୨୦୨୧ରେ ଭାରତର ବିଶାଳ ପ୍ରତିରକ୍ଷା ଯୋଜନା, ତିନି ସେନାକୁ ସୁଦୃଢ଼ କରିବାକୁ ନୂଆ ରଣନୀତି

Advertisment
୨୦୨୧ରେ ଭାରତର ବିଶାଳ ପ୍ରତିରକ୍ଷା ଯୋଜନା, ତିନି ସେନାକୁ ସୁଦୃଢ଼ କରିବାକୁ ନୂଆ ରଣନୀତି

Jagran Josh

ନୂଆଦିଲ୍ଲୀ : ଆଗାମୀ ନୂଆବର୍ଷରେ ଭାରତ ଅନେକ ଧାରାବାହିକ ଯୁଦ୍ଧାସ୍ତ୍ରର ପରୀକ୍ଷଣ ସାଙ୍ଗକୁ ସଂଖ୍ୟାଧିକ ପ୍ରତିରକ୍ଷା ପ୍ରଣାଳୀର ମଧ୍ୟ ପରୀକ୍ଷା ନିରୀକ୍ଷା କରିବାକୁ ଯୋଜନା କରିଛି। ସେଗୁଡ଼ିକ ମଧ୍ୟରେ ବାଲିଷ୍ଟିକ୍‌ ମିଜାଇଲ୍‌ ଡିଫେନ୍ସ(ବିଏମ୍‌ଡି) ସିଲ୍‌ଡ, ବୁଡ଼ାଜାହାଜ ପାଇଁ ଉଦ୍ଦିଷ୍ଟ ଏୟାର ଇଣ୍ଡିପେଣ୍ଡେନ୍ସ ପ୍ରପଲ୍‌ସନ୍‌(ଏଆଇପି) ପ୍ରଣାଳୀ, ୮୦୦ କିମି. ଲକ୍ଷ୍ୟଭେଦୀ ବ୍ରହ୍ମୋସ୍‌ ସମେତ ସଂଖ୍ୟାଧିକ କ୍ଷେପଣାସ୍ତ୍ର ପରୀକ୍ଷା ଆଦି ରହିଛି। ତେବେ ସେଗୁଡ଼ିକ ମଧ୍ୟରେ ନିଜସ୍ବ ଜ୍ଞାନକୌଶଳରେ ନିର୍ମିତ ଏଆଇପି ପରୀକ୍ଷା ସବୁଠୁ ଗୁରୁତ୍ବପୂର୍ଣ୍ଣ ରହିବ। କାରଣ ଏହାଦ୍ବାରା ଦେଶର ୬ଟି ସ୍କୋର୍ପିନ୍‌ ବୁଡ଼ାଜାହାଜ ବିଶିଷ୍ଟ ନୌଭେଳାକୁ ଏହା ପୂର୍ଣ୍ଣାଙ୍ଗ କରିପାରିବ।

ସୂଚନାଯୋଗ୍ୟ, ଏହି ଏଆଇପି ପ୍ରଣାଳୀ କାର୍ଯ୍ୟକ୍ଷମ ହେଲେ ପାରମ୍ପରିକ ବୁଡ଼ାଜାହାଜଗୁଡ଼ିକ ସମୁଦ୍ର ଗର୍ଭରେ ଅଧିକ ସମୟ ଧରି ବୁଡ଼ି ରହିବାରେ ସମର୍ଥ ହୋଇପାରିବେ। ସେହିପରି ବିଏମ୍‌ଡି ପ୍ରଣାଳୀର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ଦେଶକୁ କୌଣସି ପ୍ରକାର ବାହ୍ୟ କ୍ଷେପଣାସ୍ତ୍ର ମାଡ଼ରୁ ସୁରକ୍ଷା ପ୍ରଦାନ କରିପାରିବ ବୋଲି ଆଶା କରାଯାଉଛି। ଏଥି ସହିତ ବହୁ ପ୍ରତୀକ୍ଷିତ ଚାଳକ ବିହୀନ ବିମାନ(ଡ୍ରୋନ୍‌) ରୁସ୍ତମ-୨ର ମଧ୍ୟ କାର୍ଯ୍ୟଦକ୍ଷତା ପରୀକ୍ଷା କରାଯିବ। ସମ୍ପ୍ରତି ଚୀନ୍‌ ସହ ପୂର୍ବ ଲଦାଖରେ ଜାରି ରହିଥିବା ମୁହାଁ ମୁହିଁ ସ୍ଥିତି ପରିପ୍ରେକ୍ଷୀରେ ଉପରୋକ୍ତ ପ୍ରତିରକ୍ଷା ପ୍ରଣାଳୀଗୁଡ଼ିକର ତୁରନ୍ତ ପରୀକ୍ଷଣ ଅପରିହାର୍ଯ୍ୟ ହୋଇପଡ଼ିଛି। ବିଶେଷ କରି ବିଶ୍ବର ସର୍ବାଧିକ ଯୁଦ୍ଧାସ୍ତ୍ର ଖଚିତ ଡ୍ରୋନ୍‌ ଯୋଗାଉଥିବା ଚୀନ୍‌ର ମୁକାବିଲା ପାଇଁ ଭାରତ ନିଜସ୍ବ ଜ୍ଞାନକୌଶଳରେ ବିକଶିତ ଡ୍ରୋନ୍‌ର ବହୁଳ ବ୍ୟବହାରକୁ ଅପେକ୍ଷା କରି ରହିଛି। ଏଥି ସହିତ ୨୦୨୧ର ପ୍ରଥମାର୍ଦ୍ଧରେ ୮୦୦ରୁ ୧୦୦୦ କିମି ଲକ୍ଷ୍ୟ ଭେଦ କରି ପାରୁଥିବା ନିର୍ଭୟ କ୍ଷେପଣାସ୍ତ୍ରର ମଧ୍ୟ ବ୍ୟାବହାରିକ ପରୀକ୍ଷଣ କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe