ଚୀନ୍‌ର ୧୯୫୯ ଏଲ୍‌ଏସି ସଂଜ୍ଞାକୁ ଭାରତର ପ୍ରତ୍ୟାଖ୍ୟା‌ନ, ଏକପାଖିଆ ନିଷ୍ପତ୍ତି କଦାପି ଗ୍ରହଣୀୟ ନୁହେଁ

ଚୀନ୍‌ର ୧୯୫୯ ଏଲ୍‌ଏସି ସଂଜ୍ଞାକୁ ଭାରତର ପ୍ରତ୍ୟାଖ୍ୟା‌ନ, ଏକପାଖିଆ ନିଷ୍ପତ୍ତି କଦାପି ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ: ଭାରତ ଓ ଚୀନ୍‌ ସେନା ପୂର୍ବ ଲଦାଖରେ ଛକାପଞ୍ଝା ଅବସ୍ଥାରେ ଗତ କିଛିମାସ ହେଲା ଅଛନ୍ତି। ଭାରତ ମଧ୍ୟକୁ ଚୀନ୍‌ ସେନା ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଭାରତୀୟ ସେନା ଏହାର କଡ଼ା ଜବାବ ଦେଇ ଆସୁଛି। ଏଭଳି ପରିସ୍ଥିତିରେ ଭାରତ ଓ ଚୀନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା ସଂପର୍କରେ ଚୀନ ଏକ ନୂଆ ବିବୃତି ରଖିଛି। ୧୯୫୯ ମସିହାର ଏଲଏସି ସଂଜ୍ଞାକୁ ଚୀନ୍‌ ଗ୍ରହଣ କରୁଛି ବୋଲି କହିଛି। ତେବେ ଚୀନର ଏଭଳି ବୟାନକୁ ଭାରତ ଦୃଢ଼ ବିରୋଧ କରିଛି। ଚୀନ ପକ୍ଷରୁ ଏକପାଖିଆ ଭାବେ ନିରୂପିତ ହୋଇଥିବା ୧୯୫୯ ମସିହାର ଏହି ସଂଜ୍ଞା ଭାରତ ପକ୍ଷରେ କଦାପି ଗ୍ରହଣୀୟ ନୁହେଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସ୍ପଷ୍ଟ କରିଦେଇଛି। ସୀମାକୁ ନେଇ ଦୁଇ ଦେଶ ମଧ୍ୟରେ ଏକାଧିକ ବୁଝାମଣା ହୋଇଛି। ସେସବୁ ରାଜିନାମାକୁ ମାନିବା ଲାଗି ଦୁଇ ଦେଶ ଅତୀତରେ ଅଙ୍ଗୀକାରବଦ୍ଧ ହୋଇଛନ୍ତି।

୧୯୫୯ ମସିହା ନଭେମ୍ବର ୭ ତାରିଖରେ ଚୀନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଝୋ ଏନଲାଇ ଏଲଏସି ନେଇ ଏକ ପ୍ରସ୍ତାବ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କୁ ଦେଇଥିଲେ। ଚୀନ ସେହି ପ୍ରସ୍ତାବକୁ ମାନୁଛି ବୋଲି ଚୀନର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହି ରିପୋର୍ଟ ଦୈନିକ ଇଂରାଜୀ ସମ୍ବାଦପତ୍ରରେ ପ୍ରକାଶ ପାଇବା ପରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏପ୍ରକାର ପ୍ରତିକ୍ରିୟା ରଖାଯାଇଛି। ଏହି ପ୍ରସ୍ତାବ ଦିଆଯିବା ସମୟରୁ ୬୧ ବର୍ଷ ହେଲା ଭାରତ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଆସିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି। ଚୀନର ଏହି ୧୯୫୯ ମସିହାର ଏକପାଖିଆ ଏଲଏସି ସଂଜ୍ଞାକୁ ଭାରତ କଦାପି ଗ୍ରହଣ କରିନାହିଁ। ଚୀନକୁ ମଧ୍ୟ ଏହି ବିଷୟ ଭଲଭାବେ ଜଣା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସଚିବ ଅନୁରାଗ ଶ୍ରୀବାସ୍ତବ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ଶ୍ରୀବାସ୍ତବ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଏକାଧିକ ଦ୍ବିପାକ୍ଷିକ ରାଜିନାମା ବିଷୟ ଉଲ୍ଲେଖ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି ଏଲଏସିରେ ଶାନ୍ତି ଓ ନିରବତା ବଜାୟ ରଖିବା ପାଇଁ ୧୯୯୩ ମସିହାର ରାଜିନାମା, ସାମରିକ କ୍ଷେତ୍ରରେ ଆସ୍ଥା ବୃଦ୍ଧି ପଦକ୍ଷେପ ପାଇଁ ହୋଇଥିବା ୧୯୯୬ର ରାଜିନାମା, ଆସ୍ଥା ବୃଦ୍ଧିକୁ କାର୍ଯ୍ୟକାରୀ କରିବା ପାଇଁ ହୋଇଥିବା ୨୦୦୫ ମସିହାର ପ୍ରୋଟୋକଲ ଆଦି ଅନ୍ୟତମ। ତେଣୁ ବର୍ତ୍ତମାନ ଗୋଟିଏ ମାତ୍ର ଏଲଏସି ରହିଛି ବୋଲି ଚୀନ କରୁଥିବା ଦାବି ଉପରୋକ୍ତ ରାଜିନାମାର ବିରୋଧାଭାଷ କରୁଛି ବୋଲି ଶ୍ରୀବାସ୍ତବ କହିଛନ୍ତି। ସୀମାରେ ସ୍ପଷ୍ଟତା ଆଣିବା ପାଇଁ ଦୁଇ ଦଶନ୍ଧି ଧରି ଚୀନ କୌଣସି କାର୍ଯ୍ୟ ନକରିବା ନେଇ ଶ୍ରୀବାସ୍ତବ ଚୀନ ଉପରେ ଦୋଷାରୋପ କରିଛନ୍ତି। ୨୦୦୩ ମସିହାରେ ଏଲଏସିକୁ ସ୍ପଷ୍ଟ କରିବା ପାଇଁ ଦୁଇ ଦେଶ ମଧ୍ୟରେ ବୈଠକ ହୋଇଥିଲା। କିନ୍ତୁ ଚୀନର ଅନାଗ୍ରହ ଯୋଗୁ ଏଥିରେ କୌଣସି ଅଗ୍ରଗତି ଘଟିଲା ନାହିଁ। ସୀମା ପ୍ରସଙ୍ଗର ସମାଧାନ ବର୍ତ୍ତମାନର ରାଜିନାମା ଭିତ୍ତିରେ କରିବା ପାଇଁ ନିକଟରେ ହୋଇଥିବା ଆଲୋଚନାରେ ଚୀନ ମତ ଦେଇଥିବାବେଳେ ଏବେ ୧୯୫୯ ମସିହାର ଏଲଏସି ବିଷୟ କହିବା ନିଶ୍ଚିତଭାବେ ବିରୋଧାଭାଷ ବୋଲି ଭାରତ ପକ୍ଷରୁ କୁହାଯାଇଛି।

ଲଦାଖ୍‌ କେନ୍ଦ୍ର ଶାସିତ ପ୍ରଦେଶ ଗଠନକୁ ବେଆଇନ କହିଲା ଚୀନ୍‌
ନୂଆଦିଲ୍ଲୀ: ଭାରତ ଯେଉଁ ପ୍ରକ୍ରିୟାରେ ଲଦାଖ୍‌କୁ କେନ୍ଦ୍ର ଶାସିତ ଅଂଚଳ ଗଠନ କରିଛି ତାହା ବେଆଇନ ଏବଂ ଚୀନ୍‌ ଏହାକୁ ମାନ୍ୟତା ଦେବନାହିଁ ବୋଲି ଆଜି ଚୀନ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଚୀନ୍‌ ଏହାକୁ ଏକ ବିବାଦୀୟ ଅଂଚଳ ଭାବେ ଦର୍ଶାଇବା ସହ ଭାରତ ନିଜର ସାମରିକ ଆବଶ୍ୟକତା ପୂରଣ କରିବା ଉଦ୍ଦେଶ୍ୟରେ ଏଭଳି କରିଛି ଏବଂ ବ୍ୟାପକ ନିର୍ମାଣ କାମ ଜାରି ରଖିଛି ବୋଲି ଚୀନ୍‌ କହିଛି। ତେବେ ସୀମାରେ ଉତ୍ତେଜନା ନ ବଢ଼ାଇବା ପାଇଁ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି ଏବଂ ସେହି ଆଧାରରେ ପଦକ୍ଷେପ ନିଆଯାଉଛି ବୋଲି ଚୀନ୍‌ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ବାଙ୍ଗ୍‌ ବେନାୱିନ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe