କୋଭିଡ୍‌ ଟିକାକରଣରେ ଭାରତର ନୂଆ ରେକର୍ଡ:୨.୨୫ କୋଟି ଲୋକ ଟିକା ନେଲେ

ମିନିଟ୍‌କୁ ୪୨ ହଜାର ଟିକା

କୋଭିଡ୍‌ ଟିକାକରଣରେ ଭାରତର ନୂଆ ରେକର୍ଡ:୨.୨୫ କୋଟି ଲୋକ ଟିକା ନେଲେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଶୁକ୍ରବାର ଦେଶରେ ରେକର୍ଡ ଟିକାକରଣ ହୋଇଛି। କୋୱିନ୍‌ ପୋର୍ଟାଲ ତଥ୍ୟ ମୁତାବକ ରାତି ୯ଟା ସୁଦ୍ଧା ୨ କୋଟି ୨୫ ଲକ୍ଷରୁ ଅଧିକ ଲୋକ କୋଭିଡ୍‌ ଟିକା ନେଇଛନ୍ତି ଯାହାକି ଏକ ନୂଆ ବିଶ୍ବ ରେକର୍ଡ। ଆଜିକୁ ମିଶାଇ ଦେଶରେ ୪ ଥର ଟିକାକରଣ ୧ କୋଟି ଅତିକ୍ରମ କରିଛି।

ଶୁକ୍ରବାର ଅପରାହ୍ନ ୧.୩୦ ସୁଦ୍ଧା ଦେଶରେ ଟିକାକରଣ ୧ କୋଟି ଟପିଥିଲା ଏବଂ ମିନିଟ୍‌କୁ ୪୨ହଜାର ଟିକାଦାନ ହୋଇଥିଲା। ଦେଶରେ ୧ ଲକ୍ଷ ୯ ହଜାର ୬୮୯ଟି ଟକାକରଣ କେନ୍ଦ୍ରରେ ଲୋକେ ଟିକା ନେଇଛନ୍ତି ଏବଂ ବିଜେପି କର୍ମୀମାନେ ବହୁ ସଂଖ୍ୟାରେ ଲୋକଙ୍କୁ ଟିକାକରଣ କେନ୍ଦ୍ରରେ ପହଞ୍ଚାଇଛନ୍ତି। ଅପରାହ୍ନ ୫ଟା ସୁଦ୍ଧା ୯ ଘଣ୍ଟାରେ ୨ କୋଟି ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ଏହାପରେ ଆହୁରି ୨୫ ଲକ୍ଷରୁ ଅଧିକ ଲୋକ ଟିକା ନେଇଥିଲେ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି, ଆଜି ଆମେ ଟିକାକରଣରେ ନୂଆ ରେକର୍ଡ କରିଛୁ ଏବଂ ଜନ୍ମଦିନରେ ଏହା ପ୍ରଧାନମନ୍ତ୍ରୀଙ୍କୁ ଏକ ବଡ଼ ଉପହାର। ଆଗକୁ ନିର୍ବାଚନ ଥିବା ରାଜ୍ୟମାନଙ୍କରେ ଶତ ପ୍ରତିଶତ ପ୍ରଥମ ଡୋଜ୍‌ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ମୋଦୀଙ୍କ ୭୧ ତମ ଜନ୍ମଦିନ ଅବସରରେ ବିଜେପିର ୩ ସପ୍ତାହ ଉତ୍ସବର ପ୍ରମୁଖ ଫୋକସ୍‌ ଟିକାକରଣ ଅଭିଯାନ ରହିବ। ଚୀନ୍‌ ଗୋଟିଏ ଦିନରେ ୨ କୋଟି ୨୪ ଲକ୍ଷ ଲୋକଙ୍କୁ ଟିକା ଦେବାର ବିଶ୍ବ ରେକର୍ଡ କରିଥିବା ଆଜି ଭାରତ ୨ କୋଟି ୨୫ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦେଇଛି।

ଦେଶରେ ଟିକାକରଣ ସଂଖ୍ୟା ୧୦ କୋଟିରେ ପହଞ୍ଚିବାକୁ ୫୮ ଦିନ ଲାଗିଥିଲା। ଅକ୍ଟୋବର ତୃତୀୟ ସପ୍ତାହ ସୁଦ୍ଧା ଦେଶରେ ଟିକାକରଣ ୧୦୦ କୋଟି ଅତିକ୍ରମ କରିବା ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe