତି।

ଶେଷ ରାଉଣ୍ଡରେ ମାନୁଷିଙ୍କୁ ବିଚାରକ ମଣ୍ଡଳୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ମାନୁଷି ସମସ୍ତଙ୍କୁ ଭାବବିହ୍ଵଳ କରିଦେଇଥିଲେ । ତାଙ୍କୁ ପଚରାଯାଇଥିଲା,କେଉଁ ବୃତ୍ତିରେ ସବୁଠୁ ଅଧିକ ଦରମା ମିଳିବା କଥା ଆଉ କାହିଁକି ? ଏହାର ଉତ୍ତରଦେଇ ମାନୁଷି କହିଥିଲେ, ମା’ଙ୍କୁ ସବୁଠୁ ଅଧିକ ପ୍ରେତ୍ସାହନ ମିଳିବା କଥା । ମା’ଙ୍କୁ ତ’ ଦରମା ଦେଇ ହେବ ନାହିଁ ବରଂ ତାଙ୍କୁ ପ୍ରଚୁର ସମ୍ମାନ ଆଉ ଭଲପାଇବା ଦେବା ଅବଶ୍ୟକ । କାରଣ ଦୁନିଆରେ ମା’ଠାରୁ ଅଧିକ କାମ କେହି କରି ନଥାନ୍ତି। ତାଙ୍କ ମା’ ହିଁ ତାଙ୍କର ସବୁଠୁ ବଡ଼ ଆଦର୍ଶ ବୋଲି ମାନୁଷି କହିଛନ୍ତି । ମାନୁଷିଙ୍କର ଏଭଳି ଉତ୍ତରରେ ତାଙ୍କ ପିତା ମଧ୍ୟ କାନ୍ଦି ପକାଇଥିଲେ ଆଉ କହିଥିଲେ ଯେ, ସେ କରିଥିବା ଭଲ କର୍ମର ଫଳ ହେଉଛନ୍ତି ମାନୁଷି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe