ବାଇଡେନ୍‌ ଜିତିଲେ ବଦଳିବ ଭାରତର ରଣନୀତି, ସାମରିକ ଓ ଆର୍ଥିକ ସହଭାଗିତା ନୂଆ ମୋଡ଼ ନେବ

Advertisment

ଓବାମା ସମୟର ନୀତି ଉପରେ ଗୁରୁତ୍ବ ଦେବ ଭାରତ

ଓବାମା ସମୟର ନୀତି ଉପରେ ଗୁରୁତ୍ବ ଦେବ ଭାରତ

ବାଇଡେନ୍‌ ଜିତିଲେ ବଦଳିବ ଭାରତର ରଣନୀତି, ସାମରିକ ଓ ଆର୍ଥିକ ସହଭାଗିତା ନୂଆ ମୋଡ଼ ନେବ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଏବେ ବିଶ୍ବବ୍ୟାପୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିଛି । ଆସନ୍ତା ୩ ତାରିଖ ନିର୍ବାଚନର ପରିଣତି ଅନ୍ତର୍ଜାତୀୟ ବାଣିଜ୍ୟ, ସାମରିକ ଏବଂ କୂଟନୀତିକ ସଂପର୍କକୁ ଏକ ନୂଆ ମୋଡ଼ ଦେବ ବୋଲି କୁହାଯାଉଛି। ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡେନାଲ୍‌ଡ ଟ୍ରମ୍ପ୍‌ ଏବଂ ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନ ମଧ୍ୟରୁ ଯିଏ ନିର୍ବାଚିତ ହେଲେ ବି ଭାରତକୁ ଅତ୍ୟନ୍ତ ଯୋଜନାବଦ୍ଧ ରଣନୀତିରେ ଆଗକୁ ବଢ଼ିବାକୁ ହେବ। ବିଗତ ବର୍ଷମାନଙ୍କରେ ଭାରତ-ଆମେରିକା ମଧ୍ୟରେ ସାମରିକ, ଅର୍ଥନୈତିକ ଏବଂ କୂଟନୈତିକ ସହଯୋଗ ନୂଆ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଆମେରିକୀୟ ଭୋଟର୍‌ ଯାହାକୁ ବି ନିର୍ବାଚିତ କରିବେ ଭାରତ ତାଙ୍କ ସହିତ ସଠିକ୍‌ ତାଳମେଳରେ କାମ କରିବାକୁ ତୟାର ହେଉଛି। ଯଦି ଟ୍ରମ୍ପ୍‌ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ତା’ହେଲେ ଭାରତ-ଆମେରିକା ଦ୍ବିପାକ୍ଷିକ ଏବଂ ବୈଶ୍ବିକ ରଣନୀତିରେ ବିଶେଷ ପରିବର୍ତ୍ତନ ହେବନାହିଁ ଏବଂ ଏବେ ଯେଭଳି ସହଭାଗିତା ଚାଲିଛି ତାହା ଜାରି ରହିବ। କିନ୍ତୁ ଡେମୋକ୍ରାଟିକ୍‌ ଦଳର ପ୍ରାର୍ଥୀ ଜୋ ବାଇଡେନ୍‌ ବିଜୟୀ ହେଲେ ଭାରତ ନୂଆ ରଣନୀତିରେ କାର୍ଯ୍ୟ କରିବ। ଭାରତ ନିଜର ଜାତୀୟ ସ୍ବାର୍ଥକୁ ସର୍ବାଧିକ ପ୍ରାଧାନ୍ୟ ଦେଇ ବାଇଡେନ୍‌ ପ୍ରଶାସନ ସହିତ କାମ କରିବାକୁ ପ୍ରସ୍ତୁତ ହେବ। ବୈଶ୍ବିକ ସହଭାଗିତା କ୍ଷେତ୍ରରେ ବାଇଡେନ୍‌ଙ୍କ ରଣନୀତି କ’ଣ ରହିବ ତାହା ଉପରେ ଭାରତ ନଜର ରଖି ନିଜର ନୀତି ବଦଳାଇବ।

ଆମେରିକାର ୪୪ତମ ରାଷ୍ଟ୍ରପତି ବାରାକ ଓବାମାଙ୍କ କାର୍ଯ୍ୟକାଳ ସମୟରେ ବାଇଡେନ୍‌ ଆମେରିକାର ଉପରାଷ୍ଟ୍ରପତି ଥିଲେ। କିନ୍ତୁ ତାଙ୍କର ଭାରତ ସଂକ୍ରାନ୍ତ ନୀତି ସ୍ପଷ୍ଟ ନଥିଲା। ଓବାମା ପ୍ରଶାସନର ଭାରତ ସହିତ ଉତ୍ତମ ସଂପର୍କ ରହିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓବାମାଙ୍କ ମଧ୍ୟରେ ସଠିକ୍‌ ତାଳମେଳ ଦ୍ବିପାକ୍ଷିକ ସଂପର୍କକୁ ଅଧିକ ସୁଦୃଢ଼ କରିଥିଲା। ଏହାପରେ ଟ୍ରମ୍ପ୍‌ କ୍ଷମତାକୁ ଆସିବା ପରେ ମଧ୍ୟ ଏହି ସଂପର୍କ ଆହୁରି ପ୍ରଗାଢ଼ ହୋଇଥିଲା। ଭାରତର ଟିକସ ବ୍ୟବସ୍ଥା, ପ୍ରଦୂଷଣ ଆଦି କେତେକ ପ୍ରସଙ୍ଗରେ ଟ୍ରମ୍ପ୍‌ଙ୍କ ପ୍ରତିକୂଳ ବୟାନ ସତ୍ତ୍ବେ ସମସ୍ତ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଦୃଢ଼ ସହଯୋଗ ରହିଆସିଛି। ଚୀନ୍‌ର ବିସ୍ତାରବାଦୀ ନୀତି ଏବଂ ଭାରତ ବିରୋଧୀ ପଦକ୍ଷେପକୁ ଆମେରିକା ଦୃଢ଼ ବିରୋଧ କରି ଆସିଛି ଏବଂ ଏ ବାବଦ ସମସ୍ତ ପ୍ରସଙ୍ଗରେ ଭାରତର ରଣନୀତିକୁ ପୂର୍ଣ୍ଣ ସମର୍ଥନ ଦେଇଛି। ଏଭଳି ସ୍ଥିତିରେ ଯଦି ବାଇଡେନ୍‌ ରାଷ୍ଟ୍ରପତି ହୁଅନ୍ତି ତା’ହେଲେ ଭାରତ ତା’ର ପାରମ୍ପରିକ ସହଭାଗିତା ବଜାୟ ରଖିବା ପାଇଁ ଡେମୋକ୍ରାଟ୍‌ମାନଙ୍କର କେତେକ ନୀତିକୁ ଆପଣାଇବ ଏବଂ ଦ୍ବିପାକ୍ଷିକ ସଂପର୍କକୁ କାଏମ ରଖିବା ଦିଗରେ ନୂଆ ରଣନୀତି ଲାଗୁ କରିବ। ଭାରତୀୟ ଆମେରିକୀୟଙ୍କ ମଧ୍ୟରୁ ଅଧିକାଂଶ ବାଇଡେନ୍‌ଙ୍କ କୋହଳ ନୀତିକୁ ସମର୍ଥନ କରୁଥିବାରୁ ବାଇଡେନ୍‌ ମଧ୍ୟ ଭାରତ କ୍ଷେତ୍ରରେ ତାଙ୍କ ଆଭିମୁଖ୍ୟକୁ ସର୍ବଦା ସକରାତ୍ମକ ରଖିବେ ବୋଲି କୁହାଯାଉଛି । ଟ୍ରମ୍ପ୍‌ ପ୍ରଶାସନ ସହିତ ଯେଉଁ ସବୁ ପ୍ରସଙ୍ଗରେ ଭାରତର କଥାବାର୍ତ୍ତା ଆଗକୁ ବଢ଼ିପାରୁ ନଥିଲା, ସେ ଦିଗରେ ଭରତ କିନ୍ତୁ ଭିନ୍ନ ମାର୍ଗ ଧରିବାକୁ ବାଧ୍ୟ ହେବ।

ଭାରତକୁ ‘ଟିକସର ବାଦଶାହ’ ଭାବେ ଟ୍ରମ୍ପ୍‌ ସମାଲୋଚନା କରୁଥିଲେ ଏବଂ କୌଣସି ପ୍ରକାର ରିହାତି ଭାରତ ପକ୍ଷରୁ ନଦେବା ପର୍ଯ୍ୟନ୍ତ କ୍ଷୁଦ୍ର ବାଣିଜ୍ୟ ଚୁକ୍ତି ସ୍ବାକ୍ଷର ପାଇଁ ମଧ୍ୟ ଅନିଚ୍ଛା ପ୍ରକାଶ କରିଥିଲେ। ଭାରତ ଏଭଳି ଏକ ଦେଶ ଯାହାର ଆମେରିକା ସହିତ ବାଣିଜ୍ୟ ବଳକା ରହିଥିବା ବେଳେ ଚୀନ୍‌, ଜାପାନ ଏବଂ ଜର୍ମାନୀ ଭଳି ସମୃଦ୍ଧ ଦେଶ ସହିତ ନିଅଣ୍ଟିଆ ସ୍ଥିତି ରହିଛି। ବାଇଡେନ୍‌ ଯଦି ରାଷ୍ଟ୍ରପତି ହୁଅନ୍ତି ତା’ହେଲେ ଭାରତର ଟିକସ ନୀତିକୁ ନେଇ କିଭଳି ପଦକ୍ଷେପ ନେବେ ତାହା ଉପରେ ବାଣିଜ୍ୟିକ କାରବାରର ଅନେକ କିଛି ନିର୍ଭର କରିବ। ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଆମେରିକା ଭାରତକୁ ସବୁଠାରୁ ବଡ଼ ‌ସହଯୋଗୀ ଭାବେ ଗ୍ରହଣ କରି କାର୍ଯ୍ୟ କରିବ କି ନାହିଁ ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ। ତେଣୁ ବାଇଡେନ୍‌ଙ୍କୁ ଯଦି ଆମେରିକୀୟମାନେ ହ୍ବାଇଟ୍‌ ହାଉସ୍‌କୁ ପଠାଇବେ ତା‘ହେଲେ ଭାରତକୁ ‘ପ୍ଲାନ୍‌-ବି’ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରସ୍ତୁତ ରହିବାକୁ ହେବ ଏବଂ ଓବାମା ପ୍ରଶାସନ ସମୟର ଭାରତ ସପକ୍ଷବାଦୀ ନୀତିଗୁଡ଼ିକ ଉପରେ ଫୋକସ୍‌ କରିବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe